ରାଜ୍ୟରେ ବଢୁଛି କୋଭିଡ୍‌ ମୃତ୍ୟୁ ସଂଖ୍ୟା

୧୩୪୨ ପଜିଟିଭ୍ ଚିହ୍ନଟ, ୬୮ ମୃତ

ଭୁବନେଶ୍ବର : ଗତ ମାସର ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟାରେ ହଠାତ୍ ବୃଦ୍ଧି ନଜରକୁ ଆସିଛି। ଦୈନିକ ସଂକ୍ରମଣ ହଜାରକୁ ଖସି ଆସିଥିବା ବେଳେ ବଳକା ମୃତ୍ୟୁ ‌ଘୋଷଣା ଜାରି ରହିଛି। ଜୁନ୍ ଶେଷ ବେଳକୁ ରାଜ୍ୟର ସିଏଫ୍‌ଆର ୦.୪୪ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା ୦.୬୨ ଓ ଚଳିତମାସ ପ୍ରଥମ ସପ୍ତାହରେ ଏହା ୦.୬୩ ପ୍ରତିଶତରେ ପହଞ୍ଚି ଗଲାଣି। ରାଜ୍ୟ ସରକାର ପ୍ରଥମେ ଜୁଲାଇ ଶେଷ ବେଳକୁ ଏହି ଘୋଷଣା ଶେଷ ହେବ ବୋଲି କହିଥିଲେ। ମାତ୍ର କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘୋଷଣା ଶେଷ ହେବା ଲାଗି ଆଉ କିଛି ଦିନ ସମୟ ଲାଗିବ ବୋଲି କୁହାଯାଇଛି।

ରାଜ୍ୟରେ ଆଉ ୬୮ଜଣଙ୍କ କରୋତ୍ୟୁ ‌ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଘୋଷଣା ହୋଇଛି। ଏଥିରେ ଖୋର୍ଧା ୧୩, ସୁନ୍ଦରଗଡ଼ ଓ ପୁରୀରେ ୧୨ ଲେଖାଏଁ, କଟକ ୧୧, କେନ୍ଦ୍ରାପଡ଼ା ୪, ବରଗଡ଼ ୩, ବାଲେଶ୍ବର ଓ ଢେଙ୍କାନାଳରେ ୨ ଲେଖାଏଁ, ସମ୍ବଲପୁର, ନୂଆପଡ଼ା, ନୟାଗଡ଼, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବଲାଙ୍ଗୀର ଓ ଭଦ୍ରକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି।

ଅପରପକ୍ଷେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏକ ପ୍ଲାଟ୍ୟୁ ସ୍ଥିତିରେ ରହିଛି। ବେଶ୍ କିଛି ଦିନ ୨ହଜାର ଉପରେ ରହିବା ପରେ ଏବେ ୧ହଜାର ଉପରେ ସ୍ଥିର ରହିଛି। ମାତ୍ର ଭୁବନେଶ୍ବର ଓ ପୁରୀରେ ‘ଆର୍‌’ ଭ୍ୟାଲୁ ୧ ଉପରେ ରହିବା ଚିନ୍ତା ବଢ଼ାଇଛି। ତେଣୁ ଏଠାରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାସହ ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ନଚେତ୍ ପୁଣିଥରେ ଲକ୍‌ଡାଉନ୍‌କୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୪୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୨.୦୩ପ୍ରତିଶତ ରହିଛି। ଖୋର୍ଧାରୁ ସର୍ବାଧିକ ୪୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ୧୬୪, ଜଗତ୍‌ସିଂହପୁର ୭୮, ଯାଜପୁର ୬୬, ପୁରୀ ୫୫, ବାଲେଶ୍ବର ୫୯, ଭଦ୍ରକ ୪୦, କେନ୍ଦ୍ରାପଡ଼ା ୪୩ ଓ ଷ୍ଟେଟ୍‌ ପୁଲରୁ ୧୦୫ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୨ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୩ହଜାର ୫୨୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୬୫୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୮୬୪କୁ ଖସି ଆସଛି। ଅନ୍ୟପକ୍ଷରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୬୫ହଜାର ୩୭୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର