୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

୨୪ ଘଣ୍ଟାରେ ୬୦୧୯ ପଜିଟିଭ୍, ୪୩ ମୃତ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୩୭% ହ୍ରାସ

ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଭାବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି। ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ପ୍ରତ୍ୟେକ ଦିନ ସୁସ୍ଥ ହେଉଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବେ ୬୩,୨୮୦କୁ ଖସି ଆସିଛି। ଯାହାକି ସମୁଦାୟ ସଂକ୍ରମଣର ୭ ପ୍ରତିଶତ। ତେବେ ଗତମାସରେ ସଂକ୍ରମଣ ଶୀର୍ଷକୁ ଛୁଇଁଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ଗତ ୨୩ ତାରିଖରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨୩୫ରେ ପହଞ୍ଚି ଯାଇଥିଲା। ମାତ୍ର ଗତ ୧୭ଦିନରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ପ୍ରାୟ ୩୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଚଳିତମାସ ଦ୍ବିତୀୟ ସପ୍ତାହ ବେଳକୁ ଏହି ସଂଖ୍ୟା ପ୍ରାୟ ୫୦ହଜାର ନିକଟରେ ପହଞ୍ଚିବା ନେଇ ଆଶା କରାଯାଉଛି।

ଅପରପକ୍ଷରେ ରାଜ୍ୟରେ କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଚଳିତମାସରେ ଏ ପର୍ଯ୍ୟନ୍ତ ୩୩୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ଏବେ ବି ଅନେକ ରୋଗୀ ଆଇସିୟୁ/ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୪୩ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରେ ସର୍ବାଧିକ ୫, ଅନୁଗୁଳ, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ୪ଜଣ ଲେଖାଏଁ, ବରଗଡ଼, ବଲାଙ୍ଗୀର, ବୌଦ୍ଧରେ ୩ ଲେଖାଏଁ, ପୁରୀ, ମୟୂରଭଞ୍ଜ, ଗଞ୍ଜାମରେ ୨ଜଣ ଲେଖାଏଁ, ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, କୋରାପୁଟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଛି। ଚଳିତ ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୧୨୪୭ଜଣଙ୍କ ସରକାରୀ ଭାବେ କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୬୦୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୫୩୧, ଯାଜପୁର ୪୦୬, ଅନୁଗୁଳ ୩୩୫, ମୟୂରଭଞ୍ଜ ୩୩୩, ପୁରୀ ୩୨୪, ଢେଙ୍କାନାଳ ୨୯୧, ବାଲେଶ୍ବର ୨୮୬, ସୁନ୍ଦରଗଡ଼ ୨୮୩, ଭଦ୍ରକ ୨୬୨, କେନ୍ଦ୍ରାପଡ଼ା ୨୧୮, ଜଗତସିଂହପୁର ୧୯୬, ଷ୍ଟେଟ୍‌ ପୁଲରୁ ୧୯୭ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯କୁ ବୃଦ୍ଧି ପାଇଛି। ୨୪ଘଣ୍ଟାରେ ୬୮,୭୭୮ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ୍ ହାର ୮.୭୫ ପ୍ରତିଶତ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ରହିଛି ସେଠାରେ ଅନଲକ୍‌ ପ୍ରକ୍ରିୟାକୁ ଯାଇ କିଛି କଟକଣା କୋହଳ କରାଯିବା ନେଇ ବିଚାର ଚାଲିଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତରେ ‌ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି। ଛୋଟ ଶିଶୁଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ତାଙ୍କ ପ୍ରତି ଅଧିକ ଗୁରୁତ୍ବ ଦିଆଯିବ। ଏଥିପାଇଁ ଏବେଠାରୁ ଡାକ୍ତରମାନଙ୍କୁ ତାଲିମ ଦେବା ସହ ସାଧାରଣ ଓ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ଡା. ମହାପାତ୍ର କହିଛନ୍ତି। ରାଜ୍ୟରେ ଆଜି ୮୦୩୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୬୭୩କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୧.୬ ପ୍ରତିଶତ ରହିଛି। ରାଜ୍ୟର ୮ଟି ଜିଲ୍ଲା ଏବେ ରେଡ୍ ଜୋନ୍‌ରେ ରହିଛି। ଅନ୍ୟ ଜିଲ୍ଲା ୟୋଲୋ ଓ ଗ୍ରିନ୍ ଜୋନ୍‌କୁ ଫେରି ଆସିଛି।

ସମ୍ବନ୍ଧିତ ଖବର