ରାଜ୍ୟରେ ଆଉ ୭ ମୃତ, ୭ ହଜାର ସୁସ୍ଥ

ଦିନକରେ ୫୨୭ ଆକ୍ରାନ୍ତ, ୩୦୩ ସୁସ୍ଥ

ଭୁ‌ବନେଶ୍ବର : ଓଡ଼ିଶାରେ ୮ହଜାରରୁ ଅଧିକ କେବଳ ପୁରୁଷ ସଂକ୍ରମିତ ହୋଇ ସାରିଲେଣି। ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ସମୁଦାୟ ସଂକ୍ରମଣର ୭୮ ପ୍ରତିଶତ। ବିଶ୍ବବ୍ୟାପୀ ପୁରୁଷମାନେ କରୋନାରେ ଅଧିକ ଆକ୍ରାନ୍ତ ହେଉଥିବା ବେଳେ ରାଜ୍ୟରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଛି। ମହିଳାଙ୍କ ସଂଖ୍ୟା ୨୩୨୮ ଥିବା ବେଳେ ଏହାର ପ୍ରତିଶତ ରହିଛି ୨୧ ପ୍ରତିଶତ।

ସେହିପରି ସଂକ୍ରମିତଙ୍କ ବୟସ ଭିତରେ ମଧ୍ୟ ଯଥେଷ୍ଟ ତାରତମ୍ୟ ରହିଛି। ୧୫-୪୦ବର୍ଷର ୭୦୪୪ ଜଣ ରୋଗୀ ଥିବା ବେଳେ ୪୧-୬୦ବର୍ଷର ୨୬୩୦ଜଣ ରୋଗୀ ଅଛନ୍ତି। ୬୦ବର୍ଷରୁ ଅଧିକ ମାତ୍ର ୪୭୧ଜଣ ଚିହ୍ନଟ ହୋଇଥିବା ବେଳେ ୦-୧୪ବର୍ଷର ୪୭୯ଜଣ ରହିଛନ୍ତି।

ଇତିମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ କରୋନା ଜନିତ ମୃତ୍ୟୁ ଘୋଷଣା ହୋଇଛି। ୪ଟି ଜିଲ୍ଲାର ୬ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଅଣ ‌କୋଭିଡ୍‌ରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଜୁଲାଇ ମାସ ଆରମ୍ଭରୁ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ହୋଇଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଆଣିଛି। ଆଜି ରାଜ୍ୟରେ ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୭ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି।

ଆଜି ଘୋଷଣା ହୋଇଥିବା କରୋନା ମୃତ୍ୟୁରେ ୩ଜଣ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ମଧୁମେହରେ ପୀଡ଼ିତ ୬୪ ଓ ୫୦ବର୍ଷର ଦୁଇ ଜଣ ବ୍ୟକ୍ତି ଓ ୫୬ବର୍ଷର ଜଣେ ବ୍ୟକ୍ତି କରୋନାର ଶିକାର ହୋଇଛନ୍ତି। ଫଳରେ କେବଳ ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୭ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ରାୟଗଡ଼ାର ଫୁସଫୁସ୍‌ ସଂକ୍ରମଣରେ ପୀଡ଼ିତ ଥିବା ୮୦ବର୍ଷର ଓ ଭୁବନେଶ୍ବରର ୫୫ବର୍ଷର ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଏହାସହ କେନ୍ଦ୍ରାପଡ଼ା ଜିଲ୍ଲାର ୪୯ବର୍ଷରେ ମଧୁମେହରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କରୋନା ମୁଣ୍ଡ ନେଇଛି। ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି।

