ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ସହ କୋଭିଡ୍ ମୃତ୍ୟୁରେ ବି ବୃଦ୍ଧି ଘଟିଛି। ତୃତୀୟ ଲହରରେ ମୋଟ୍ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି। ଗତ ୧୪ ତାରିଖରେ ତୃତୀୟ ଲହରର ପ୍ରଥମ ମୃତ୍ୟୁ ଦେଖିବାକୁ ମିଳିଥିଲା। ଉକ୍ତ ଦିନ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ତାରିଖରେ ଆଉ ଜଣେ ୫୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ କ୍ରମ ଜାରି ରହିଛି। ଆଜି ଜଣେ ୮୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସ୍ଥାନୀୟ ଏକ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ। କୋଭିଡ ନିୟମାବଳୀ ପାଳନ ପୂର୍ବକ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହାସହ ଜିଲ୍ଲାର ସର୍ବମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୫୯୫ରେ ପହଞ୍ଚିଛି।
ଅପରପକ୍ଷରେ ଆଜି ମଧ୍ୟ ଜିଲ୍ଲାର ଦୈନିକ ସଂକ୍ରମଣ ହଜାରେ ପାର୍ କରିଛି। ଆଜି ଜିଲ୍ଲାରେ ମୋଟ୍ ୪୮୩୫ ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆର୍ଟିପିସିଆର୍ରେ ୧୨୯୮, ଆଣ୍ଟିଜେନରେ ୩୫୧୦ ଓ ଟ୍ରୁନାଟ୍ରେ ୨୭ଟି ନମୁନା ପରୀକ୍ଷା ହୋଇଥିଲା। ଏଥରୁ ୧୪୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ଆଜି ଜିଲ୍ଲାର ପଜିଟିଭ୍ ହାର ୩୦.୯% ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ବର୍ଷରୁ କମ୍ ବର୍ଗର ୫୩ ଜଣ ଓ ୧୧-୧୮ ବର୍ଷ ବର୍ଗର ୧୩୭ ଜଣ, ମୋଟ୍ ୧୯୦ ଜଣ ଅଛନ୍ତି। ଆଜି ମଧ୍ୟ ରାଉରକେଲା ମହାନଗର ଅଞ୍ଚଳରୁ ସର୍ବାଧିକ ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ସୁନ୍ଦରଗଡ଼ ଟାଉନ୍ରୁ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ସଦର ବ୍ଲକରୁ ୬୫, ବିଶ୍ରାରୁ ୬୧, ବାଲିଶଙ୍କରାରୁ ୪୨, ସବଡେଗାରୁ ୪୧, ବଣାଇଁରୁ ୩୮, ଲେଫ୍ରିପଡ଼ାରୁ ୩୮, ଟାଙ୍ଗରପଲ୍ଲୀରୁ ୩୧, ଲହୁଣୀପଡ଼ାରୁ ୨୯, ନୂଆଗାଁରୁ ୨୯, ବଡ଼ଗାଁରୁ ୨୬, ରାଜଗାଙ୍ଗପୁରରୁ ୨୫, ଲାଠିକଟାରୁ ୨୪, କୁତ୍ରାରୁ ୨୨, କୁଆରମୁଣ୍ଡାରୁ ୧୭, ହେମଗିରରୁ ୮, ଗୁରୁଣ୍ଡିଆ ବ୍ଲକରୁ ୭ ଓ ବୀରମିତ୍ରପୁର ପୌରପାଳିକା ଅନ୍ତର୍ଗତ ଅଞ୍ଚଳରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାର ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୭,୨୯୬ରେ ପହଞ୍ଚିଛି। ଏଥିମଧ୍ୟରୁ ୬୭,୩୬୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୯୩୩୫ ଜଣ ଚିକିତ୍ସାଧୀନ ଅଛନ୍ତି।