ଖୋର୍ଧାରେ କରୋନା ମୃତ୍ୟୁ ହଜାରେ ଟପିଲା; ଆଇସିୟୁରୁ ଚାପ କମୁଛି, ଭେଣ୍ଟିଲେଟର ଅପରିବର୍ତିତ

ଭୁବନେଶ୍ବର : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଖୋର୍ଧାରେ କରୋନା ମୃତ୍ୟୁ ହଜାର ଟପିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା କିଛି ଦିନ ଧରି ଚାଲିଥିବା ବେଳେ ଏଥିରେ ସିଂହଭାଗ ମୃତ୍ୟୁ ଖୋର୍ଧାରୁ ଆସିଥିଲା। ଫଳରେ ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସରକାରୀ ଭାବେ କରୋନା ମୃତ୍ୟୁ ସଂଖ୍ୟା ୧୦୦୩ ଛୁଇଁଛି। କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର ୦.୬୮ ପ୍ରତିଶତ ରହିଛି। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ଜିଲ୍ଲାର ୭୦ ପ୍ରତିଶତ କରୋନା ମୃତ୍ୟୁ କେବଳ ଭୁବନେଶ୍ବରରେ ହୋଇଛି। ବଳକା ମୃତ୍ୟ ସଂଖ୍ୟାର ଘୋଷଣା ଚଳିତମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି। ‌ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୬୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ଖୋର୍ଧା ୨୬, ବାଲେଶ୍ବର ୧୦, ସମ୍ବଲପୁର ୭, କେନ୍ଦ୍ରାପଡ଼ା ୬, ବରଗଡ଼ ୫, ସୁନ୍ଦରଗଡ଼ ୪, ବଲାଙ୍ଗୀର, ଝାରସୁଗୁଡ଼ା, କନ୍ଧମାଳ ଓ ରାୟଗଡ଼ାରେ ୨ ଲେଖାଏଁ, ସୋନପୁର, ନୂଆପଡ଼ା ଓ ଢେଙ୍କାନାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି। ଖୋର୍ଧା ବାଦ୍ ସୁନ୍ଦରଗଡ଼ରେ ୪୬୨, ଗଞ୍ଜାମ ୪୨୪ ଓ ପୁରୀରେ ୩୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେବଗଡ଼ରେ ସବୁଠାରୁ କମ୍ ୩୬ଜଣଙ୍କ ସରକାରୀ ଭାବେ ମୃତ୍ୟୁ ଘୋଷଣା କରାଯାଇଛି।

TV9 Bharatvarsh

ରାଜ୍ୟରେ ଦୈନିକ ସଂକ୍ରମଣ ତୃତୀୟ ଦିନ ପାଇଁ ୨ହଜାର ତଳେ ରହିଛି। ଏହାସହ ଆଇସିୟୁ ଉପରେ ଧୀରେ ଧୀରେ ଚାପ କମିବାରେ ଲାଗିଛି। ରାଜ୍ୟରେ ଏବେ ୨୯.୫୫ ପ୍ରତିଶତ ଅର୍ଥାତ୍ ୧୩୯୯ ରୋଗୀ ଆଇସିୟୁ/ଏଚ୍‌ଡିୟୁରେ ଚିକିତ୍ସିତ ହେଉଛନ୍ତି। ଗତ ୧୯ ତାରିଖ ବେଳକୁ ଏହା ୩୩ ପ୍ରତିଶତ ରହିଥିଲା। ସେହିପରି ଭେଣ୍ଟିଲେଟରରେ ୧୯ତାରିଖ ବେଳକୁ ୨୭ ପ୍ରତିଶତ ବା ୩୭୧ଜଣ ରୋଗୀ ଥିବା ବେଳେ ‌ଏବେ ୨୬.୩୫ ପ୍ରତିଶତ ରୋଗୀ ଅଛନ୍ତି। ଯାହାର ସଂଖ୍ୟା ୩୫୭ ରହିଛି। ତେଣୁ ନୂତନ କରୋନା ରୋଗୀଙ୍କୁ ଆଇସିୟୁର ବିଶେଷ ଆବଶ୍ୟକତା ପଡ଼ୁ ନ ଥିବା ବେ‌ଳେ ଭେଣ୍ଟିଲେଟର୍‌ରେ ରୋଗୀଙ୍କ ସଂଖ୍ୟାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ତେଣୁ ଏବେ ବି ରାଜ୍ୟରେ ବହୁ ସଂଖ୍ୟାରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି। ତେଣୁ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧିକୁ ଏଡ଼ାଇ ଦିଆଯାଇ ନ ପାରେ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୨.୪୫ ପ୍ରତିଶତ ରହିଛି। ଖୋର୍ଧା, କଟକ, ପୁରୀ ଓ ଜଗତସିଂହପୁରରେ ସଂକ୍ରମଣ ହାର ରାଜ୍ୟ ହାରଠାରୁ ଅଧିକ ରହିଛି। ଖୋର୍ଧାରୁ ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୨୫୬, ପୁରୀ ୧୧୮, ଜଗତସିଂହପୁର ୯୨, ଅନୁଗୁଳ ୯୧, ବାଲେଶ୍ବର ୮୪, ଯାଜପୁର ୮୭, ନୟାଗଡ଼ ୭୬, କେନ୍ଦ୍ରାପଡ଼ା ୭୩, ମୟୂରଭଞ୍ଜ ୬୯, ସୁନ୍ଦରଗଡ଼ ୫୦ ଓ ଷ୍ଟେଟ୍‌ ପୁଲରୁ ୧୦୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୩ହଜାର ୮୫୧କୁ ବୃଦ୍ଧି ପାଇଛି। ଆଜି ୨୦୪୪ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୨୦୪କୁ ବୃଦ୍ଧି ପାଇଛି।

ବିଦେଶରେ ୩,୫୭୦ ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ବିଦେଶରେ ଏ ପର୍ଯ୍ୟନ୍ତ ୩,୫୭୦ ଜଣ ଭାରତୀୟଙ୍କ କରୋନାରେ ମୃତ୍ୟୁ ହୋଇଛି। ସାଉଦି ଆରବରେ ସର୍ବାଧିକ ୧୧୫୪ ଭାରତୀୟଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୟୁଏଇରେ ୮୯୪ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟସଭାରେ ଦେଇଥିବା ସୂଚନା ଅନୁଯାୟୀ ୫୪୬ ଭାରତୀୟ କୁଏତରେ କୋଭିଡ୍‌ ଯୋଗୁଁ ପ୍ରାଣ ହରାଇଛନ୍ତି। ୩୮୪ ଜଣ ଭାରତୀୟ ଓମାନ୍‌ରେ କୋଭିଡ୍‌ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ୧୯୬ ଜଣ ବାହରିନ୍‌ରେ ଏବଂ ୧୦୬ ଜଣ କତାରରେ ପ୍ରାଣ ହରାଇଛନ୍ତି।। ୭୦ଟି ରାଷ୍ଟ୍ରରେ ୩୫୭୦ ଭାରତୀୟଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ବ‌ନ୍ଦେ ଭାରତ ମିସନ୍‌ ଅଧୀନରେ ଏପ୍ରିଲ ୩୦ ସୁଦ୍ଧା ୬୦,୨୨,୨୬୪ ଜଣ ଫେରିଛନ୍ତି।

ସମ୍ବନ୍ଧିତ ଖବର