ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନ କୌଣସି ବ୍ୟକ୍ତି କରୋନା ସଂକ୍ରମଣରେ ପ୍ରାଣ ନ ହରାଇବାର ଗୋଟିଏ ଦିନ ପରେ ରାଜ୍ୟରେ ପୁଣି ଏକ ମୃତ୍ୟୁ ହୋଇଛି। ଭୁବନେଶ୍ବରର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୮୮କୁ ବୃଦ୍ଧି ପାଇଛି।

Advertisment

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୩୦ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୭ଟି ଜିଲ୍ଲାରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ସୁନ୍ଦରଗଡ଼ରେ ସର୍ବାଧିକ ୩୦ ଓ ଅନୁଗୁଳରେ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏହି ଦୁଇ ଜିଲ୍ଲାରେ ଏବେ ବି ସଂକ୍ରମିତ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୧ ହଜାର ୧୫୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ୨୮୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୨୭ହଜାର ୨୯୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୯୨୦ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।