ଭବାନୀପାଟଣା ସହରରେ କରୋନା ପ୍ରକୋପ : ମନ୍ଦାରବଗିଚା ପଡ଼ା, ପୁରୁଣା ପଡା ଓ ପ୍ରଦେଶୀ ପଡା କଣ୍ଟେନମେଣ୍ଟ ଜୋନ ଘୋଷିତ

ଭବାନୀପାଟଣା : ଭବାନୀପାଟଣା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୱାର୍ଡ ନଂ ୧୪ ପ୍ରଦେଶୀ ପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହାର ୩ କିଲୋମିଟର ବ୍ୟାସର୍ଦ୍ଧ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି । ପ୍ରଦେଶୀ ପଡାକୁ ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ । ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୋଗୁଁ ୱାର୍ଡ ନଂ ୧୫ ପୁରୁଣାପଡା ଓ ୱାର୍ଡ ନଂ ୨୦ ମନ୍ଦାରବଗିଚା ପଡାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିଭଳି ଏହାର ୩ କିଲୋମିଟର ବ୍ୟାସର୍ଦ୍ଧ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ଅଗଷ୍ଟ ୧ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଡ଼ା. ଗଭାଲି ପରାଗ ହର୍ଷଦ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଭବାନୀପାଟଣା ସହରର ୱାର୍ଡ ନଂ୨ ଇରିଗେସନ କଲୋନୀ, ୱାର୍ଡ ନଂ ୧୮ ହାଲିଆ ପଡା, ୱାର୍ଡ ନଂ ୨୦ ଷ୍ଟେଚୁ ଛକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଆଜି ମଦନପୁର ରାମପୁରରେ ପଜିଟିଭ ବାହାରିବା ପରେ ମଦନପୁର ରାମପୁର ସରପଞ୍ଚ ଚିତ୍ତ ରଞ୍ଜନ ବାଗ ମଦନପୁର ରାମପୁର ପଞ୍ଚାୟତକୁ ଆଜି ସନ୍ଧ୍ୟା ୬ଟା ରୁ ଆସନ୍ତା ୨ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ସଟଡାଉନ କରିଛନ୍ତି । ସେହିଭଳି ଲାଞ୍ଜିଗଡ଼ ବ୍ଲକର ଛତ୍ରପୁର, ବସନ୍ତ ପଡା,ଜଗନ୍ନାଥ ପୁର ଓ ଲାଞ୍ଜିଗଡ଼ ପଞ୍ଚାୟତକୁ ସରପଞ୍ଚମାନେ ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସଟଡାଉନ କରିଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିବା ନେଇ ଚିନ୍ତାର କାରଣ ପାଲଟିଛି। ବିଶେଷତଃ କଳାହାଣ୍ଡି ଜିଲ୍ଲା ମହକୁମା ଭବାନୀପାଟଣା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦିନକୁ ଦିନ କରୋନା ଯୋଦ୍ଧା ମାନଙ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର