ଆରମ୍ଭରୁ ଡରାଇଲାଣି ଅଗଷ୍ଟ, ୩ ଦିନରେ ୩୦ରୁ ଅଧିକ ମୃତ୍ୟୁ

୪ ମାସ ପରେ ସ୍ବାଭାବିକ ହେଉଛି ଜୀବନଯାତ୍ରା

କରୋନା ମୃତ୍ୟୁ ୨୦୦ ଟପିଲା
ଦିନକରେ ୧,୩୮୪ ଚିହ୍ନଟ
ରେକର୍ଡ ସଂଖ୍ୟକ ୧,୧୧୯ ସୁସ୍ଥ
ସୁସ୍ଥ ହାର ୬୩ ପ୍ରତିଶତ

ଭୁବନେଶ୍ୱର : ଗତ ଜୁଲାଇ ମାସରେ ୪ଥର କରୋନାରେ ୧୦ରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଅଗଷ୍ଟ ମାସର ପ୍ରଥମ ୩ଦିନ କରୋନା ମୃତ୍ୟୁର ଏଭଳି ଧାରା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ୧୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହେବା ଫଳରେ ରାଜ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚି ଯାଇଛି। ରାଜ୍ୟର ୨୦ଟି ଜିଲ୍ଲାରେ କରୋନା ମୃତ୍ୟୁ ହୋଇ ସାରିଲାଣି। ତେଣୁ ଗତ ମାସ ଅପେକ୍ଷା ଚଳିତ ମାସରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ଅଧିକ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ବାରମ୍ବାର ଲକ୍‌ଡାଉନ୍, ସଟ୍‌ଡାଉନ୍ ଆଦି ପରେ ଆଜିଠାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ପାଖାପାଖି ଚାରିମାସ ପରେ ଲୋକେ ଟିକେ ଆଶ୍ବସ୍ତ ଅନୁଭବ କରୁଛନ୍ତି, ଏଇଥିପାଇଁ ଯେ ସରକାର ଟିକିଏ ସାମଗ୍ରିକ କଟକଣା କୋହଳ କରିଛନ୍ତି। ଏହା ସତ୍ତ୍ବେ କିଛି ଜିଲ୍ଲାରେ ପ୍ରଶାସନ ଏବେ ବି କଟକଣା ରଖିଛି। ଅଗଷ୍ଟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ଓ ବାହାରେ ଛେପ ପକାଇବା ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାସରେ ଯଦି ଅଧିକ ସତର୍କତା ଅବଲମ୍ବନ କରାନଯାଏ, ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି। ଏ ଦୃଷ୍ଟିରୁ କୋହଳ ସ୍ଥିତିରେ ସାଧାରଣ ଲୋକେ ଯେଭଳି ଅଧିକ ସତର୍କତା ଅବଲମ୍ବନ କରିବେ ତାହା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହୋଇଛି। ଏଥିରେ ୧୦ଜଣ କରୋନାରେ ପ୍ରାଣ ହରାଇଥିବା କୁହାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ କୌଣସି ଜଟିଳ ରୋଗ ନଥିଲା। ସେହିପରି ୨ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ରାୟଗଡ଼ାର ୩ଜଣ ଲେଖାଏଁ ରହିଛନ୍ତି।

ଗଞ୍ଜାମରେ କରୋନାରେ ପ୍ରାଣ ହରାଇଥିବା ୨ଜଣଙ୍କ ବୟସ ୫୪ ଥିବା ବେଳେ ଦୁହିଁଙ୍କର ଅନ୍ୟ କୌଣସି ଜଟିଳ ରୋଗ ନ ଥିଲା। ଅନ୍ୟ ୪୮ବର୍ଷର ପୁରୁଷଙ୍କ କେବଳ ମଧୁମେହ ରହିଥିଲା। ରାୟଗଡ଼ାର ୭୦ବର୍ଷର ବୃଦ୍ଧ ସିଓପିଡିରେ ଆକ୍ରାନ୍ତ ଥିବା ବେଳେ ୬୪ ବର୍ଷର ବ୍ୟକ୍ତିଜଣକ ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦ ବହୁଳତାର ଶିକାର ଥିଲେ। ଅନ୍ୟ ୬୧ବର୍ଷର ବ୍ୟକ୍ତିଙ୍କ କୌଣସି ଜଟିଳ ରୋଗ ନ ଥିଲା। ଗଜପତିର ୪୮ବର୍ଷର ପୁରୁଷ ହେପାଟାଇଟିସ୍-ବି ଓ ମଧୁମେହରେ ପୀଡ଼ିତ ଥିବା ବେଳେ ୩୪ବର୍ଷର ଯୁବକଙ୍କ କୌଣସି ଜଟିଳ ରୋଗ ନ ଥିଲା। କଳାହାଣ୍ଡିର ୬୬ବର୍ଷର ପୁରୁଷ ଓ ଖୋର୍ଧା ୬୩ବର୍ଷ ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ କରୋନା ତାଙ୍କ ଜୀବନ ନେଇଛି।

