ସମ୍ବଲପୁର : ବୁର୍ଲା ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁ ସଂଖ୍ୟା ପୂରା ପଶ୍ଚିମ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ମୃତ୍ୟୁ ସଂଖ୍ୟା ୨ ଅଙ୍କ ଛୁଇଁବା ଏବେ ସାଧାରଣ ହୋଇଯାଇଛି। ସୋମବାର ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସର୍ବାଧିକ ୨୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା ୨୨ ଜଣଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୯ ଜଣ ରହିଥିବା ବେଳେ ବରଗଡ଼ରୁ ୫ ଜଣ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା ଏବଂ କଳାହାଣ୍ଡିର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୫୧ ବର୍ଷୀୟ, ଜଣେ ୪୫ ବର୍ଷୀୟ, ଜଣେ ୫୩ ବର୍ଷୀୟ, ୪୫ ବର୍ଷୀୟା, ଜଣେ ୩୨ ବର୍ଷୀୟା, ଜଣେ ୭୦ ବର୍ଷୀୟ, ଜଣେ ୨୯ ବର୍ଷୀୟ, ଜଣେ ୫୫ ବର୍ଷୀୟ ଓ ଜଣେ ୪୦ ବର୍ଷୀୟା ରହିଥିବା ବେଳେ ବରଗଡ଼ର ଜଣେ ୪୭ ବର୍ଷୀୟା, ଜଣେ ୬୫ ବର୍ଷୀୟ, ଜଣେ ୬୦ ବର୍ଷୀୟ, ଜଣେ ୫୮ ବର୍ଷୀୟ ଓ ଜଣେ ୫୫ ବର୍ଷୀୟା, ବଲାଙ୍ଗୀରର ଜଣେ ୬୦ ବର୍ଷୀୟା ଓ ଜଣେ ୪୫ ବର୍ଷୀୟା, ସୁବର୍ଣ୍ଣପୁରର ଜଣେ ୪୫ ବର୍ଷୀୟ ଓ ଜଣେ ୫୯ ବର୍ଷୀୟା, ନୂଆପଡ଼ାର ଜଣେ ୪୫ ବର୍ଷୀୟ, ଦେବଗଡ଼ର ଜଣେ ୩୯ ବର୍ଷୀୟା, ଝାରସୁଗୁଡ଼ାର ଜଣେ ୭୫ ବର୍ଷୀୟ ଏବଂ କଳାହାଣ୍ଡିର ଜଣେ ୩୮ ବର୍ଷୀୟ ରହିଛନ୍ତି। ଏହି ୨୨ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୪୫କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ୨୩୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ବିନୀ ପକ୍ଷରୁ କରାଯାଇଥିବା କୋଭିଡ୍ ହସ୍ପିଟାଲ୍ରେ ସମ୍ବଲପୁରର ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁବର୍ଣ୍ଣପୁର ଓ ଦେବଗଡ଼ର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୪୦ ବର୍ଷୀୟ ଓ ଜଣେ ୭୬ ବର୍ଷୀୟା ରହିଥିବା ବେଳେ ସୁବର୍ଣ୍ଣପୁରର ଜଣେ ୭୪ ବର୍ଷୀୟ ଓ ଦେବଗଡ଼ର ଜଣେ ୪୫ ବର୍ଷୀୟ ରହିଛନ୍ତି।