କୋଭିଡ ମୃତ୍ୟୁ ଅନୁକମ୍ପା ସହାୟତା ନେଇ ପ୍ରସ୍ତୁତି ଆରମ୍ଭ
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଅଧ୍ୟକ୍ଷଙ୍କୁ ସ୍ୱତନ୍ତ୍ର କ୍ଷମତା
ଭୁବନେଶ୍ୱର : କୋଭିଡ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନିକଟତମ ସଂପର୍କୀୟଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଓ ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ୫୦ହଜାର ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ତେବେ ଦରଖାସ୍ତ ଗ୍ରହଣଠାରୁ ଆରମ୍ଭ କରି ଅନୁକମ୍ପା ରାଶି ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଓ ପର୍ଯ୍ୟାୟକୁ ଲୋକଙ୍କ ପାଇଁ ସରଳ, ସହଜ ଓ ସହାୟକ କରିବା ପାଇଁ ସବୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ତହସିଲଦାର ଓ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ଓ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକସେବା ଭବନରୁ ଉଭୟ ଡିଜିଟାଲ ଓ ବାସ୍ତବ ଢଙ୍ଗରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲା ତହସିଲ ଓ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଥିଲେ ଧନୀ, ଗରିବ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହ ସହାୟତା ପାଇବେ। ଅନ୍ୟ କୌଣସି ଯୋଜନାରେ ସହାୟତା ପାଇଥିବା ବ୍ୟକ୍ତି ଓ ପରିବାର ମଧ୍ୟ ଏହି ଅନୁକମ୍ପା ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ। କୋଭିଡ ମୃତ୍ୟୁ ସମ୍ବଦ୍ଧିତ କାଗଜ, ପ୍ରମାଣପତ୍ର ଓ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ସମ୍ବନ୍ଧିତ ଅଭିଯୋଗ ଓ ଅସୁବିଧା ଆଦିର ତୁରନ୍ତ ସମାଧାନ ପାଇଁ ଜିଲ୍ଲାସ୍ତରୀୟ କମିଟି ସକ୍ରିୟ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।
ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର କହିଥିଲେ ଅନୁଦାନ ପାଇଁ ମୃତ ବ୍ୟକ୍ତିଙ୍କ ପରିବାର ଓ ନିକଟତମ ସଂପର୍କୀୟ ନିର୍ଧାରିତ ଫର୍ମରେ ଜିଲ୍ଲାପାଳମାନଙ୍କୁ ଅନଲାଇନ କିମ୍ବା ଅଫଲାଇନ୍ ଦରଖାସ୍ତ ଦେଇପାରିବେ। ଦରଖାସ୍ତକାରୀଙ୍କୁ ଦରଖାସ୍ତ ଗ୍ରହଣର ଏକ ସ୍ବୀକାର ରସିଦ ଦିଆଯିବ। ସାଧାରଣ ସେବା କେନ୍ଦ୍ର(କମନ ସର୍ଭିସ ସେଣ୍ଟର)ମାନଙ୍କରେ ମଧ୍ୟ ଅନଲାଇନ ଦରଖାସ୍ତ ଦାଖଲ କରିହେବ। ମିଳିଥିବା ସମସ୍ତ ଦରଖାସ୍ତକୁ ଓକାକ୍ ଦ୍ବାରା ପ୍ରସ୍ତୁତ ହେଉଥିବା ସଫଟୱେୟାର ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବ। ଏହାଦ୍ବାରା ପ୍ରକ୍ରିୟା ତ୍ବରାନ୍ବିତ ଓ ତ୍ରୁଟିମୁକ୍ତ ହେବ। ଜଣେ ମୃତକଙ୍କ ପାଇଁ ଏକାଧିକ ଦରଖାସ୍ତ କଲେ ତାହା ଜଣାପଡ଼ିବ। କୋଭିଡ ମୃତ୍ୟୁ ସମ୍ବନ୍ଧୀୟ ଦସ୍ତାବିଜ୍, ପ୍ରମାଣପତ୍ର ଆଦିର ଯାଞ୍ଚ ମଧ୍ୟ ସହଜ ଓ ନିର୍ଭରଯୋଗ୍ୟ ହୋଇପାରିବ।
ବୈଠକରୁ ମିଳିଥିବା ସୂଚନା ଅନୁସାରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଘରୋଇ ପୃଥକବାସରେ ପ୍ରାଣ ହରାଇଥିବା ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକ ଏଥିପାଇଁ ଦରଖାସ୍ତ କରିପାରିବେ। ପଜିଟିଭ୍ ଚିହ୍ନଟ ହେବାର ୩୦ଦିନ ଭିତରେ ପ୍ରାଣ ହରାଇଥିବା ବ୍ୟକ୍ତି ଏହି ସହାୟତା ପାଇବେ। ଦରଖାସ୍ତ ଗ୍ରହଣ, ତନଖି, ପ୍ରକ୍ରିୟାକରଣ, ମଞ୍ଜୁରି ଓ ସହାୟତା ପ୍ରଦାନ ଆଦି ସମସ୍ତ କାର୍ଯ୍ୟ ଜିଲ୍ଲାସ୍ତରରେ କରାଯିବ। ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଅଧ୍ୟକ୍ଷମାନଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି। ପ୍ରକ୍ରିୟା ସହିତ ସଂପୃକ୍ତ ଅଧିକାରୀ, କର୍ମଚାରୀ ଓ କମନ ସର୍ଭିସ ସେଣ୍ଟରର କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଜନସାଧାରଣଙ୍କ ସୂଚନା ପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଲୋକମାନଙ୍କଠାରୁ ଦରଖାସ୍ତ ଗ୍ରହଣ ପାଇଁ ସ୍ବତନ୍ତ୍ରଭାବେ ବିଜ୍ଞପ୍ତି ପ୍ରକାଶ ପାଇଁ ସ୍ଥିର ହୋଇଛି। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ ଡା.ସିବିକେ ମହାନ୍ତି, ଅତିରିକ୍ତ ରିଲିଫ କମିସନର କମଳକାନ୍ତ ମିଶ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।