ଏହାବାଦ୍ ଗଞ୍ଜାମ ଜିଲ୍ଲାର ୪୮ବର୍ଷର ମହିଳା ମସ୍ତିଷ୍କରେ ଆଘାତ ଯୋଗୁଁ ପ୍ରାଣ ହରାଇଛନ୍ତି। ସେହିପରି ମାଲକାନଗିରିର ୮୫ବର୍ଷର ବୃଦ୍ଧ ଜଟିଳ କିଡ୍‌ନି ରୋଗରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଅଣ-କୋଭିଡ୍‌ ମୃତ୍ୟୁ ମଧ୍ୟ ୪୧ ଛୁଇଁଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୮ଜଣ ଓ ଗଞ୍ଜାମରେ ୭ଜଣଙ୍କ ଅଣ-କୋଭିଡ୍‌ରେ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩୮୪ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଗଞ୍ଜାମର ସର୍ବାଧିକ ୩୩୧ଜଣ ଥିବା ବେଳେ ଖୋର୍ଧାର ୨୧୧ଜଣ ରହିଛନ୍ତି। କୋରାପୁଟ ୯୭, ସମ୍ବଲପୁର ୯୩, କଟକ ୮୯, ବାଲେଶ୍ବର ୭୯, ଗଜପତି ୬୧, ବଲାଙ୍ଗୀର ୫୧, ସୁନ୍ଦରଗଡ଼ ୪୬, ମାଲକାନଗିରି ୩୯, ରାୟଗଡ଼ା ୩୮, ବରଗଡ଼ ୩୩, ମୟୂରଭଞ୍ଜ ୨୯, ନବରଙ୍ଗପୁର ୨୬, ଭଦ୍ରକ ୨୫, ଜଗତସିଂହପୁର ଓ ନୟାଗଡ଼ରୁ ୨ଜଣ ଲେଖାଏଁ, ପୁରୀ ୧୭, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ୧୧ଜଣ ଲେଖାଏଁ, ଝାରସୁଗୁଡ଼ ୭, ସୋନପୁର ୬, ନୂଆପଡ଼ା ୫ ଓ କଳାହାଣ୍ଡିରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୮୭୩ଜଣ ଓ ସ୍ଥାନୀୟ ଆକ୍ରାନ୍ତ ୫୧୧ଜଣ ରହିଛନ୍ତି।

Newskarnataka.com

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭ରେ ପହଞ୍ଚିଛି। ଗଞ୍ଜାମରେ ୧୧୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୪୯୧୪, କଟକ ୨୩୩୭, ଗଜପତି ୧୬୬୨, ସୁନ୍ଦରଗଡ଼ ୧୫୫୭, ଯାଜପୁର ୧୩୬୩, ରାୟଗଡ଼ା ୧୧୩୨ ଓ ବାଲେଶ୍ବରରେ ୧୦୯୧ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ରହିଛନ୍ତି। ରାଜ୍ୟରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୨୯ରେ ପହଞ୍ଚିଛି। ଯାହାକି ସମୁଦାୟ ସଂକ୍ରମିତଙ୍କ ୨୮.୭ ପ୍ରତିଶତ। ଅପରପକ୍ଷରେ ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୨୪୮୮୪ ରହିଛି।

ଆଜି ରାଜ୍ୟରେ ସର୍ବାଧିକ ସଂଖ୍ୟକ ୧୧୧୯ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଯାହାକି ଏ ପର୍ଯ୍ୟନ୍ତ ରେକର୍ଡ। ସୁସ୍ଥ ରୋଗୀଙ୍କ ମଧ୍ୟରେ ଗଞ୍ଜାମ ୩୫୪, ଖୋର୍ଧା ୯୭, ଗଜପତି ୮୩, ଯାଜପୁର ୭୦, କେନ୍ଦୁଝର ୫୭, କଟକ ୫୦, ବୌଦ୍ଧ ୪୦, ନୟାଗଡ଼ ୩୭, ରାୟଗଡ଼ା ୩୫, ପୁରୀ ୩୧, ବାଲେଶ୍ବର ୩୦, ମୟୂରଭଞ୍ଜ ୨୯, ଭଦ୍ରକ ୨୮, ଜଗତସିଂହପୁର ୨୭, ଢେଙ୍କାନାଳ ୨୪, ସୁନ୍ଦରଗଡ଼ ୨୨, କନ୍ଧମାଳ ୧୭, ବଲାଙ୍ଗୀର ଓ ସମ୍ବଲପୁର ୧୬ଜଣ ଲେଖାଏଁ, ମାଲକାନାଗରି ୧୫, ନବରଙ୍ଗପୁର ୧୨, କେନ୍ଦ୍ରାପଡ଼ା ୧୧, ଅନୁଗୁଳ ଓ କୋରାପୁଟ ୫ଜଣ ଲେଖାଏଁ, ବରଗଡ଼ ୪, ସୋନପୁର ୩, ଝାରସୁଗଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୩୦୭୩ରେ ପହଞ୍ଚିଛି। ଏବେ ବି ରାଜ୍ୟରେ ୧୨୯୭୫ଜଣ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର