୪ ପରିବାରକୁ ଉଜାଡ଼ିଦେଲା କରୋନା: ମା’ ପରେ ପୁଅ, ପୁଅ ପରେ ମା’ ମୃତ

ଲଇକେରା/ବାମରା/ଅତାବିରା : ମହାମାରୀ କରୋନା ପାଇଁ ଖାଲି ଗୋଟିଏ ଗୋଟିଏ ଜୀବନ ଯାଉଛି, ଗୋଟିଏ ପରିବାରକୁ ମଧ୍ୟ ଏହା ଉଜାଡ଼ି ଦେଉଛି। ସବୁଠାରୁ ଦୁଃଖଦ ଘଟଣା ହେଉଛି, ଯେ‌େତବେଳେ ପରିବାର ମଧ୍ୟରେ ଜଣକ ମୃତ୍ୟୁର କେଇଘଣ୍ଟା ବା କେଇଦିନ ମଧ୍ୟରେ ଅନ୍ୟ ଜଣଙ୍କର ପ୍ରାଣ ଚାଲିଯାଉଛି। ଆଜି ଏହିଭଳି ଭାବେ ୩ଟି ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ଦୁଇଟି ଘଟଣାରେ ମା’ର ମୃତ୍ୟୁପରେ ମା’ ପ୍ରାଣ ହରାଇଥିବାବେଳେ ଅନ୍ୟ ଗୋଟିଏ ଘଟଣାରେ ପୁଅର ମୃତ୍ୟୁ ପରେ ମା’ର ଜୀବନ ଚାଲିଯାଇଛି।

ଏମିତି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଗ୍ରାମରେ। ଲଇକେରାର ବୁଈ ବେହେରା (୮୯) ଓ ତାଙ୍କ ବଡ଼ପୁଅ ବିଜୟ ବେହେରା (୭୨) କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇଥିଲେ। ପୁଅ ବିଜୟ ଝାରସୁଗୁଡାସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ହେଉଥିଲେ। ଗତକାଲି ରବିବାର ବୁଈ ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା। ମଝିଆ ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ। ପୁଣି କୋଭିଡ ହସ୍ପିଟାଲରେ ଆଜି ବିଜୟଙ୍କ ମୃତ୍ୟୁ ହୋଇଛି। ସେହିଭଳି, ସମ୍ବଲପୁର ଜିଲ୍ଲା ବାମରା କବରିବାହାଲ ଗ୍ରାମର ସ୍ବର୍ଗତ ଇନ୍ଦ୍ରମଣି ପୋଢ଼ଙ୍କ ପୁଅ ସୋମନାଥ(୪୩) ସଂକ୍ରମିତ ହେବାପରେ କୋଭିଡ୍‌ କେୟାର ସେଣ୍ଟର୍‌ରେ ଚିକିତ୍ସିତ ହେଉଥିଲେ। ୧୨ ତାରିଖ ଦିନ  ତାଙ୍କର ମା ସତ୍ୟଭାମା ପୋଢ଼(୭୦)ଙ୍କ ସଂକ୍ରମିତ ଚିହ୍ନଟ ହେବା ପରେ ଘରେ ସଂଗରୋଧରେ ଥିଲେ। ୧୬ ତାରିଖ ଅପରାହ୍‌ଣରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷରେ ସୋମବାର ସକାଳ ପ୍ରାୟ ୮ ଟାରେ ସୋମନାଥଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ, କରୋନା ଜନିତ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲାଦରପାଲି ଗ୍ରାମରେ। ଗୋଟିଏ ପରିବାରର ପୁଅର ମୃତ୍ୟୁର ୧୦ ଦିନ ପରେ ମା’ଙ୍କର ମୃତ୍ୟୁ ହୋଇଛି।

ଲାଦରପାଲି ଗ୍ରାମର ଭଗବତ ପ୍ରସାଦ ଦାଶଙ୍କ ସାନ ପୁଅ ଅଚ୍ୟୁତାନନ୍ଦ (ଟିଟୁନ/୩୪)ଙ୍କର ଗତ ୮ ତାରିଖ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଗତକାଲି ରବିବାର ରାତିରେ ମା ସୌଦାମିନୀ (୫୮)ଙ୍କ ଅବସ୍ଥା ଗୁରୁତର ହେବାରୁ ଅତାବିରା ସ୍ବେଚ୍ଛାସେବୀ ଅନୁଷ୍ଠାନ କୋଭିଡ୍‌ ସହାୟତା ଡେକ୍ସ ପକ୍ଷରୁ ଦିଆଯାଇଥିବା ଅକ୍ସିଜେନକୁ ଘରେ ଦିଆଯାଇଥିଲା। ପୁଅ ଟିଟୁନ୍‌ର ଦଶାହ କାର୍ଯ୍ୟ ପାଇଁ ପରିବାର ତଥା ଜାତିଭାଇ ଦଶାହ ଘାଟରେ ମୁଣ୍ଡନ ଆଦି କରୁଥିଲେ। ଏହି ସମୟରେ ସୌଦାମିନୀଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୁଅ ମୃତ୍ୟୁର ୨୪ ଘଣ୍ଟାରେ ଆଖି ବୁଜିଲେ ବାପା
କେନ୍ଦ୍ରାପଡ଼ା : ବଡ଼ପୁଅ ମୃତ୍ୟୁର ଖବର ଶୁଣି ଆଖି ବୁଜିଲେ ବାପା। ଏଭଳି ଏକ ହଦୃୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ବ୍ଲକ୍‌ ଜମଧର ପଞ୍ଚାୟତରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନାନୁଯାୟୀ, ୪୨ବର୍ଷୀୟ ଏହି ଯୁବକ ଜଣଙ୍କର ଦୁହୁରିଆରେ ଏକ ପାନ ଦୋକାନ ରହିଛି। ଅସୁସ୍ଥ ହେବାରୁ ତାଙ୍କୂୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପରୀକ୍ଷା କରାଯାଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଠିକଣା ସମୟରେ ହସ୍ପିଟାଲ୍‌ରେ ତାଙ୍କୁ ଅକ୍ସିଜେନ୍‌ ମିଳି ନ ପାରିବାରୁ ଗତ ୧୩ତାରିଖରେ ତାଙ୍କର ଜୀବନ ଚାଲି ଯାଇଥିବା ଅଭିଯୋଗ ହେଉଛି। ତାଙ୍କ ମୃତ୍ୟୁ ବୃଦ୍ଧ ପିତା ବଡ଼ପୁଅର ମୃତ୍ୟୁ ଖବର ଶୁଣିଲେ, ସ˚ଗେ ସ˚ଗେ ଘରେ ଟଳି ପଡ଼ିଥିଲେ। ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର