ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୪୦ରୁ ତଳକୁ ଖସୁନି

୧୫ଦିନରେ ୬୪୬ ମୃତ୍ୟୁ, ଦେଶର ୧.୦୪% କରୋନା ମୃତ୍ୟୁ ଓଡ଼ିଶାରେ

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଏବେ ୪୦ରୁ ତଳକୁ ଖସୁନି। ବର୍ତ୍ତମାନ ସୁଦ୍ଧା ୪୧୯୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କେବଳ ଗତ ୧୫ ଦିନରେ ୬୪୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସବୁଠୁ ଚିନ୍ତାର ବିଷୟ ହେଲା ଯେ ଦେଶର ମୋଟ୍‌ କରୋନା ମୃତ୍ୟୁର ୧.୦୪% ମୃତ୍ୟୁ ଓଡ଼ିଶାରେ ହୋଇଛି। ପୂର୍ବରୁ କେବେ ଏହା ୧% ଉପରକୁ ଯାଇ ନଥିବା ବେଳେ ଏବେ ଏହା ଏବେ ୧% ଟପିଛି।

ଜୁନ୍‌ ୨୦ରୁ ଆଜି ସୁଦ୍ଧା ୧୫ଦିନ‌ରେ ମାତ୍ର ଦୁଇଥର ମୃତ୍ୟୁ ସଂଖ୍ୟା ୪୦ରୁ ତଳକୁ ଖସିଛି। ଜୁନ୍‌ ୨୨ରେ ୩୮ଜଣ ଏବଂ ଜୁନ୍ ୨୭ରେ ୩୯ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁନ୍‌ ୩୦ରେ ସର୍ବାଧିକ ୪୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା।

ଆଜି ରାଜ୍ୟରେ ୨୮୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୨୧ହଜାର ୮୯୬ରେ ପହଞ୍ଚିଛି। ଏହା ଦେଶର ମୋଟ୍ ଆକ୍ରାନ୍ତଙ୍କର ୩.୦୨%। ଏବେ ୨୬୮୬୯ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏହା ଦେଶର ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କର ୫.୬%। ଆଜି ରାଜ୍ୟରେ ୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଆଶ୍ବସ୍ତିର ବିଷୟ ହେଲା, ରାଜ୍ୟ‌ର ଟେଷ୍ଟ ପଜିଟିଭିଟି ରେଟ୍‌ ୪.୦୪%କୁ ଖସିଛି।

ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଏବଂ ଏବେ ବି ବହୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର କାରଣ ଜାଣିବା ଏବଂ ନିରାକରଣ ପାଇଁ କେନ୍ଦ୍ରୀୟ ଟିମ୍ ସୋମବାର ଓଡ଼ିଶା ଆସିବ।

ସୂଚନା ଅନୁଯାୟୀ, ଏପ୍ରିଲରେ ରାଜ୍ୟରେ ୧ ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ହୋଇଥିବା ବେଳେ ୧୧୮ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା। ସେହିପରି ମେ’ ମାସରେ ୩ ଲକ୍ଷ ୨୦ ହଜାର ୮୦୩ ଲୋକ ସଂକ୍ରମିତ ହୋଇଥିବା ବେଳେ ୭୧୧ଜଣ ପ୍ରାଣ ହରାଇଥିଲେ। ଗତ ଜୁନ୍‌ ମାସରେ ୧ ଲକ୍ଷ ୪୪ ହଜାର ୭୬୬ ସଂକ୍ରମିତ ହୋଇଥିବା ବେଳେ ୧୨୬୪ ଜଣ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସା‌ରେ, ଦ୍ୱିତୀୟ ଲହରର ଅଧା ହୋଇପାରେ ତୃତୀୟ ଲହର। ଦ୍ୱିତୀୟ ଲହରରେ ଦିନକୁ ଯେତେ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ତୃତୀୟ ଲହରରେ ତା’ର ଅଧା ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ତୃତୀୟ ଲହର ଆସିବାର ଆଶଙ୍କା ଅଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ରାଜ୍ୟ ସରକାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସମସ୍ତ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲକୁ ଏନେଇ ସଜାଗ ରହିବାକୁ କୁହାଯାଇଛି। ଡାକ୍ତର, ନର୍ସଙ୍କୁ ଟ୍ରେନିଂ ଦିଆଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏସ୍‌ସିବିରେ ପିଲାଙ୍କ ପାଇଁ ୧୦ଟି, ବାଲେଶ୍ୱରରେ ୧୦ଟି ବେଡ୍ ବ୍ୟବସ୍ଥା ହେଉଥିବା ମନ୍ତ୍ରୀ କହିଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସମସ୍ତଙ୍କୁ ଟିକା ନଦେବା ପର୍ଯ୍ୟନ୍ତ କଟକଣା କୋହଳ କରିବା ଠିକ୍‌ ହେବନି। ଯଦି ଦ୍ରୁତ ଟିକାକରଣ ହେବ, ତେବେ ତୃତୀୟ ଲହର ସଂକ୍ରମଣ କମ୍‌ ରହିବ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଟିକାକରଣକୁ ବଢ଼ାଇବା ଦରକାର। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନଙ୍କୁ ପୂର୍ବରୁ କରୋନା ହୋଇଥିଲା, ସେମାନଙ୍କ କ୍ଷେତ୍ରରେ ଟିକା ଅଧିକ ଫଳପ୍ରଦ ହେଉଛି। କିନ୍ତୁ ଅଧିକ ଟିକାକରଣ ଦ୍ବାରା ହିଁ ତୃତୀୟ ଲହରକୁ ମୁକାବିଲା କରି ହେବ।

ସମ୍ବନ୍ଧିତ ଖବର