ସଂକ୍ରମଣ ୨୪ଘଣ୍ଟାର, ପ୍ରତ୍ୟେକ ଦିନ ଘୋଷଣା ହେଉଥିବା କରୋନା ମୃତ୍ୟୁ କେଉଁ ଦିନର?
ଅଗଷ୍ଟ ୧୧ ପରଠାରୁ ଅଣ କରୋନା ମୃତ୍ୟୁ ଘୋଷଣା ବନ୍ଦ, ଅଡିଟ୍ ନାଁରେ ମୃତ୍ୟୁ ସଂଖ୍ୟା ଲୁଚାଉନାହାନ୍ତି ତ?
ଭୁବନେଶ୍ୱର : ରାଜ୍ୟରେ ପ୍ରତ୍ୟେକ ଦିନ ଘୋଷଣା ହେଉଥିବା କରୋନା ମୃତ୍ୟୁ କେଉଁ ଦିନର? ୨୪ଘଣ୍ଟାର ନା ୧୫ଦିନ ତଳର। ସରକାରୀ ଘୋଷଣା ଦିନ ରାଜ୍ୟରେ ସେତିକି ସଂଖ୍ୟକ ରୋଗୀ ପ୍ରକୃତରେ ପ୍ରାଣ ହରାଇଛନ୍ତି ନା ଅଧିକ? ଗୋଟିଏ ପଟେ ରାଜ୍ୟ ସରକାର ୨୪ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ତା’ ପରଦିନ ଦର୍ଶାଉଥିବା ବେଳେ ସଂକ୍ରମିତ ଜନିତ ହେଉଥିବା ମୃତ୍ୟୁ ସହିତ ଏହାର କୌଣସି ସଂପର୍କ ନାହିଁ। କୋଭିଡ୍ ହସ୍ପିଟାଲ ଓ ଶ୍ମଶାନରେ ଦିନକୁ ଯେତିକି ରୋଗୀଙ୍କ ଶବଦାହ କରାଯାଉଛି ତାହା ତୁଳନାରେ ଘୋଷଣା ହେଉଥିବା
ସଂଖ୍ୟାର କୌଣସି ତାଳମେଳ ନାହିଁ। ତେଣୁ କରୋନା ଜନିତ ମୃତ୍ୟୁ କେଉଁ ଦିନ ହୋଇଛି ତାହା ଜାଣିବା କଷ୍ଟକର। ଏଭଳି ପରିସ୍ଥିତିରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ (କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର) କମ୍ ରହିବା ସ୍ବାଭାବିକ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।
ରାଜ୍ୟରେ ଏବେ ସିଏଫ୍ଆର ୦.୪୨ ପ୍ରତିଶତ ରହିଛି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ହେଲେ ରିଅଲ ଟାଇମ୍ ମୃତ୍ୟୁ ଘୋଷଣା ନ ହୋଇ ସିଏଫ୍ଆର୍କୁ କିଭଳି ତୁଳନା କରାଯିବ। ଏହା ପଛରେ ସ୍ବାସ୍ଥ୍ୟ ବିଭାଗର ଯୁକ୍ତି ହେଉଛି, କୋଭିଡ୍ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ହେଉଥିବା କରୋନା ମୃତ୍ୟୁର ଡେଥ୍ ଅଡିଟ୍ କରାଯାଉଛି। ତେଣୁ ଅଡିଟ୍ ପାଇଁ ଆବଶ୍ୟକ କାଗଜପତ୍ର ପହଞ୍ଚିବା ପରେ ହିଁ, ଏହାର ଅଡିଟ୍ ସମ୍ଭବ। ତେବେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟାକୁ କାହିଁକି ସବୁଦିନ ଘୋଷଣା ହେଉଛି ପ୍ରଶ୍ନର ଉତ୍ତର ଦେବାକୁ ସ୍ବାସ୍ଥ୍ୟ ଅଧିକାରୀମାନେ ନାରାଜ। ବରଂ ଏ ବିଷୟରେ ଅଧିକ ଆଲୋଚନା ନ କରିବା ପାଇଁ ଅଧିକାରୀମାନେ କହୁଛନ୍ତି।
ହେଲେ ରାଜଧାନୀର ଶ୍ମଶାନରେ ପ୍ରତ୍ୟେକ ଦିନ ଯେଉଁ ସଂଖ୍ୟାରେ ଶବଦାହ ହେଉଛି ତାହା ତୁଳନାରେ ଘୋଷଣା ସଂଖ୍ୟା କମ୍ ରହୁଛି। କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର କିମ୍ବା ତୃତୀୟ ପକ୍ଷ ସହଭାଗିତାରେ ରାଜ୍ୟରେ କୋଭିଡ୍ ହସ୍ପିଟାଲ ପରିଚାଳିତ ହେଉଛି। ଏହାସହ ଘରୋଇ ହସ୍ପିଟାଲରେ ମଧ୍ୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ ଏସବୁ ହସ୍ପିଟାଲରେ ହେଉଥିବା କରୋନା ମୃତ୍ୟୁର ଡେଥ୍ ଅଡିଟ୍ କରୁଛନ୍ତି ସ୍ବାସ୍ଥ୍ୟ ବିଭାଗର ୩ଜଣିଆ ଟିମ୍। ହସ୍ପିଟାଲ ଗୁଡ଼ିକରୁ ରୋଗୀଙ୍କ ଚିକିତ୍ସା ବାବଦ କାଗଜପତ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚୁ ନାହିଁ। ଏଥିପାଇଁ ଗତମାସ ୨୨ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ୪୮ଘଣ୍ଟା ଭିତରେ ରୋଗୀଙ୍କ କାଗଜପତ୍ର ପଠାଇବାକୁ କୁହାଯାଇଥିଲା। ତେବେ ଏଥିରେ ମଧ୍ୟ ସୁଫଳ ନ ମିଳିବାରୁ ନିକଟରେ ବିଭାଗ ପକ୍ଷରୁ ପୁନର୍ବାର ଜିଲ୍ଲାମାନଙ୍କୁ ଏଥିପାଇଁ ସଚେତନ କରାଯାଇଥିବା ସୂଚନା ମିଳିଛି।
ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାରେ ୨ପ୍ରକାର ମୃତ୍ୟୁ ହେଉଥିବା ଦର୍ଶାଯାଉଛି। ଗୋଟିଏ କରୋନା ମୃତ୍ୟୁ ଓ ଅନ୍ୟଟି ଅଣ କରୋନା ମୃତ୍ୟୁ। ଅଣକରୋନା ମୃତ୍ୟୁ ଘୋଷଣାକୁ ନେଇ ମଧ୍ୟ ବିଶେଷଜ୍ଞମାନେ ନାପସନ୍ଦ କରିଥିଲେ। ତେଣୁ ଗତ ଅଗଷ୍ଟ ମାସ ୧୧ତାରିଖରୁ ରାଜ୍ୟରେ ଅଣ କରୋନା ମୃତ୍ୟୁ ସଂପର୍କରେ ନୂଆ ଘୋଷଣା ହୋଇନାହିଁ। ୫୩ରେ ଏହି ସଂଖ୍ୟା ସ୍ଥିର ରହିଛି। ତାହେଲେ ରାଜ୍ୟରେ ଅଣ କରୋନା ମୃତ୍ୟୁ ଆଉ ହେଉ ନାହିଁ ନା ଏହାର ଅଡିଟ୍ ହେଉଛି ସତ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାଣିଶୁଣି ଏହାକୁ ଘୋଷଣା କରାଯାଉ ନାହିଁ? ରାଜ୍ୟରେ କରୋନା ଜନିତ ମୃତ୍ୟୁକୁ ନେଇ ଏଭଳି ପୁଳପୁଳା ପ୍ରଶ୍ନ ଉଙ୍କି ମାରୁଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଜିଲ୍ଲାରେ ଥିବା କୋଭିଡ୍ ହସ୍ପିଟାଲରୁ ମୃତକଙ୍କ କାଗଜପତ୍ର ବିଳମ୍ବରେ ପହଞ୍ଚୁଛି। ତେଣୁ ଡେଥ୍ ଅଡିଟ୍ରେ ବିଳମ୍ବ ହେଉଛି। ଏହା ସତ୍ବେ ମଧ୍ୟ ରାଜ୍ୟରେ କରୋନା ମୃତ୍ୟୁ କମ୍ ରହିଥିବା ଅଧିକାରୀ ଜଣକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବରିଷ୍ଠ ଚିକିତ୍ସକ ତଥା ଆଇସିଏମ୍ଆର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ରିଅଲ୍ ଟାଇମ୍ ମୃତ୍ୟୁର ଘୋଷଣା ନ ହେଲେ ସିଏଫ୍ଆର ସହିତ ଏହାକୁ କିଭଳି ତୁଳନା କରାଯାଇ ପାରିବ। ଅଧିକାଂଶ ରାଜ୍ୟମାନେ ସେମାନଙ୍କ କରୋନା ୱାର୍ ରୁମ୍ ପ୍ରସ୍ତୁତ କରୁଛନ୍ତି। ସେଠାକୁ ଅନଲାଇନ୍ କେସ୍, ମୃତ୍ୟୁ ସିଧାସଳଖ ରାଜ୍ୟ ସରକାରଙ୍କ ପାଖକୁ ଓ ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚୁଛି। ତେବେ ଓଡ଼ିଶାରେ କାହିଁକି ରିଅଲ୍ ଟାଇମ୍ ମୃତ୍ୟୁ ଘୋଷଣା ହେଉନାହିଁ ତାହା ସରକାରୀ ଅଧିକାରୀମାନେ କହିପାରିବେ ବୋଲି ଡା. ମହାପାତ୍ର କହିଛନ୍ତି।