ଆଉ ୫୯ ମୃତ୍ୟୁ ଘୋଷଣା, ବଳକା ମୃତ୍ୟୁ ବଢ଼ାଉଛି ଦୈନିକ ମୃତ୍ୟୁ ସଂଖ୍ୟା

ଭୁ‌ବନେଶ୍ବର : ରାଜ୍ୟରେ କରୋନାର ବଳକା ମୃତ୍ୟୁ ପାଇଁ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ମୃତ୍ୟୁର ସମୀକ୍ଷା କରାଯାଇ ତାହାର ଘୋଷଣା ଜାରି ରହିଛି। ଦିନକରେ ୫୯ଜଣ କରୋନାରେ ପ୍ରାଣ ହରାଇଥିବା‌ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି, ଯାହାକି ଆଜି ପର୍ଯ୍ୟନ୍ତ ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା। ରାଜ୍ୟରେ ଆହୁରି ଶତାଧିକ ‌ମୃତ୍ୟୁର ସମୀକ୍ଷା ଜାରି ରହିଥିବାରୁ ଦୈନିକ ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଚଳିତମାସ ଶେଷ ସୁଦ୍ଧା କୋଭିଡ ମୃତ୍ୟୁର ସମୀକ୍ଷା କାର୍ଯ୍ୟ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୪୩୫୮ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଖୋର୍ଧାରେ ସର୍ବାଧିକ ୭୧୦ଜଣଙ୍କ କରୋନାରେ ଜୀବନ ଯାଇଛି। ରାଜ୍ୟର କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର୍‌ ୦.୪୬ ପ୍ରତିଶତ ରହିଛି। ଆଜି ଘୋଷଣା ହୋଇଥିବା ୫୯ ମୃତକଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୧୦, ବରଗଡ଼, ‌ଢେଙ୍କାନାଳ, ପୁରୀରେ ୫ ଲେଖାଏଁ, ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼, ଗଞ୍ଜାମରେ ୪ ଲେଖାଏଁ, ନବରଙ୍ଗପୁର, କେନ୍ଦ୍ରାପଡ଼ା, କଳାହାଣ୍ଡିରେ ୩ ଲେଖାଏଁ, କଟକ, ଯାଜପୁର, ମୟୂରଭଞ୍ଜରେ ୨ ଲେଖାଏଁ, କୋରାପୁଟ, ଜଗତସିଂହପୁର ଓ ଅନୁଗୁଳରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି।

ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଅଢ଼େଇ ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୦୨ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ସଂକ୍ରମଣ ହାର ୩.୪୯ ପ୍ରତିଶତକୁ ଖସି ଆସିଛି। ଖୋର୍ଧାରେ ସର୍ବାଧିକ ୫୨୯ଜଣ ଚିହ୍ନଟ ହୋଇଛନ୍ତି। ଏହାସହ କଟକରେ ୩୯୭, ଯାଜପୁର ୧୮୩, ପୁରୀ ୧୭୪, ବାଲେଶ୍ବର ୧୬୪, ମୟୂରଭଞ୍ଜ ୧୪୧, ଅନୁଗୁଳ ୯୯, ଭଦ୍ରକ ୯୫, ଢେଙ୍କାନାଳ ୯୩, ଜଗତସିଂହପୁର ୯୧, କେନ୍ଦୁଝର ୭୨ ଓ ଷ୍ଟେଟ୍‌ ପୁଲରୁ ୧୦୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୪ଟି ଜିଲ୍ଲାରେ ଶହେରୁ କମ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୨୯ହଜାର ୭୮୮କୁ ବୃଦ୍ଧି ପାଇଛି। ରାଜ୍ୟର ହରାହାରି ସାମଗ୍ରିକ ସଂକ୍ରମଣ ହାର ୪ ପ୍ରତିଶତ ତଳେ ଥିବା ବେଳେ କଟକ ୬.୯, ଯାଜପୁର ୬.୨, ମୟୂରଭଞ୍ଜ ୫.୫, ନୟାଗଡ଼ ୫.୪, ଢେଙ୍କାନାଳ ୫.୧ ଓ ଖୋର୍ଧା ଜିଲ୍ଲାରେ ୪.୮ ପ୍ରତିଶତ ରହିଛି। ୧୦ଟି ଜିଲ୍ଲାରେ ୧ ପ୍ରତିଶତରୁ କମ୍ ସଂକ୍ରମଣ ହାର ରହିଛି।

ବୁଧବାର ରାଜ୍ୟରେ ୨୯୨୦ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୨୮୨କୁ ବୃଦ୍ଧି ପାଇଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୫,୦୯୫କୁ ଖସି ଆସିଛି। ଗତ ଏପ୍ରିଲ ମାସ ତୃତୀୟ ସପ୍ତାହରେ ପ୍ରାୟ ୨୫ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଥିଲେ।

ସମ୍ବନ୍ଧିତ ଖବର