କୋଭିଡ୍‌ ମୃତ୍ୟୁ ସଂଖ୍ୟାରେ ତାଳମେଳ ନାହିଁ, ଘୋଷିତ ମୃତ୍ୟୁଠାରୁ ପ୍ରକୃତ ମୃତ୍ୟୁ ଢେର୍ ଅଧିକ!

ଆର୍‌ଟିଆଇ ତଥ୍ୟରେ ସତ୍ୟନଗର ଶ୍ମଶାନର ଛାତିଥରା ଚିତ୍ର

ଭୁବନେଶ୍ବର : ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଆରମ୍ଭରୁ ବିବାଦ ରହି ଆସିଛି। ରାଜ୍ୟ ସରକାର ସବୁବ‌େଳେ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଢେର କମ୍ ବୋଲି ଦାବି କରି ଆସୁଛନ୍ତି। ହେଲେ ପ୍ରତିଦିନ କରୋନା ମୃତ୍ୟୁର ଯେଉଁ ହିସାବ ଦେଉଛନ୍ତି, ସେଥିରେ ତାଳମେଳ ରହୁନାହିଁ। ସରକାରୀ ଭାବେ ଘୋଷଣା ହେଉଥିବା ମୃତକଙ୍କ ସଂଖ୍ୟାଠାରୁ ପ୍ରକୃତ ମୃତ୍ୟୁ ଯେ ଯଥେଷ୍ଟ ଅଧିକ ତାହା ବିଭିନ୍ନ ଶ୍ମଶାନର ଚିତ୍ର ଓ ମୃତ୍ୟୁ ସାର୍ଟିଫିକେଟ୍‌ରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଗତବର୍ଷ ଜୁଲାଇ-ଡିସେମ୍ବର ଭିତରେ କରୋନାର ପ୍ରଥମ ଲହରରେ କେବଳ ରାଜଧାନୀର ସତ୍ୟନଗର ଶ୍ମାଶନରେ ଯେତିକି ଶବଦାହ କରାଯାଇଛି ତାହାର ସଂଖ୍ୟା ବେଶ୍ ବିବ୍ରତ କଲାଭଳି। ଏ ବର୍ଷ କରୋନାର ଦ୍ବିତୀୟ ଲହର ଆହୁରି ମାରାତ୍ମକ ହୋଇଥିବାବେଳେ ଏପ୍ରିଲରୁ ଜୁନ୍ ଭିତରେ କୋଭିଡ୍ ପ୍ରଟୋକଲ୍‌ରେ ଆହୁରି ଅଧିକ ସଂଖ୍ୟାରେ ଶବଦାହ ହୋଇଛି। ସତ୍ୟନଗର ସହିତ ରାଜ୍ୟର ଅନ୍ୟ ଶ୍ମଶାନକୁ ଯଦି ହିସାବକୁ ନିଆଯିବ ତାହେଲେ ରାଜ୍ୟରେ କରୋନା ମୃତ୍ୟୁର ଛାତିଥରା ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ସୂଚନା ଅଧିକାର ଆଇନ ବଳ‌ରେ ଯେଉଁ ତଥ୍ୟ ମିଳିଛି, ତାହା ରାଜ୍ୟ ସରକାରଙ୍କ କରୋନା ମୃତ୍ୟୁ ପରିସଂଖ୍ୟାନକୁ ସଂପୂର୍ଣ୍ଣ ଭାବେ ଓଲଟପାଲଟ କରି ଦେଉଛି। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଗତବର୍ଷ ମାର୍ଚରେ ଚିହ୍ନଟ ହୋଇଥିଲେ। ତେବେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା ଏପ୍ରିଲ ୭ତାରିଖରେ। ରାଜଧାନୀର ସତ୍ୟନଗର ଶ୍ମଶାନକୁ କୋଭିଡ୍‌ ପୂର୍ବରୁ ପ୍ରତିଦିନ ହାରାହାରି ୨/୩ଟି ମୃତଦେହ ସତ୍କାର ପାଇଁ ଆସୁଥିଲା। ଗତବର୍ଷ ଜାନୁଆରିରେ ୮୪, ଫେବ୍ରୁଆରିରେ ୭୫, ମାର୍ଚରେ ୭୭, ଏପ୍ରିଲରେ ୮୮, ମେ’ ରେ ୯୭ ଓ ଜୁନ୍‌ରେ ୭୪ଜଣଙ୍କୁ ମିଶାଇ ସମୁଦାୟ ୪୯୫ଜଣଙ୍କ ଶବଦାହ କରାଯାଇଥିଲା। ଅର୍ଥାତ ହାରାହାରି ଦେଖିଲେ କରୋନା ବ୍ୟାପିବା ପୂର୍ବରୁ ଏଠାରେ ମାସକୁ ୮୩ଟି ଶବଦାହ ହେଉଥିଲା। ହେଲେ କରୋନା ସଂକ୍ରମଣ ବଢ଼ିବା ପରେ ୨୦୨୦ ଜୁଲାଇରୁ ଡିସେମ୍ବର ମାସ ଭିତରେ ଏହି ଶ୍ମଶାନରେ ୩୯୭୮ ଶବ ଦାହ ହୋଇଥିବା ଜଣାପଡ଼ିଛି। ଅର୍ଥାତ ମାସକୁ ହାରାହାରି ଶବଦାହ ସଂଖ୍ୟା ୬୬୩। ଏହି ସମୟରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା। ଫଳରେ ସତ୍ୟନଗର ଶ୍ମଶାନ ଉପରେ ପ୍ରବଳ ଚାପ ପଡ଼ିଥିଲା। ଏପରିକି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏଠାରେ ମାତ୍ରାଧିକ କୋଭିଡ୍‌ ରୋଗୀଙ୍କ ଶବଦାହକୁ ବିରୋଧ କରିଥିଲେ।

ତଥ୍ୟ କହୁଛି, ଗତ ବର୍ଷ ଜାନୁଆରିରୁ ଜୁନ୍ ମଧ୍ୟରେ ପ୍ରତିମାସରେ ହାରାହାରି ୮୩ଟି ମୃତଦେହ ସତ୍ୟନଗର ଶ୍ମଶାନକୁ ଆସୁଥିବାବେଳେ ଜୁଲାଇରୁ ଡିସେମ୍ବର ମାସ ଭିତରେ ପ୍ରତି ମାସରେ ହାରାହାରି ଶବଦାହ ସଂଖ୍ୟା ୬୬୩ରେ ଛୁଇଁଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କେତେ ଅଧିକ ଥିଲା। ଅଥଚ ସରକାରୀ ଭାବେ ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ମୋଟ ୧୮୭୩ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଘୋଷଣା ହୋଇଥିଲା।

ସେହିପରି ବିଏମ୍‌ସିର ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଜାନୁଆରିରୁ ସେପ୍ଟେମ୍ବର ମାସ ଭିତରେ ୫୪୯୮ ମୃତ୍ୟୁ ସାର୍ଟିଫିକେଟ୍ ଜାରି କରାଯାଇଛି। ଅର୍ଥାତ ପ୍ରତିମାସରେ ହରାହାରି ୬୧୧ଟି ମୃତ୍ୟୁ ସାର୍ଟିଫିକେଟ୍‌ ଦିଆଯାଇଛି। ଡିସେମ୍ବର ମାସ ବେଳକୁ ଏହି ସଂଖ୍ୟା ଆହୁରି ଅଧିକ ହେବ। ଏହାସହ ରାଜଧାନୀର ବିଏମ୍‌ସି ହସ୍ପିଟାଲ ସହିତ ଅନ୍ୟ ୭ଟି ଘରୋଇ ହସ୍ପିଟାଲରେ ୩୨୪୬ ମୃତ୍ୟୁ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି। ଅଥଚ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ରାଜ୍ୟରେ ଗତବର୍ଷ ୧୮୭୬ ଜଣ ଓ ଚଳିତବର୍ଷକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୩୭୬୧କୋଭିଡ୍‌ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।

ଚଳିତବର୍ଷର ଏପ୍ରିଲ, ମେ’ ଓ ଜୁନ୍ ମାସରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ସରକାରୀଭାବେ ମୃତ୍ୟୁ ସଂଖ୍ୟା ଦର୍ଶାଯାଇଛି ୪୧୪। ଏପ୍ରିଲ ମାସ ପୂର୍ବରୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୧ ରହିଥିଲା। ହେଲେ ଗତବର୍ଷ ଡିସେମ୍ବର ମାସ ସୁଦ୍ଧା କେବଳ ସତ୍ୟନଗର ଶ୍ମଶାନରେ ୩୪୮୦ କୋଭିଡ୍‌ ରୋଗୀଙ୍କୁ ଦାହ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ସରକାର ଦର୍ଶାଉଥିବା କୋଭିଡ୍‌ ମୃତ୍ୟୁ ଓ ଆର୍‌ଟିଆଇରେ ମିଳିଥିବା ତଥ୍ୟ ଭିତରେ ଯେଉଁ ଆକାଶପାତାଳ ଫରକ ରହିଛି, ତାହା ହିଁ ଦର୍ଶାଉଛି ଯେ ପ୍ରକୃତ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ସରକାର ସାମ୍ନାକୁ ଆଣୁ ନାହାନ୍ତି।

ସମ୍ବନ୍ଧିତ ଖବର