ବରଗଡ଼ : ପଶ୍ଚିମ ଓଡ଼ିଶାର ବରଗଡ଼ରେ ଚଳିତ ମାସ ୨୫ ତାରିଖ ଯାଏ ଜିଲ୍ଲାରେ ମୋଟ୍ ୧୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟ ରହିଛି। ହେଲେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ‘ସମ୍ବାଦ’କୁ ମିଳିଥିବା ଠୋସ୍ ତଥ୍ୟ ଅନୁସାରେ ଏଯାଏଁ ଜିଲ୍ଲାରେ ୫୫୦ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟି ସାରିଲାଣି।
ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଦୁଇଟି ସଂସ୍ଥା ‘ନିଷ୍ଠା ପରିବାର ଏବଂ ‘ସଂକଳ୍ପ’ ସ୍ବେଚ୍ଛାକୃତ ଭାବେ କରୋନା ରୋଗୀଙ୍କ ଶବଦାହ ସଂସ୍କାର କରୁଛନ୍ତି। ସେମାନଙ୍କ ରିପୋର୍ଟ ହେଲା, ନିଷ୍ଠା ପରିବାର ଏଯାଏଁ ୯୧ଟି କରୋନା ରୋଗୀଙ୍କ ଶବ ପୋଡ଼ିଛି। ସେହିପରି ସଂକଳ୍ପ ଅନୁଷ୍ଠାନ ୧୬୩ ଜଣ କରୋନା ରୋଗୀଙ୍କ ଶବ ଦାହ ସଂସ୍କାର କରିଛି। ଏସବୁ ପରିସଂଖ୍ୟାନ ମିଶାଇଲେ ଗତବର୍ଷ ଠାରୁ ଏଯାଏଁ ମୋଟ୍ ୫୫୦ କରୋନା ରୋଗୀଙ୍କ ଶବ ଦାହ କରାଯାଇଛି। ଏହାବାଦ୍ ଜିଲ୍ଲାର ଗୁଡ଼ାଏ ରୋଗୀଙ୍କ ବାହାର ଜିଲ୍ଲାର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ପାଖାପାଖି ୨ଶହ ଉପରେ ହେବ ବୋଲି କୁହାଯାଉଛି। ଅର୍ଥାତ ଜିଲ୍ଲାରେ ୭୫୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷରୁ ଚଳିତ ମାସ ୧୦ ତାରିଖ ଯାଏଁ ପୌର ପ୍ରଶାସନ ୨୬୨ ଏବଂ ୧୦ ତାରିଖରୁ ୨୫ ତାରିଖ ଯାଏ ୩୪ଟି ଶବ ପୋଡ଼ିଛି। ସେହିପରି ସଂକଳ୍ପ ଅନୁଷ୍ଠାନ ଗତବର୍ଷ ୫୭ ଏବଂ ଏଥର ୧୦୬ଟି ଶବ ଦାହ ସଂସ୍କାର କରିଛି। ନିଷ୍ଠା ପରିବାର ଗତବର୍ଷ ୬୮ ଏବଂ ଚଳିତ ବର୍ଷ ୨୩ଟି ଶବ ପୋଡ଼ିଛି। କିନ୍ତୁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଥିଲେ ହେଁ ସରକାରୀ ଖାତାରେ ତାଙ୍କ ନାମ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନେଇ ଖୋଳତାଡ଼ କରାଯାଇଥିଲେ ହେଁ ସବୁ ମୃତ କରୋନା ରୋଗୀଙ୍କ ତାଲିକା ଦେବାକୁ କର୍ତୃପକ୍ଷ ପଛଘୁଞ୍ଚା ଦେଉଛନ୍ତି। ସହର ଉପକଣ୍ଠସ୍ଥ ପିପଲମୁଣ୍ଡା କୋଭିଡ୍ ସ୍ବର୍ଗଦ୍ବାରରେ ଗୋଟିଏ ଗୋଟିଏ ଦିନ ୧୨ରୁ ଅଧିକ ଶବ ପୋଡ଼ିବା ନଜିର ରହିଛି। ଅଥଚ ସେହିଦିନ ସରକାରୀ ଖାତାରେ ବରଗଡ଼ ଜିଲ୍ଲା କୋଭିଡ୍ ମୃତ୍ୟୁଶୂନ୍ୟ ଦର୍ଶାଯାଇଛି।