ଏହାସହ ଖୋର୍ଧା ଜିଲ୍ଲାର ୫୩ବର୍ଷର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଏଚ୍‌ଆଇଭି-ଏଡ୍‌ସରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଫଳରେ ଖୋର୍ଧା ଜିଲ୍ଲାରେ ଅଣ କୋଭିଡ୍‌ ମୃତ୍ୟୁ ୩ରେ ପହଞ୍ଚିଥିବା ବେ‌ଳେ ରାଜ୍ୟରେ ଏହି ସଂଖ୍ୟା ୧୩ ଛୁଇଁଛି। ତେବେ ଜୁଲାଇ ମାସରେ ପ୍ରତ୍ୟେକ ଦିନ କରୋନା ମୃତ୍ୟୁ ସଂପର୍କରେ ଘୋଷଣା କରାଯାଉଛି। ଜୁନ୍ ମାସ ଆରମ୍ଭ ହେବା ବେଳକୁ ରାଜ୍ୟରେ ୭ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୩୮ଦିନ ଭିତରେ ୪୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ଅଣ କୋଭିଡ୍‌ ମୃତ୍ୟୁ ୩ରୁ ଲମ୍ପ ଦେଇ ୧୩ରେ ପହଞ୍ଚିଛି। ନିକଟରେ ଭୁବ‌ନେଶ୍ବରରେ ଥିବା ଦୁଇଟି କୋଭିଡ୍‌ ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ରୋଗୀ ପ୍ରାଣ ହରାଇଥିବା ଖବର ହୋଇଥିଲେ ହେଁ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଘୋଷଣା କରାଯାଇ ନାହିଁ। ଯଦି ସରକାରଙ୍କ ପକ୍ଷରୁ ଏହାକୁ କରୋନା ମୃତ୍ୟୁ ବୋଲି ଘୋଷଣା କରାଯାଏ ତାହାଲେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ଗଞ୍ଜାମ ଜିଲ୍ଲାରେ। ୨୧୫ଜଣ ରୋଗୀଙ୍କ ମଧ୍ୟରୁ ୨୬ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ଜିଲ୍ଲାରେ ସମୁଦାୟ ସଂଖ୍ୟା ୨୮୩୬କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ୫୦ଜଣ ରୋଗୀ ଚିହ୍ନଟ ହେବା ପରେ ସଂଖ୍ୟା ୧୦୭୯ରେ ପହଞ୍ଚିଛି। ସୁନ୍ଦରଗଡ଼ରେ ୭୮ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ୨ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ଏହାସହ ସଂକ୍ରମିତ ଥିବା ଜଣେ ଗର୍ଭବତୀ ମହିଳା ଜଣେ ଶିଶୁକୁ ଜନ୍ମ ଦେଇଛନ୍ତି। ତେବେ ରାଉରକେଲା ଅଞ୍ଚଳର ରାଜ୍ୟର ସର୍ବକାଳୀନ ସୁପର ସ୍ପ୍ରେଡର ପାଲଟିଛନ୍ତି। ତାଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ ୯୫ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି। ଏହାବାଦ୍ ବାଲେଶ୍ବର ୨୬, ଯାଜପୁର ୨୫, ବଲାଙ୍ଗୀର ୨୧, ନୟାଗଡ଼ ୧୮, କଟକ ୧୭, ପୁରୀ ୧୬, ମୟୂରଭଞ୍ଜ ୧୦, କେନ୍ଦୁଝର ୭, କେନ୍ଦ୍ରାପଡ଼ା ଓ ସୋନପୁରରୁ ୫ ଜଣ ଲେଖାଏ, କୋରାପୁଟ ୬, ଜଗତସିଂହପୁର, ନୂଆପଡ଼ା ଓ ଝାରସୁଗୁଡ଼ାର ୪ଜଣ ଲେଖାଏ, ନବରଙ୍ଗପୁର ଓ ମାଲକାନାଗିରିରୁ ୩ଜଣ ଲେଖାଏ, ଭଦ୍ରକ ୨, ବରଗଡ଼, ରାୟଗଡ଼ା, ଅନୁଗୁଳ, ସମ୍ବଲପୁର ଓ ଢେଙ୍କାନାଳର ଜଣେ ଲେଖାଏ ରହିଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୩୮ଜଣ ଥିବା ବେଳେ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଛି। ୨୨ଟି ଜିଲ୍ଲାରୁ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି।

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୩୦୩ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୨୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଯାଜପୁର ୪୬, ଖୋର୍ଧା ୨୮, କଟକ ୨୧, କେନ୍ଦୁଝର ୧୬, ନୟାଗଡ଼ ୧୪, ନବରଙ୍ଗପୁର ୯, ପୁରୀ ୭, ବରଗଡ଼ ୬, ଢେଙ୍କାନାଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୫ଜଣ ଲେଖାଏ, ଅନୁଗୁଳ ଓ ନୂଆପଡ଼ରୁ ୪ଜଣ ଲେଖାଏ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ଜଣ ଲେଖାଏ, ବଲାଙ୍ଗୀର, ଜଗତସିଂହପୁର, କୋରାପୁଟ ଓ ମାଲକାନାଗିରିରେ ଜଣେ ଲେଖାଏ ରୋଗୀ ରହିଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୦୦୬ ରହିଛି। ରାଜ୍ୟରେ ଏବେ ୩୫୫୭ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର