କରୋନା ମୃତ୍ୟୁ ସଂଖ୍ୟା ୧୭ଶହ ଟପିଲା, ୫ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଶହେରୁ ଅଧିକ

ଦିନକରେ ୬୪୪ ପଜିଟିଭ୍, ୧୭ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭ଶହ ଟପିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୧୭ଜଣ କରୋନା ରୋଗୀ ପ୍ରାଣ ହରାଇବା ନେଇ ଘୋଷଣା ହେବା ପରେ ଏହି ସଂଖ୍ୟା ୧୭୦୪କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ‌ସମୟରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ କେତେ ସଂଖ୍ୟକ ରୋଗୀ ପ୍ରାଣ ହରାଉଛନ୍ତି, ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ମୃତ୍ୟୁ ସଂଖ୍ୟା ପ୍ରଦାନ କରାଯାଉଛି, ତାହା ପୂର୍ବରୁ କରୋନାରେ ପ୍ରାଣ ହରାଇଥିବା ରୋଗୀ ବୋଲି ସୂଚନା ମିଳିଛି। ଘୋଷଣା ହୋଇଥିବା ୧୭ ମୃତକଙ୍କ ମଧ୍ୟରେ ମୟୂରଭଞ୍ଜର ୫, ପୁରୀ ୪, ଖୋର୍ଧା ୩, ଅନୁଗୁଳ ୨, ଢେଙ୍କାନାଳ, କଳାହାଣ୍ଡି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୨୮୬, ଗଞ୍ଜାମ ୨୪୦, ସୁନ୍ଦରଗଡ଼ ୧୪୧, କଟକ ୧୩୪, ପୁରୀ ୧୦୦, ମୟୂରଭଞ୍ଜ ୭୯, ସମ୍ବଲପୁର ୭୨ରୋଗୀ ପ୍ରାଣ ହରାଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୯ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ବୌଦ୍ଧ, ଦେବଗଡ଼, ଗଜପତିରୁ ୨ ଲେଖାଏଁ, ଢେଙ୍କାନାଳ ୫, ସୋନପୁର ୨, କନ୍ଧମାଳ ୧, ରାୟଗଡ଼ା, ନୟାଗଡ଼ ଓ ମାଲକାନଗିରିରୁ ୪ ଲେଖାଏଁ, ଅନୁଗୁଳ ୫୦, ବାଲେଶ୍ବର, ନବରଙ୍ଗପୁର ଓ ଭଦ୍ରକରୁ ୧୧ ଲେଖାଏଁ, ବରଗଡ଼ ୧୯, ବଲାଙ୍ଗୀର ୩୨, କଟକ ୬୪, ଗଞ୍ଜାମ ୧୮, ଜଗତସିଂହପୁର ୨୬, ଯାଜପୁର ୧୭, ଝାରସୁଗୁଡ଼ା ୨୧, କଳାହାଣ୍ଡି ୩୫, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୪୨, ଖୋର୍ଧା ୪୯, କୋରାପୁଟ ୧୦, ମୟୂରଭଞ୍ଜ ୩୬, ନୂଆପଡ଼ା ୩୬, ପୁରୀ ୧୬, ସମ୍ବଲପୁର ୧୫, ସୁନ୍ଦରଗଡ଼ ୬୨ ଓ ଷ୍ଟେଟ୍‌ ପୁଲରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ୭୩୭ ‌କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୮୩୯କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୭୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର