ଓଡ଼ିଶାରେ କରୋନା ମୃତ୍ୟୁ ୫ ହଜାର ଟପିଲା

୨୦୨୦ରେ ମୃତ୍ୟୁସଂଖ୍ୟା ଥିଲା ୧୮୭୬, ୨୦୨୧ରେ ୩୧୮୨ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ

ଭୁବନେଶ୍ବର : ଓଡ଼ିଶାରେ ଏବେ ଦୈନିକ କରୋନା ମୃତ୍ୟୁ ଆଉ ୫୦ ତଳକୁ ଖସୁନାହିଁ। ରବିବାର ଆଉ ୬୬ଜଣଙ୍କର ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯିବା ପରେ ମୋଟ୍ ମୃତ୍ୟୁସଂଖ୍ୟା ୫ ହଜାର ଅତିକ୍ରମ କରି ୫୦୫୮ରେ ପହଞ୍ଚିଛି। ଏହା ସାରା ଦେଶର ମୋଟ୍‌ କରୋନା ମୃତ୍ୟୁର ୧.୨୨%। ଜୁଲାଇ ୫ତାରିଖରୁ ରାଜ୍ୟ ସରକାର ଦୈନିକ ମୃତ୍ୟୁ ସଂଖ୍ୟା ୫୦ରୁ ଅଧିକ ଦର୍ଶାଉଥିବାରୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ହଠାତ୍ ବଢ଼ିଯାଇଛି। କରୋନା ଆକ୍ରାନ୍ତଙ୍କ ଦୃଷ୍ଟିରୁ ଓଡ଼ିଶା ସାରା ଦେଶରେ ୧୧ତମ ସ୍ଥାନରେ ଥିବା ବେଳେ ମୋଟ୍‌ ମୃତ୍ୟୁରେ ୧୮ତମ ସ୍ଥାନରେ ରହିଛି।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ୨୦୨୦ ଏପ୍ରିଲରେ ହୋଇଥିବା ବେଳେ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ୧୮୭୬ଜଣ ପ୍ରାଣ ହରାଇଥିଲେ। କିନ୍ତୁ ଗତ ଜାନୁଆରିରୁ ଆଜିସୁଦ୍ଧା ୩୧୮୨ଜଣଙ୍କର ମୃତ୍ୟୁ ହେଲାଣି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୯୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେବଗଡ଼ରେ ସବୁଠୁ କମ୍‌ ୩୫ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସୁଦ୍ଧା ଦୈନିକ ମୃତ୍ୟୁ ସର୍ବାଧିକ ୬୮ ରହିଛି।

shutterstock.com

କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟବାସୀ ଭୟଭୀତ ହୋଇଛନ୍ତି। ଏସଂପର୍କ‌େର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏବେ ଯେଉଁ ମୃତ୍ୟୁ ଦର୍ଶାଯାଉଛି ତାହା ଏବେର ନୁ‌‌ହେଁ। ପୂର୍ବରୁ ଯେଉଁ ସବୁ ମୃତ୍ୟୁ ହୋଇଛି, ତାହାର ଅଡିଟ୍ କରାଯାଉଛି। ରିପୋର୍ଟ ଆସିବା ପରେ କରୋନା ମୃତ୍ୟୁ ଘୋଷଣା କରାଯାଉଛି। ଏହି କାରଣରୁ ମୃତ୍ୟୁସଂଖ୍ୟା ଅଧିକ ହେଉଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ।

ରବିବାର ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ରହିଛି। ଖୋର୍ଦ୍ଧା ସବୁଠୁ ଆଗରେ ରହିଛି। ଖୋର୍ଦ୍ଧାରେ ୮୯୭, ସୁନ୍ଦରଗଡ଼ରେ ୪୪୦, ଗଞ୍ଜାମରେ ୪୧୬, କଟକରେ ୩୧୧, ପୁରୀରେ ୩୦୪, ବରଗଡ଼ରେ ୨୪୧, ଅନୁଗୁଳରେ ୧୯୮, କଳାହାଣ୍ଡିରେ ୧୯୨, ମୟୂରଭଞ୍ଜରେ ୧୮୪, ବାଲେଶ୍ବରରେ ୧୫୬, ରାୟଗଡ଼ାରେ ୧୫୨, ସମ୍ବଲପୁରରେ ୧୫୦, ନୟାଗଡ଼ରେ ୧୩୯, ଝାରସୁଗୁଡ଼ାରେ ୧୩୬, କେନ୍ଦ୍ରାପଡ଼ାରେ ୧୦୯, ଢେଙ୍କାନାଳରେ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ୧୧ଟି ଜିଲ୍ଲାରେ ୫୦ରୁ ୧୦୦ ମଧ୍ୟରେ ମୃତ୍ୟୁ ହୋଇଛି। ସେଗୁଡ଼ିକ ହେଲା ଗଜପତିରେ ୭୯, କୋରାପୁଟରେ ୬୭, ନବରଙ୍ଗପୁରରେ ୫୩, ନୂଆପଡ଼ାରେ ୭୩, ବଲାଙ୍ଗୀରରେ ୮୮, କନ୍ଧମାଳରେ ୬୧, ବୌଦ୍ଧରେ ୯୬, କେନ୍ଦୁଝରରେ ୯୨, ଭଦ୍ରକରେ ୫୮, ଯାଜପୁରରେ ୫୮, ଜଗତସିଂହପୁରରେ ୮୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦେବଗଡ଼ରେ ସବୁଠୁ କମ୍‌ ୩୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋନପୁରରେ ୪୫ ଏବଂ ମାଲକାନଗିରିରେ ୪୦ଜଣଙ୍କର ମୃତ୍ୟୁ ହୋଇଛି।

ରବିବାର ରାଜ୍ୟରେ ୨୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୪ହଜାର ୩୨୪ରେ ପହଞ୍ଚିଛି। ଏଥିପାଇଁ ୧କୋଟି ୫୦ଲକ୍ଷ ୬୬ହଜାର ୫୦ଟି ପରୀକ୍ଷା ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୯ଲକ୍ଷ ୨୭ହଜାର ୯୨୬ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଟେଷ୍ଟ ପଜିଟିଭିଟି ‌ରେଟ୍‌ (ଟିପିଆର୍‌) ୨.୮୬% ଥିବା ବେଳେ କଟକ ଏକମାତ୍ର ଜିଲ୍ଲା ଯେଉଁଠି ଟିପିଆର୍ ୫% ଉପରେ ରହିଛି। ଏଠାରେ ଟିପିଆର୍ ୬.୦୭% ରହିଛି।

ସମ୍ବନ୍ଧିତ ଖବର