କେନ୍ଦ୍ର ଠିକ୍‌ ନା ରାଜ୍ୟ? କରୋନା ମୃତ୍ୟୁ ତଥ୍ୟ ମେଳ ଖାଉନି, ରାଜ୍ୟ ତାଲିକାରେ ୧୭ ମୃତ୍ୟୁ, କେନ୍ଦ୍ର ୱେବସାଇଟ୍‌ରେ ୨୪

କଟକ : କରୋନା ତଥ୍ୟରେ ତାଳମେଳ ରହୁନି। କେନ୍ଦ୍ର ସରକାରଙ୍କ ୱେବ୍‌ସାଇଟରେ ଓଡ଼ିଶାରେ ଯେତିକି ସଂଖ୍ୟକ ମୃତ୍ୟୁ ଦର୍ଶାଯାଉଛି, ରାଜ୍ୟ ସରକାରଙ୍କ ତଥ୍ୟ ତା’ଠାରୁ ଢେର୍‌ କମ୍‌ଥିବା‌ ଦେଖାଯାଉଛି। ୨୪ ତାରିଖ ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ କରୋନାରେ ୧୭ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ତଥ୍ୟ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ତଥ୍ୟରେ ଏହି ସମୟରେ ୨୪ଜଣଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଉଛି।

କୋଭିଡ୍‌-୧୯କୁ ନେଇ ରାଜ୍ୟ ସରକାରଙ୍କ https:/tatedashboard.odisha.gov.in ରେ ୨୪ ତାରିଖ ସଂଖ୍ୟାରେ ଦିଆଯାଇଥିବା ତଥ୍ୟରେ ଏଯାବତ୍‌ କରୋନାରେ ଓଡ଼ିଶାରେ ୧୭ଜଣଙ୍କ ମୃତ୍ୟୁ ଘଟିଥିବା‌ ତଥ୍ୟ ରହିଛି। ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୮ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ଜଣେ ଓ ବରଗଡ଼ ଜିଲ୍ଲାରୁ ଜଣେ ରହିଛନ୍ତି। ୨୪ ତାରିଖ ଅପରାହ୍ନରେ ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନାର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି କରିଥିବା ସାମ୍ବାଦିକ ସମ୍ମିଳନୀରେ ବି ସେହି ତଥ୍ୟ ଦିଆଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ https://www.covid19india.org ରେ ୨୪ ତାରିଖ ସଂଧ୍ୟା ୭ଟା ବେଳେ ଦର୍ଶାଯାଉଥିବା ତଥ୍ୟରେ ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୪ ରହିଛି। ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୮ଜଣ ଥିବାବେଳେ ଖୋର୍ଦ୍ଧାରୁ ୬ଜଣ, କଟକରୁ ୪ଜଣ, ପୁରୀରୁ ୨ଜଣ, ବାଲେଶ୍ବରରୁ ଜଣେ, ମୟୂରଭଞ୍ଜରୁ ଜଣେ, ବରଗଡ଼ରୁ ଜଣେ ଓ ନବରଙ୍ଗପୁରରୁ ଜଣେ ଥିବା ସୂଚନା ରହିଛି। କେବଳ ଗଂଜାମକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ମୃତ୍ୟୁ ସଂଖ୍ୟା ରାଜ୍ୟ ତୁଳନାରେ କେନ୍ଦ୍ର ୱେବ୍‌ସାଇଟ୍‌ରେ ଅଧିକ ରହିଛି।

କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଥ୍ୟରେ ସମୁଦାୟ ଆକ୍ରା‌ନ୍ତଙ୍କ ସଂଖ୍ୟା ୫୭୪୫, ଆରୋଗ୍ୟଙ୍କ ସଂଖ୍ୟା ୪୧୨୩ ଓ ଆକ୍ଟିଭ୍‌ କେସ୍‌ ୧୬୦୫ ଥିବା ଦର୍ଶାଯାଇଛି। ଉଭୟ ସରକାରଙ୍କ ତାଲିକାରେ ଆରୋଗ୍ୟ ଓ ଆକ୍ଟିଭ୍‌ ସଂଖ୍ୟା ମିଶି ୫,୭୨୮ ଥିବାରୁ ସମୁଦାୟ ଆକ୍ରାନ୍ତଙ୍କଠାରୁ ଏହା ୨୪ କମ୍‌ ପଡୁଛି। କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ୨୪ଜଣ ମୃତ ବୋଲି ଦର୍ଶାଯାଉଛି। ହେଲେ, ରାଜ୍ୟ ସରକାରଙ୍କ ମୃତ୍ୟୁ ତାଲିକାରେ ୧୭ ଜଣ ଦର୍ଶାଯାଉଥିବାରୁ ବାକି ୭ ଜଣ କେଉଁ ତାଲିକାରେ ରହିଛନ୍ତି ତାହାକୁ ନେଇ ଦ୍ବନ୍ଦ୍ବ ବଢୁଛି।

ସମ୍ବନ୍ଧିତ ଖବର