ଏମ୍‌ସରେ କରୋନା ମୃତ୍ୟୁ! ମୃତ ବ୍ୟକ୍ତି ପୁରୀ ଜିଲ୍ଲାର, ଏମ୍‌ସରେ ଆଉ ୨ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଆଉ ଏକ କ‌ରୋନା ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲାର ୭୦ ବର୍ଷର ଜଣେ ବୃଦ୍ଧ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମଧ୍ୟରାତ୍ରରେ ପ୍ରାଣ ହରାଇଛନ୍ତି। ଗତକାଲି ତାଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିବା ବେଳେ ଆଜି ତାହା ପଜିଟିଭ୍ ଥିବା ସୂଚନା ମିଳିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୃତ୍ୟୁ ସଂପର୍କରେ ବିଧିବଧ ଭାବରେ ଘୋଷଣା କରାଯାଇ ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ସିଓପିଡି ବା ଫୁସ୍‌ଫୁସ୍‌ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ତାଙ୍କୁ କିଛିଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଏମ୍‌ସ ସ୍ଥାନାନ୍ତର ହୋଇଥିଲେ। ତେବେ ଏହା କୋଭିଡଜନିତ ମୃତ୍ୟୁ କିମ୍ବା କୋଭିଡ ପଜିଟିଭ୍ ଥାଇ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି ତାହା ରାଜ୍ୟ ସରକାରଙ୍କ ଘୋଷଣା ପରେ ହିଁ ସ୍ପଷ୍ଟ ହୋଇପାରିବ। ଯଦି ରାଜ୍ୟ ସରକାର ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରନ୍ତି ତାହାଲେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ପୂର୍ବରୁ ୩ଜଣ କରୋନା ପଜିଟିଭ୍ ବ୍ୟକ୍ତି ଅନ୍ୟ ରୋଗରେ ପ୍ରାଣ ହରାଇଥିବା କୁହାଯାଇଛି। ଯଦି ସରକାର ସଂପୃକ୍ତ ମୃତ୍ୟୁକୁ ଅନ୍ୟ ରୋଗରେ ମୃତ ଶ୍ରେଣୀରେ ହିସାବ କରନ୍ତି ତା’ହାଲେ ଏହି ସଂଖ୍ୟା ୪ ହେବ। ତେବେ ମୃତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି।

ଅପରପକ୍ଷରେ ଏମ୍‌ସରେ ଆଉ ୨ଜଣ ରୋଗୀ ମଧ୍ୟ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂପର୍କରେ ବିଶେଷ ସୂଚନା ମିଳି ନ ଥିଲେ ହେଁ ଦୁହିଁଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଦୁହିଁଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଏମ୍‌ସର ୭ଜଣ ଡାକ୍ତର କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ସାରିଛନ୍ତି। ଏମ୍‌ସରେ ଉଭୟ ଡାକ୍ତର ଓ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା କର୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର