ରାଜ୍ୟରେ ଆଉ ଏକ କରୋନା ମୃତ୍ୟୁ

ଦିନକରେ ୧୭୯ ପଜିଟିଭ୍, ୨୩୭ ରୋଗୀ ସୁସ୍ଥ
ଆଉ ଜଣେ କରୋନା ରୋଗୀ ଅନ୍ୟ ରୋଗରେ ମୃତ

ଭୁବନେଶ୍ବର : ଦୁଇ ଦିନ ତଳେ ଏମ୍‌ସରେ ଜଣେ କରୋନା ପଜିଟିଭ୍ ପ୍ରାଣ ହରାଇଛନ୍ତି। ଏହି ମୃତ୍ୟୁ ସଂପର୍କରେ ରାଜ୍ୟ ସରକାର ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପୁରୀ ଜିଲ୍ଲାର ୬୦ ବର୍ଷର ଏହି ବ୍ୟକ୍ତିଜଣକ ଫୁସ୍‌ଫୁସ୍‌ ଜନିତ ସମସ୍ୟାରେ ଦୀର୍ଘ ଦିନ ହେବ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ବ୍ୟକ୍ତି ଜଣକ କରୋନାରେ ପ୍ରାଣ ହରାଇଥିବା ‘ସମ୍ବାଦ‌’ରେ ପ୍ରକାଶ ପାଇଥିଲା। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି। ୨୩୭ କରୋନା ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହା ରାଜ୍ୟବାସୀଙ୍କ ପାଇଁ ତାହା ଆଶ୍ବସ୍ତି ଆଣି ଦେଇଛି।

୧୫ଟି ଜିଲ୍ଲାରୁ ସମସ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ୫୭ ‌ରୋଗୀ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଏହାବାଦ୍‌ ଖୋର୍ଧା ୨୭, କେନ୍ଦୁଝର ଓ ଏନ୍‌ଡିଆରଏଫ୍‌-ଓଡ୍ରାଫ୍‌ ଓ ଅଗ୍ନିଶମର ୧୮ଜଣ ଲେଖାଏଁ, କଟକ ୧୫, ମୟୂରଭଞ୍ଜ ୧୦, ଅନୁଗଳ ୬, କେନ୍ଦ୍ରାପଡ଼ା, ଭଦ୍ରକ ଓ ରାୟଗଡ଼ାରୁ ୫ଜଣ ଲେଖାଏଁ, ଜଗତ୍‌ସିଂହପୁର ୪, ଯାଜପୁର ୩, ବରଗଡ଼, ମାଲକାନଗିରିରୁ ୨ଜଣ ଲେଖାଏଁ, ନବରଙ୍ଗପୁର, ଦେବଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୭୯ପଜିଟିଭ୍ ଭିତରେ ୧୫୦ଜଣ ସଙ୍ଗରୋଧରୁ ଓ ୨୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଆଜି ଚିହ୍ନଟ ରୋଗୀଙ୍କ ସଂଖ୍ୟାକୁ ମିଶାଇଲେ ଗଞ୍ଜାମରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୩ରେ ପହଞ୍ଚିଛି। ଖୋର୍ଧାରେ ୪୩୯, କଟକ ୩୮୧, ଯାଜପୁର ୩୬୧, ‌ବାଲେଶ୍ବର ୨୭୭, ପୁରୀ ୨୧୧, କେନ୍ଦ୍ରାପଡ଼ା ୧୯୮, ଏନ୍‌ଡିଆରଏଫ୍‌-ଓଡ୍ରାଫ୍‌ ଓ ଅଗ୍ନିଶମର ୨୨୪, ଗଜପତି ୧୯୧, ଭଦ୍ରକ ୧୮୫, ଜଗତ୍‌ସିଂହପୁର ୧୭୯, ବଲାଙ୍ଗୀର ୧୫୦, କନ୍ଧମାଳ ୧୪୭, ସୁନ୍ଦରଗଡ଼ ୧୪୬, ମୟୂରଭଞ୍ଜ ୧୩୯, ନୟାଗଡ଼ ୧୧୩ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନବରଙ୍ଗପୁର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଏହି ସଂଖ୍ୟା ରାଜ୍ୟରେ ୪ରେ ପହଞ୍ଚିଛି।

ଅପରପକ୍ଷରେ ଆଜି ରାଜ୍ୟରେ ସର୍ବବାଧିକ ୨୩୭ଜଣ କରୋନା ରୋଗୀ ସୁସ୍ଥ‌ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସର୍ବାଧିକ ୭୦ଜଣ କଟକର ଥିବା ବେଳେ ଖୋର୍ଧା ୫୪, ଜଗତ୍‌ସିଂହପୁର ୨୦, କନ୍ଧମାଳ ୧୯, ଗଞ୍ଜାମ ୧୭, ଭଦ୍ରକ ଓ ମୟୂରଭଞ୍ଜ ୯ଜଣ ଲେଖାଏଁ, କେନ୍ଦୁଝର ୮, ଢେଙ୍କାନାଳ ଓ ପୁରୀ ୭ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୟାଗଡ଼ର ୪ଜଣ ଲେଖାଏଁ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁର ୨ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୫୩୪‌ରେ ପହଞ୍ଚିଛି। ଏବେ ୧୩୦୬ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୫୪୩ଜଣ ପୃଥକବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର