ମୁଣ୍ଡ ନେଉଛି କରୋନା : ଗୋଟିଏ ଦିନରେ ୬ ଜଣଙ୍କ ଜୀବନ ଗଲା

ଗଞ୍ଜାମ ସ୍ଥିତି ସଂଗିନ, ୩ ଜଣଙ୍କୁ ମିଶାଇ ୨୧ ମଲେଣି
ଭୁବନେଶ୍ବର‌ରେ ୨ ଓ ଯାଜପୁରରେ ଜଣେ ମୃତ
କର୍କଟ କେନ୍ଦ୍ରରେ ଆଉ ୩୮ ପଜିଟିଭ୍, ଏସ୍‌ସିବିରେ ୬
ଦିନକରେ ୫୩୯ ଚିହ୍ନଟ, ୨୨୯ ସୁସ୍ଥ ହେଲେ

ଭୁବନେଶ୍ବର/କଟକ/ବରୀ : କ୍ରମଶଃ ଭୀଷଣ ହେଉଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ସହ ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ଲଗାତାର ମୁଣ୍ଡ ବି ଗଡ଼ିବାରେ ଲାଗିଛି। ରାଜ୍ୟର ଦୁଇ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ଗଞ୍ଜାମର ୩ ଓ ଖୋର୍ଧା ଜିଲ୍ଲାର ୨ଜଣ ରୋଗୀ କରୋନାରେ ଆଜି ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଏହାସହ ଜଣେ ବ୍ୟକ୍ତିଙ୍କ ଅଣ କୋଭିଡ୍‌ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଆଜିର ୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି।

ବିଶେଷକରି ଗଞ୍ଜାମ ଜିଲ୍ଲାରେ ସାଂଘାତିକ ସ୍ଥିତି ଉପୁଜିଛି। ଜିଲ୍ଲାରେ ୨ଜଣ ଯୁବକ କରୋନାରେ ପ୍ରାଣ ହରାଇବା ଆତଙ୍କର ବାତାବରଣ ସୃଷ୍ଟି କରିଛି। କେବଳ ମୃତ୍ୟୁ ନୁହେଁ, ଲଗାତାର ଦ୍ବିତୀୟ ଦିନ ଲାଗି ଗଞ୍ଜାମ ଜିଲ୍ଲାରେ ଦିନକୁ ୨ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳସ୍ବରୂପ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା ୨ହଜାର ପାର୍ କରିଛି। ଜିଲ୍ଲାର ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସାଂଘାତିକ ଆଡ଼କୁ ଗତି କରୁଛି। ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଘୋଷଣା ହୋଇନାହିଁ; ମାତ୍ର ଯେଉଁଭଳି ଭାବେ ଜିଲ୍ଲାରେ ପଜିଟିଭ୍ ଓ ମୃତ୍ୟୁ ବଢ଼ି ଚାଲିଛି ତାହା ଏଭଳି ଆଶଙ୍କାକୁ ବଢ଼ାଇ ଦେଇଛି। ରାଜ୍ୟରେ ଗତ ୨୪ଘଣ୍ଟାରେ ୪୯୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଆଉ ୨୨୯ ରୋଗୀ ସୁସ୍ଥ ହୋଇଥିବା ଅପରାହ୍ନରେ ସୂଚନା ଦିଆଯାଇଛି।

The Indian Express

ସବୁଠାରୁ ଚିନ୍ତାଜନକ କଥା ହେଲା, ଗଞ୍ଜାମରେ ଆଜି ୩ ମୃତକଙ୍କ ମଧ୍ୟରେ ୨୭ ଓ ୩୫ବର୍ଷର ଦୁଇ ଜଣ ଯୁବକ ରହିଛନ୍ତି। ସେମାନଙ୍କ ମୃତ୍ୟୁର କାରଣ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନାହିଁ। ସେହିପରି ୫୦ବର୍ଷର ଜଣେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଗଞ୍ଜାମରେ ୨୧ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଏହାବାଦ୍ ଭୁବନେଶ୍ବରରେ ୫୧ ବର୍ଷର ଜଣେ ଯକ୍ଷ୍ମାରେ ପୀଡ଼ିତ ଓ ଅନ୍ୟ ଜଣେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ୬୪ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ଅଶ୍ବିନୀ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିବା ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବରୀ ବ୍ଲକ ଅଙ୍ଗାଳୋ ପଞ୍ଚାୟତର ଢିହବାରିଂ ଗ୍ରାମର ବୋଲି ଜଣାପଡ଼ିଛି। ସେ ମହାରାଷ୍ଟ୍ରରେ ପାଣିପାଇପ୍ କାମ କରୁଥିଲେ। ‌ଗତ ମାସ ୧୬ ତାରିଖରେ ସେ ଟ୍ରେନରେ ଫେରୁଥିବା ବେଳେ ବାଟରେ ଅସୁସ୍ଥ ହୋଇପଡ଼ିଥିଲେ। ଓଡ଼ିଶାରେ ପହଞ୍ଚିବା ପରେ ଏକ କାର ଯୋଗେ ବରୀକୁ ଆସିଥିଲେ। ଅସୁସ୍ଥ ଥିବାରୁ ତାଙ୍କୁ ପ୍ରଥମେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଯାଜପୁର ଏନସି କଲେଜ ଠାରେ ଥିବା ଅସ୍ଥାୟୀ କୋଭିଡ଼ ହସପିଟାଲକୁ ପଠାଇ ଦିଆଯାଇଥିଲା। ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପରଦିନ କଳିଙ୍ଗନଗର ଟାଟା କୋଭିଡ଼ ହସପିଟାଲ ଓ ପରେ ଅଶ୍ବନୀ କୋଭିଡ଼ ହସପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସିଡିଏମଓ ସୁଧାଂଶୁଶେଖର ବଳଙ୍କ କହିବା ଅନୁଯାୟୀ ଆଜି ଖାନନଗର ଇଲେକ୍ଟ୍ରି ଚୁଲାରେ ସମସ୍ତ ନିୟମକୁ ମାନି ପୁଲିସ ଉପସ୍ଥିତିରେ କଟକ ମହାନଗର ନିଗମ ପକ୍ଷରୁ ତାଙ୍କର ଦାହ ସଂସ୍କାର କରାଯାଇଛି।

ଅନ୍ୟପକ୍ଷରେ କଟକ ଜିଲ୍ଲାରେ ଆଜି କରୋନା ପଜିଟିଭ ଥିବା ଜଣେ ୬୦ବର୍ଷର ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତେବେ ଏହି ବ୍ୟକ୍ତି ଟର୍ମିନାଲ ଗଲ୍‌ ବ୍ଲାଡର କର୍କଟ ଓ ଜଣ୍ଡିସ୍‌ରେ ପୀଡ଼ିତ ଥିଲେ। ତାଙ୍କର ପ୍ରାଥମିକ ମୃତ୍ୟୁର କାରଣ କରୋନା ନ ଥିବାରୁ ତାଙ୍କର ଅଣ କୋଭିଡ୍‌ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟରେ ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୯ଜଣଙ୍କର ଏଭଳି ମୃତ୍ୟୁ ହେଲାଣି। ‌

ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାକୁ ବସିଛି। ଗତକାଲି ୫୬୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪୯୫ଜଣ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ତେବେ ସନ୍ଧ୍ୟାରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ ୩୮ ଜଣ ଓ ଏସ୍‌ସିବିରୁ ୬ ଜଣ କରୋନା ଚିହ୍ନଟ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେବାରୁ ମୋଟ ଆକ୍ରାନ୍ତ ସଂଖ୍ୟା ୫୩୯ ଛୁଇଁଛି। କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ ୧୧ ଜଣ କର୍କଟ ରୋଗୀ ହୋଇଥିବା ବେଳେ ୨୫ ଜଣ ରୋଗୀଙ୍କ ସଂପର୍କୀୟ ଓ ୨ ଜଣ ସୁରକ୍ଷା କର୍ମୀ ରହିଛନ୍ତି। ଆକ୍ରାନ୍ତ ମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଉଛି। ଏହାକୁ ମିଶାଇ କର୍କଟ କେନ୍ଦ୍ରରୁ ଆକ୍ରାନ୍ତ ସଂଖ୍ୟା ୧୧୪ରେ ପହଞ୍ଚିଛି।

Childrens Choice Therapy

‌ଅନ୍ୟପକ୍ଷରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୧୬ଜଣ ରହିଛନ୍ତି। ଏହାସହ କଟକର ୫୭, ଖୋର୍ଧା ୫୦, ସୁନ୍ଦରଗଡ଼ ୩୬, ମୟୂରଭଞ୍ଜ ୨୮, ଅନୁଗୁଳ ୨୪, ବାଲେଶ୍ବର ୧୩ଜଣ , ଜଗତସିଂହପୁର ଓ ଭଦ୍ରକରେ ୧୨ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ୧୧ଜଣ ଲେଖାଏଁ, କନ୍ଧମାଳ ୮, ଗଜପତି ୭, ସମ୍ବଲପୁର ୬, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରୁ ୫ଜଣ ଲେଖାଏଁ, ସୋନପୁର, ବରଗଡ଼ରୁ ୨ଜଣ ଲେଖାଏଁ, ଯାଜପୁର, ନୟାଗଡ଼, ଢେଙ୍କାନାଳରୁ ‌ଜଣେ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୪୦ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରେ କରୋନା ସଂଖ୍ୟା ୧ହଜାର ନିକଟତର ହୋଇଛି।

ଆଜି ରାଜ୍ୟରେ ୨୨୯ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୯୧ଜଣ ଗଞ୍ଜାମ ଜିଲ୍ଲାର ଅଛନ୍ତି। ଏହାବାଦ୍ ଖୋର୍ଧା ୨୯, ଗଜପତି ୨୬, ଝାରସୁଗୁଡ଼ା ୧୫, ବଲାଙ୍ଗୀର ୧୨, ଜଗତସିଂହପୁର ଓ ମୟୂରଭଞ୍ଜ ୧୧ଜଣ ଲେଖାଏ, ଯାଜପୁର ୮, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୫, କଟକ ଓ ସୁନ୍ଦରଗଡ଼ରୁ ୪ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ଼ରୁ ୩ଜଣ ଲେଖାଏଁ ଓ ବରଗଡ଼ରୁ ଜଣେ ରୋଗୀ ରହିଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୫୯୩୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର

Comments are closed.