ଆବେଦନର ୩୦ଦିନରେ କୋଭିଡ ମୃତ୍ୟୁ ସହାୟତା

ଭୁବନେଶ୍ୱର : କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ଏହାର ପ୍ରକ୍ରିୟାର ଆରମ୍ଭ କରିଛନ୍ତି। ଆସନ୍ତା ୩ତାରିଖ ପରଠାରୁ ମୃତକଙ୍କ ନିକଟତମ ସଂପର୍କୀୟ(ଏନ୍‌ଓକେ) ଏଥିପାଇଁ ଅନଲାଇନ୍ କିମ୍ବା ଅଫଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ୩୦ଦିନ ଭିତରେ ମୃତକଙ୍କ ସଂପର୍କୀୟଙ୍କୁ ଏହା ସଂପର୍କିତ ସାର୍ଟିଫିକେଟ ସହିତ ସହାୟତା ରାଶି ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଆଜି ସବୁ ଜିଲ୍ଲାପାଳ, ସିଡିଏମ୍‌ଓ ଓ ମହାନଗର ନିଗମ କମିସନରଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର ଚିଠି ଲେଖିଛନ୍ତି।

କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କୁ ସହାୟତା ରାଶି ପ୍ରଦାନ କରିବା ଲାଗି ଆଇଟି ବିଭାଗ ପକ୍ଷରୁ ଏକ ସଫ୍‌ଟୱେୟାର ପ୍ରସ୍ତୁତ କରାଯାଇଛି। ଏହି ସଫ୍‌ଟୱେୟାର ନାଁ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍‌ସ ପେମେଣ୍ଟ ସିଷ୍ଟମ୍’ (ସିଏପିଏସ୍‌)। ଏହି ସଫ୍‌ଟୱେୟାର ଜରିଆରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର ଓ ବଣ୍ଟନ କରିବେ। ମୃତକଙ୍କ ସଂପର୍କୀୟଙ୍କୁ ଡିବିଟି ଜରିଆରେ ଟଙ୍କା ପଠାଇ ଦିଆଯିବ। ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଇଂରାଜୀ/ଓଡ଼ିଆରେ ଜିଲ୍ଲାପାଳଙ୍କ ନିକଟରେ ଧାର୍ଯ୍ୟ ଫର୍ମାଟରେ ଆବେଦନ କରିବେ। ଗୋଟିଏ ମୃତ୍ୟୁ ପାଇଁ କେବଳ ଗୋଟିଏ ଦରଖାସ୍ତ ଗ୍ରହଣ କରାଯିବ। ଦରଖାସ୍ତ ସହିତ ଆବଶ୍ୟକ କାଗଜପତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଏପିଏସ୍‌ ସଫଟୱେୟାରରେ ଅପ୍‌ଲୋ‌ଡ କରି ଦିଆଯିବ। କାଗଜପତ୍ରର ଯାଞ୍ଚ ସହିତ ମୃତକଙ୍କ ନିକଟତମ ସଂପର୍କୀୟଙ୍କ ଚିହ୍ନଟ ପାଇଁ ଏହାକୁ ସ୍ଥାନୀୟ ତହସିଲଦାରଙ୍କୁ ପଠାଯିବ। ସ୍ଥାନୀୟ ଆର୍‌ଆଇଙ୍କ ଜରିଆରେ ତହସିଲଦାର ବ୍ୟକ୍ତିଗତ ଭାବେ ମୃତକଙ୍କ ସଂପର୍କୀୟଙ୍କୁ ଚିହ୍ନଟ କରିବା ସହିତ ବ୍ୟାଙ୍କ ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବେ। ପରବର୍ତୀ ସମୟରେ କାଗଜପତ୍ରକୁ ସ୍ଥାନୀୟ ଉପ ଜିଲ୍ଲାପାଳ ଯାଞ୍ଚ୍‌ କରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ। ଏହାପରେ ଜିଲ୍ଲାପାଳ ସହାୟତା ରାଶି ମଞ୍ଜୁର କରିବେ। ଏଥିପାଇଁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଧିକାରୀ ଚିହ୍ନଟ ହେବା ସହିତ ତାଙ୍କ ମୋବାଇଲ ନମ୍ବର ଜଣାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର