ଗଞ୍ଜାମରେ ପୁଣି ବଢ଼ିଲା କୋଭିଡ୍‌ ମୃତ୍ୟୁ: ପୁଣି ୨ ମୃତ, ସଂଖ୍ୟା ୨୩୮କୁ ବୃଦ୍ଧି

ନୂଆ ୧୮ ଆକ୍ରାନ୍ତ, ଆଗକୁ ସ୍ଥିତି ବିଗିଡ଼ିପାରେ

ବ୍ରହ୍ମପୁର: ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ପ୍ରତିଦିନ ହାରାହାରି ୧୫ ଉପରକୁ ହିଁ ରହୁଛି। କିଛି ଦିନ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ମୃତ୍ୟୁ ବଢ଼ିବାରେ ଲାଗିଛି। ଗତ ତିନ ଦିନରେ କୋଭିଡ୍‌ରେ ୫ଜଣଙ୍କ ମୃତ୍ୟୁ ଘଟିଲାଣି। ଫଳରେ ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୩୮ରେ ପହଂଚିଛି। ଏମାନଙ୍କ ମଧ୍ୟରେ ୪୦ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, କୋଭିଡ୍‌ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଂଚଳର କେବଳ ୬୦ଜଣ ରହିଛନ୍ତି। ଶୀତ ଋତୁ ରହିଥିବାରୁ ଆଗକୁ ସ୍ଥିତି ସଙ୍ଗିନ ହୋଇପାରେ ବୋଲି ଆଶଙ୍କା ରହିଛି।

ଜିଲ୍ଲାରେ ନୂଆ ସଂକ୍ରମଣ ହ୍ରାସ ପାଇବା ସହ ସୁସ୍ଥହାର ୯୮.୫ ପ୍ରତିଶତ ଅଛି। ଗତ କିଛି ଦିନ କରୋନାଜନିଜ ମୃତ୍ୟୁ ଥମି ଯାଇଥିଲା। ଏବେ ପୁଣି ମୃତ୍ୟୁ ବଢ଼ି ଚାଲିଛି। ଆଜି ପୁଣି ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଳାରେ ଆଜି ୬୦ ଏବଂ ୫୮ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଆଜି ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ଅଂଚଳର ସର୍ବାଧିକ ୮ଜଣ ରହିଛନ୍ତି। ଖଲ୍ଲିକୋଟ ବ୍ଲକରୁ ୪ଜଣ, କୁକୁଡ଼ାଖଣ୍ତିରୁ ଜଣେ, ଦିଗପହଣ୍ତିରୁ ୨ଜଣ, ଛତ୍ରପୁର, ବେଲଗୁଣ୍ଠା ଓ ଭଞ୍ଜନଗରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାକି ୧୬ଟି ବ୍ଲକରୁ ଜଣେ ବି ନୂଆ ଆକ୍ରାନ୍ତ ନାହାନ୍ତି।
ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୨୧ହଜାର ୫୫୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୨୧,୨୩୪ ଜଣ ସୁସ୍ଥ ହୋଇଛନ୍ତି। ଗତକାଲିର ୩୪୨୯ କୋଭିଡ଼୍ ଟେଷ୍ଟକୁ ମିଶାଇ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୬ଲକ୍ଷ ୧୯ହଜାର ୬୫୯ଜଣଙ୍କ କୋଭିଡ଼୍ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର