ପୁଣି ଘୋଷଣା ହେଲା କୋଭିଡ ମୃତ୍ୟୁ: ଦିନକରେ ୩୪୫ ପଜିଟିଭ୍, ୭ ମୃତ

ଭୁବନେଶ୍ବର : ଗତକାଲି ରାଜ୍ୟ ସରକାର କୌଣସି କୋଭିଡ ମୃତ୍ୟୁ ଘୋଷଣା କରି ନ ଥିଲେ। ଫଳରେ କରୋନାର ତୃତୀୟ ଲହରରେ କୋଭିଡ ମୃତ୍ୟୁ ପ୍ରାୟତଃ ଶେଷ ହୋଇ ଯାଇଥିବା ଅନୁମାନ କରାଯାଉଥିଲା। ମାତ୍ର ଗୋଟିଏ ଦିନର ବିରତ ପରେ ରାଜ୍ୟ ସରକାର ପୁଣିଥରେ କୋଭିଡ ମୃତ୍ୟୁ ଘୋଷଣା କରିଛନ୍ତି। ଆଉ ୭ଜଣ କୋଭିଡରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ୯୦୫୨କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ଭାବେ ୫ଶହ ତଳେ ଦେଖିବାକୁ ମିଳିଛି।

ଘୋଷଣା ହୋଇଥିବା ସମସ୍ତ ମୃତକ ବରଗଡ଼ ଜିଲ୍ଲାର। ଯାହାଫଳରେ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୩୫୧କୁ ବୃଦ୍ଧି ପାଇଛି। ଯେହେତୁ ଏସବୁ ମୃତ୍ୟୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନର ହୋଇ ନ ଥିବାରୁ ବଳକା ମୃତ୍ୟୁ ପାଇଁ ପୁଣିଥରେ ମୃତ୍ୟୁ ସଂଖ୍ୟା ସରକାର ଘୋଷଣା କରିଛନ୍ତି। ତେଣୁ ରାଜ୍ୟରେ ଆଗକୁ ମଧ୍ୟ ଏଭଳି ମୃତ୍ୟୁ ଘୋଷଣା ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି। ମାତ୍ର ସରକାର ଯେତିକି କୋଭିଡ ମୃତ୍ୟୁ ସଂଖ୍ୟା ଏ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ମୃତକଙ୍କ ସଂପର୍କୀୟଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୫ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେବଗଡ଼ ଜିଲ୍ଲାରୁ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଯାଜପୁରରୁ ସର୍ବାଧିକ ୫୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ସୁନ୍ଦରଗଡ଼ ୩୯, ଅନୁଗୁଳ ୩୨, ସମ୍ବଲପୁର ୨୯, ଗଜପତି ୨୭, ଖୋର୍ଧା ୨୫, ଗଞ୍ଜାମ, ଝାରସୁଗୁଡ଼ାରୁ ୧୭ଜଣ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୬ଜଣ ଆକ୍ରାନ୍ତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୪ହଜାର ୩୨୩କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୫୮୫ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୭୨ହଜାର ୪୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭୯୦କୁ ଖସି ଆସିଛି।

ସମ୍ବନ୍ଧିତ ଖବର