ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭ଶହ ଟପିଲା

ଦିନକରେ ୯୫୪୧ ପଜିଟିଭ୍, ୩୩ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭ଶହ ପାର୍ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଦିନରେ ୩୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି। ଚଳିତମାସ ୨୪ତାରିଖଠାରୁ ରାଜ୍ୟରେ କ୍ରମାଗତ ଭାବେ ‌କରୋନା ମୃତ୍ୟୁ ସଂଖ୍ୟା ୩୨-୩୫ ସଂଖ୍ୟା ଭିତରେ ରହି ଆସୁଛି। ଯଦିଓ ଏହି ସଂଖ୍ୟା ନିର୍ଦ୍ଦିଷ୍ଟ କେଉଁଦିନର ତାହା କହିହେବ ନାହିଁ। ଯେହେତୁ ଜିଲ୍ଲାସ୍ତରରୁ ମୃତ୍ୟୁ ରିପୋର୍ଟ ବିଳମ୍ବରେ ଆସୁଛି ତେଣୁ ସ୍ବାସ୍ଥ୍ୟ ବିଭାଗ ଏହାର ଘୋଷଣା କରିବା ବେଳେ ବିଳମ୍ବ ହେଉଛି। ତେବେ ରାଜ୍ୟ ସରକାର ସରକାରୀ ଓ ଘରୋଇ ହସ୍ପିଟାଲରେ ହେଉଥିବା କୋଭିଡ୍‌ ଜନିତ ମୃତ୍ୟୁର ୪୮ଘଣ୍ଟା ଭିତରେ ଡେଥ୍ ଅଡିଟ୍ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ଘୋଷଣା ହୋଇଥିବା ୩୩ମୃତକଙ୍କ ମଧ୍ୟରେ ଅନୁଗୁଳରେ ସର୍ବାଧିକ ୫ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧରେ ୩ଜଣ ଲେଖାଏଁ, କଟକ, ଗଜପତି, କନ୍ଧମାଳ, କେନ୍ଦୁଝର, ଦେବଗଡ଼, ଖୋର୍ଧାରେ ୨ଜଣ ଲେଖାଏଁ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ଗଞ୍ଜାମରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସର୍ବାଧିକ କରୋନା ମୃତ୍ୟୁ ୪୬୫ଜଣଙ୍କ ଖୋର୍ଧା ଜିଲ୍ଲାରେ ରେକର୍ଡ କରାଯାଇଛି। ଗଞ୍ଜାମରେ ୨୮୧ ଓ ସୁନ୍ଦରଗଡ଼ରେ ୨୬୫ଜଣଙ୍କ ମୁଣ୍ଡ ନେଇଛି କରୋନା। ରାଜ୍ୟରେ ପୁଣିଥରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବାତ୍ୟା ପ୍ରଭାବରେ ରାଜ୍ୟରେ ନମୁନା ପରୀକ୍ଷା ହ୍ରାସ ପାଇଥିବା ବେଳେ ପୁଣିଥରେ ପରୀକ୍ଷା ସଂଖ୍ୟା ବଢ଼ିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୬୬,୦୫୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୯୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ପଜିଟିଭ୍ ହାର ୧୪.୭ ପ୍ରତିଶତ ରେକର୍ଡ କରାଯାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକରେ ୭୧୬, ମୟୂରଭଞ୍ଜ ୬୯୫, ସୁନ୍ଦରଗଡ଼ ୫୯୫, ପୁରୀ ୫୨୮, ଅନୁଗୁଳ ୫୬୨, ଯାଜପୁର ୪୮୯ ଓ ଷ୍ଟେଟ୍ ପୁଲରୁ ୨୨୭ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୫୬ ହଜାର ୬୮୪କୁ ବୃଦ୍ଧି ପାଇଛି।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ଶୀର୍ଷ ସଂକ୍ରମଣ ପାର୍ ହୋଇସାରିଛି। କୋଭିଡ୍‌ ପରୀକ୍ଷା ବଢ଼ିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ହେଲେ ପଜିଟିଭ୍ ହାର କମିଛି। ରାଜ୍ୟରେ ପଜିଟିଭ୍ ହାର କମିବା ଲାଗି ଆହୁରି ୩ ସପ୍ତାହ ଲାଗି ଯାଇପାରେ। ୫ପ୍ରତିଶତରୁ ଏହା ତଳକୁ ଖସିଲେ କଟକଣାକୁ ହଟାଯିବା ଉପରେ ବିଚାର କରାଯାଇପାରେ। ଦିଲ୍ଲୀରେ ପଜିଟିଭ୍ ହାର ୩ ପ୍ରତିଶତ ଥାଇ ବି ସ୍ଥାନୀୟ ସରକାର ସପ୍ତାହେ ପର୍ଯ୍ୟନ୍ତ କଟକଣା ଜାରି ରଖିଛନ୍ତି। ଦିନକୁ ଦିନ ଭୂତାଣରୁ ନୂଆ ମ୍ୟୁଟାଣ୍ଟ ଚିହ୍ନଟ ହେଉଛନ୍ତି। ଯାହାକି ଅଧିକ ଘାତକ ହେବାର ଆଶଙ୍କା ରହୁଛି। ତେଣୁ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ହେବ ବୋଲି ଡା. ମିଶ୍ର କହିଛନ୍ତି।

ରାଜ୍ୟରେ ଆଜି ୧୧,୮୮୧ କରୋନା ଆକ୍ରାନ୍ତ ସୁସ୍ଥ ହେବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୭୦ହଜାର ୫୨୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୯୫,୨୨୬ ଚିକିତ୍ସାଧୀନ ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର