୬୦ବର୍ଷରୁ ଅଧିକ ୯ଜଣଙ୍କ କରୋନାରେ ମୃତ୍ୟୁ

ଅଧିକାଂଶ ମୃତକ ଯାତ୍ରା ବିବରଣୀ ନାହିଁ, ଗୃହ ସଙ୍ଗରୋଧ ପାରିବାରିକ ମିଳନର ଅବସର ନୁହେଁ

ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ୧୭ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ବୟସ ୬୦ବର୍ଷରୁ ଅଧିକ। ଏପରିକି ସେମାନଙ୍କ ମଧ୍ୟରୁ ୬ଜଣଙ୍କ ବାହାରକୁ ଯାଇ ନାହାନ୍ତି ବା ସେମାନଙ୍କର କୌଣସି ପ୍ରକାର ଟ୍ରାଭେଲ ହିଷ୍ଟ୍ରି ନାହିଁ। ଏହାସତ୍ବେ ‌ମଧ୍ୟ ସେମାନେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ। ଏଭଳି ପରିସ୍ଥିତି ପ୍ରଶ୍ନ ଉଠୁଛି ମୃତକମାନେ ବାହାରକୁ ନ ଯାଇ ମଧ୍ୟ କିଭଳି କରୋନାରେ ସଂକ୍ରମିତ ହେଲେ ଓ କାହା ଅବହେଳା ଯୋଗୁଁ ଏଭଳି ଘଟିଲା।

ମୃତକଙ୍କ ପରିବାର ଲୋକ ବାହାରକୁ ଗଲେ ନିଜେ କରୋନାରେ ସଂକ୍ରମିତ ହୋଇ ଭଲ ମଧ୍ୟ ହୋଇଗଲେ। ମାତ୍ର ଘରର ବୟସ୍କ ବ୍ୟକ୍ତିମାନେ କରୋନାର ଶିକାର ହେଲେ। ତେଣୁ ଏଥିପାଇଁ କରୋନା ଦାୟୀ ନା ମୃତକଙ୍କ ପରିବାର ଲୋକଙ୍କ ଅବେହଳା ଦାୟୀ ବୋଲି ପ୍ରଶ୍ନ କରିଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଭାରତ ଏବେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ଆସନ୍ତା ସପ୍ତାହରେ ଭାରତ ତୃତୀୟ ସ୍ଥାନକୁ ଚାଲାଯିବା ନେଇ ଆଶଙ୍କା କରାଯାଉଛି। ଦେଶର ବିଭିନ୍ନ ସହରରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ରାଜ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ହୋଇ ସାରିଲେଣି। ଜୁଲାଇ ଶେଷ ସୁଦ୍ଧା ଭାରତ ଓ ଓଡ଼ିଶାର ସ୍ଥିତି କ’ଣ ହେବ ତାହା କହିବା ମୁସ୍କିଲ୍। ତେଣୁ ଏହି ସମୟରେ ଘରର ବୟସ୍କ ଲୋକମାନଙ୍କୁ ବିପଦ ମୁହଁକୁ ଠେଲି ନ ଦେଇ ସତର୍କ ରହିବାକୁ ହେବ।

image source–indiatoday

ଏହି ଅବସରରେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ୧୦ଟି ଦିଗକୁ ପାଳନ କରିବା ନେଇ ଗୁରୁତ୍ବାରୋପ କରିଥିଲେ। ଶ୍ରୀ ବାଗଚୀ କହିଥିଲେ, ଘରେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଯିବା ବେଳେ ମାସ୍କ ପିନ୍ଧିବା, ସେମାନଙ୍କ ସେବା କରିବା ଆଗରେ ଭଲ ଭାବ‌ରେ ହାତ ଧୋଇବା, ବୟସ୍କ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ନିୟମିତ ପରିଷ୍କାର ରଖିବା, ଏହି ସମୟରେ ବନ୍ଧୁବାନ୍ଧବଙ୍କୁ ଘରକୁ ନିମନ୍ତ୍ରଣ ନ କରିବା, ମେଡିକାଲ ଓ କ୍ଲିନିକ୍‌କୁ ଯଥାସମ୍ଭବ ଦୂରେଇ ରଖିବା ଉପରେ ଘରଲୋକ ଗୁରୁତ୍ବ ଦିଅନ୍ତୁ। ବୟସ୍କମାନଙ୍କୁ ଟ୍ରେନ୍‌, ଉଡ଼ାଜାହାଜ ଓ ବସ୍‌ ଯାତ୍ରାଠାରୁ ଦୂରେଇ ରଖିବା, ‌ବୟସ୍କଙ୍କ ଶାରୀରିକ ଓ ମାନସିକ ହିତ ଉପରେ ଧ୍ୟାନ, ଜ୍ବର, ଶ୍ବାସ କଷ୍ଟର ଲକ୍ଷଣ ଦେଖାଗଲେ ତୁରନ୍ତ ୧୦୪କୁ ଯୋଗାଯୋଗ କରନ୍ତୁ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ଭିତରେ ଅନେକ ପ୍ରବାସୀ ଘରକୁ ଫେରିଛନ୍ତି। ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ନିୟମ ମାନିଛନ୍ତି। ମାତ୍ର ସହରାଞ୍ଚଳ ଗୃହ ସଙ୍ଗରୋଧରେ ସମସ୍ୟା ରହିଛି। ଗୃହ ସଙ୍ଗରୋଧ ପାରିବାରିକ ମିଳନର ଅବସର ନୁହେଁ। ଗୃହ ସଙ୍ଗରୋଧରେ ରହିଲେ ମଧ୍ୟ ନିଜ ଘରେ ଅନ୍ୟମାନଙ୍କଠାରୁ ଅଲଗା ରହିବାକୁ ହେବ। ପରିବାରର ଜଣେ ସଦସ୍ୟ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବା ଉଚିତ୍। ବୟସ୍କ, ଶିଶୁ ଓ ଗର୍ଭବତୀଙ୍କଠାରୁ ଦୂରତା ଅବଲମ୍ବନ କରିବାକୁ ହେବ। ଗୃହ ସଙ୍ଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ଶ୍ରୀ ବାଗଚୀ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର