ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା, ୩୩ରେ ପହଞ୍ଚିଲା

୧୩୪ ଆକ୍ରାନ୍ତ, ୧୩୦ ସୁସ୍ଥ
କରୋନା ଯୋଦ୍ଧାଙ୍କ ମୃତ୍ୟୁ ଚିନ୍ତା ବଢ଼ାଉଛି
ସରକାରୀ ଭାବେ ପ୍ରାଣ ହରାଇଲେଣି ୪ କରୋନା ଯୋଦ୍ଧା

ବାରିପଦା : ଜିଲ୍ଲାରେ ବଢ଼ୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ଆଜି ପୁଣି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୩ରେ ପହଞ୍ଚିଛି। ତେବେ ଜିଲ୍ଲାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତା ବଢ଼ାଉଛି। ମାତ୍ର କିଛି ଦିନ ମଧ୍ୟରେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କରୋନାରେ ପ୍ରାଣତ୍ୟାଗ କରିଥିବା ବେଳେ ଶୁକୃଳି ମେଡିକାଲ୍ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଏବଂ ବାରିପଦା ପୌରପାଳିକାର ଉପନିର୍ବାହୀ ଯନ୍ତ୍ରୀ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ପୂର୍ବରୁ ବିଶୋଇ ଅଞ୍ଚଳର ଜଣେ ଫାର୍ମାସିଷ୍ଟ୍ ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ଏହାକୁ ମିଶାଇ ଜିଲ୍ଲାରେ ଏଯାବତ୍ ୪ ଜଣ କରୋନା ଯୋଦ୍ଧା ପ୍ରାଣ ହରାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି।

ପ୍ରାଣ ହରାଇଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସହାୟତା ରାଶି ପ୍ରଦାନ କରାଯିବ। ତେବେ ଏମାନଙ୍କୁ ଛାଡ଼ି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ଏକାଧିକ ଶିକ୍ଷକ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ଶିକ୍ଷକମାନେ ମଧ୍ୟ ଜିଲ୍ଲାରେ ଚାଲିଥିବା କରୋନା ଲଢ଼େଇରେ ସାମିଲ ଅଛନ୍ତି। ଆଜି ସରକାରୀ ଭାବେ ଘୋଷଣା ହୋଇଥିବା ଦୁଇ ଜଣ ମୃତକ ହେଉଛନ୍ତି ଦୁଇ ପୁରୁଷ। ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଏବଂ ମଧୁମେହରେ ପିଡ଼ୀତ ଥିବା ଜଣେ ୫୬ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ଘଟିଥିବା ଆଜି ସରକାରୀ ଭାବେ ଘୋଷଣା କରାଯାଇଛି। ଆଜି ଜିଲ୍ଲାରୁ ନୂଆ ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୧୬୨କୁ ବୃଦ୍ଧି ପାଇଛି । ଜିଲ୍ଲାରେ ସେପ୍ଟେମ୍ବରରେ ହୋଇଥିବା ଦ୍ରୁତ ସଂକ୍ରମଣ ଅକ୍ଟୋବର ମାସରେ ସାମାନ୍ୟ ନିୟନ୍ତ୍ରଣ ଭିତରେ ଥିବା ଜଣାପଡ଼ିଛି। ସେହିପରି ଆଜି ୧୩୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ନେଇ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୭ ହଜାର ୯୪୨ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧ ହଜାର ୧୮୭ରହିଛି।

ସମ୍ବନ୍ଧିତ ଖବର