ମୟୂରଭଞ୍ଜରେ ଥମୁନି କରୋନାଜନିତ ମୃତ୍ୟୁର ଧାରା, ୨୪ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂତନ ୧୫୩ ସଂକ୍ରମିତଙ୍କ ସହିତ ସାଢ଼େ ୭ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ସେପ୍ଟେମ୍ବର ସମସ୍ୟା
ବାରିପଦା ପୌରପରିଷଦ ସାଜିଛି ହଟ୍‌ସ୍ପଟ୍
ଆଜିଠୁ ୭ ଦିନ ବନ୍ଦ ରହିବ ବ୍ୟାବସାୟିକ ପ୍ରତିଷ୍ଠାନ

ବାରିପଦା : ମୟୂରଭଞ୍ଜକୁ ସେପ୍ଟେମ୍ବର ସମସ୍ୟା। ପ୍ରତିଦିନ କରୋନା କାରଣରୁ ଗଡ଼ୁଛି ମୁଣ୍ଡ। ଆଜି ପୁଣି ଜଣେ ମୃତକଙ୍କୁ ମିଶାଇ ଜିଲ୍ଲାରେ ସରକାରୀ ହିସାବରେ ୨୪ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା। ମାତ୍ର ଏହି ସଂଖ୍ୟା ଆହୁରି ଅଧିକ ବୋଲି ଜଣାପଡ଼ିଛି। ଯାହାକି ଆଗାମୀ ଦିନରେ ସାମ୍ନାକୁ ଆସିବ। ଏହା ମଧ୍ୟରେ କେବଳ ଚଳିତ ସେପ୍ଟେମ୍ବର ମାସରେ ୧୮ ମୁଣ୍ଡ ଗଡ଼ିଛି । ଆଜି ଜିଲ୍ଲାରୁ ପୁଣି ୧୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୭ ହଜାର ପାର କରିଛି। ଆଜିକୁ ମିଶାଇ ୭ହଜାର ୫୦୬କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬ ହଜାର ଅତିକ୍ରମ କରି ୬ହଜାର ଦୁଇରେ ପହଞ୍ଚିଛି। ଆଜି ସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୧ ହଜାର ୪୮୦ ରହିଥିବା ଜଣାପଡ଼ିଛି ।

ଜିଲ୍ଲାରେ ବାରିପଦା ପୌରପରିଷଦ ହଟ୍‌ସ୍ପଟ ଶୀର୍ଷରେ ରହିଛି। ଜିଲ୍ଲାର ମୋଟ ସଂକ୍ରମଣରୁ କେବଳ ବାରିପଦାରେ ରହିଛନ୍ତି ଅଧାରୁ ଅଧିକ। ଆଉ ଅଧିକାଂଶ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଚଳିତ ମାସରେ କେବଳ ବାରିପଦାରୁ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ହଜାରେ ଛୁଇଁବ। ଯାହାକି ବିପଦର କାରଣ ସାଜିଛି। ଜିଲ୍ଲା ସଦରମହକୁମାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ କରୋନା କାୟା ବିସ୍ତାର କରିସାରିଲାଣି। ପୁଲିସ୍ କର୍ମୀଙ୍କ ଠାରୁ ଆରମ୍ଭ କରି ଡାକ୍ତର, ସାମ୍ବାଦିକ, ବିଶ୍ବବିଦ୍ୟାଳୟ କର୍ମଚାରୀ ଏବଂ ସରକାରୀ କର୍ମଚାରୀ କେହି ମଧ୍ୟ କରୋନାରୁ ବାଦ୍ ପଡ଼ିନାହାନ୍ତି। ଏକାଧିକ ସରକାରୀ କାର୍ଯ୍ୟାଳୟ ବର୍ତ୍ତମାନ କରୋନା କାରଣରୁ ବନ୍ଦ ଭଳି ସ୍ଥିତିରେ ରହିଛି। ତେବେ ଏହି ସଂକ୍ରମଣ ଚେନ୍‌କୁ ନଷ୍ଟ କରିବା ଉଦ୍ଦେଶ୍ୟରେ ବାରିପଦା ବ୍ୟବସାୟୀ ମହାସଂଘ ସହିତ ଏକାଧିକ ସଂଗଠନର ସହଯୋଗକ୍ରମେ ଆଜିଠାରୁ ଆଗାମୀ ମାସ ୩ ତାରିଖ ପର୍ଯ୍ୟନ୍ତ ବାରିପଦା ପୌରାଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ସମସ୍ତ ଦୋକାନ ବଜାର ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର