ଏଣିକି ମୃତକ ପରିବାରକୁ ମିଳିବ କୋଭିଡ୍‌ ମୃତ୍ୟୁ ରିପୋର୍ଟ

ସୁନ୍ଦରଗଡ଼ : ଏଣିକି କୋଭିଡ୍‌ ସଂକ୍ରମଣରେ କୋଭିଡ୍‌ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ରିପୋର୍ଟ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଦାନ କରିବେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ କାରଣ ଉଲ୍ଲେଖ ନଥିବା ଓ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ପରିବର୍ତ୍ତେ ଜିଲ୍ଲା ମୁଖ୍ୟଡାକ୍ତରଖାନା ଲେଖାଯିବାକୁ ନେଇ ମୃତକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ସରକାର କୋଭିଡ୍‌କୁ ମହାମାରୀ ଓ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ବେଳେ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ରହିଛି। ଏହା ଛଡ଼ା କରୋନାରେ ବାପାମା’ ଛେଉଣ୍ଡ ଛୁଆମାନଙ୍କ ପାଇଁ ବିଶେଷ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଏଥିପାଇଁ ମୃତକଙ୍କ ଅସହାୟ ପରିବାର କରୋନା ମୃତ୍ୟୁର ପ୍ରମାଣପତ୍ର ଦାଖଲ କରିବା ଅପରିହାର୍ଯ୍ୟ ଥିବା ବେଳେ ମୃତକଙ୍କ ପରିବାରକୁ ସେପରି ପ୍ରମାଣପତ୍ର ଦିଆଯାଉ ନଥିବା ଓ ଏହା ଦ୍ବାରା ମୃତକଙ୍କ ପରିବାର ସହାୟତାରୁ ବଞ୍ଚିତ ହେଉଥିଲେ। ଏସଂପର୍କରେ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟଚିକିତ୍ସ‌ାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ତେବେ କୋଭିଡ୍‌ କେନ୍ଦ୍ରରୁ କେବଳ ମୃତ୍ୟୁ ରିପୋର୍ଟ ମିଳିବ ଏବଂ ପୂର୍ବ ପରି ମୃତ୍ୟୁ ପ୍ରମାଣପତ୍ର ପୌରପାଳିକା ଦେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର