ପ୍ରତି ୧୦ ଲକ୍ଷରେ ୨୩ ମୃତ୍ୟୁ, ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ୧୧ଶହ ଟପିଲା

ଦିନକରେ ୨୧୩୮ ପଜିଟିଭ୍, ୧୫ ମୃତ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତି ୧୦ଲକ୍ଷ ‌ଜନସଂଖ୍ୟାରେ ୨୩ଜଣ କରୋନାରେ ପ୍ରାଣ ହରାଉଛନ୍ତି। ଜାତୀୟସ୍ତରରେ ପ୍ରତି ୧୦ ଲକ୍ଷରେ ୮୧ ଜଣଙ୍କ ମୃତ୍ୟୁ ହେଉଛି। ତେଣୁ କରୋନା ମୃତ୍ୟୁରେ ଓଡ଼ିଶା ଜାତୀୟ ହାରଠାରୁ କମ୍ ରହିଛି। ଓଡ଼ିଶାର ମୃତ୍ୟୁ ସଂଖ୍ୟା ଉପରେ ୧୩ଟି ରାଜ୍ୟ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଓଡ଼ିଶାରେ କରୋନା ସଂକ୍ରମଣ ଆରମ୍ଭ ହେବାର ପ୍ରାୟ ୭ମାସ ପରେ ମଧ୍ୟ କମ୍ ସଂଖ୍ୟକ କରୋନା ମୃତ୍ୟୁ ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କେସ୍ ଫାଟାଲିଟ୍‌ ରେଟ୍‌ ବା ସିଏଫ୍‌ଆର ୦.୪ ପ୍ରତିଶତ ରହିଛି, ଯାହାକି ଦେଶର ଅନ୍ୟ ସର୍ବାଧିକ ସଂକ୍ରମିତ ରାଜ୍ୟ ତୁଳନାରେ କମ୍।

ଅପରପକ୍ଷରେ ଓଡ଼ିଶାରେ କରୋନା ମୃତ୍ୟୁ ଆଜି ୧୧ଶହ ଟପିଛି। ଆଜି ୧୫ଜଣଙ୍କ କରୋନାରେ ମୃତ୍ୟୁ ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ସର୍ବାଧିକ ୨୨୫ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧା ୧୮୬, କଟକ ୯୬, ପୁରୀ ୭୩, ବାଲେଶ୍ବର ୬୧, ସୁନ୍ଦରଗଡ଼ ୫୪, ରାୟଗଡ଼ାରୁ ୪୦ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୮,୫୭୨ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଏହା ଗତ କିଛିଦିନ ଭିତରେ ସବୁଠାରୁ କମ୍। ତହିଁରୁ ୨୧୩୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ସାଢ଼େ ୫ ପ୍ରତିଶତ ରହିଛି। ଖୋର୍ଧାରୁ ସର୍ବାଧିକ ୩୬୧ ପଜିଟିଭ୍ ଚିହ୍ନଟ ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୫,୪୦୨କୁ ବୃଦ୍ଧି ପାଇଛି। ଏହାବାଦ୍ କଟକ ୧୫୬, ଅନୁଗୁଳ ୧୫୧, ସୁନ୍ଦରଗଡ଼ ୧୩୭, ମୟୂରଭଞ୍ଜ ୧୧୯, ସୋନପୁର ୮୦, ପୁରୀ ଓ ବରଗଡ଼ରେ ୭୩ ଲେଖାଏଁ,‌ କେନ୍ଦ୍ରାପଡ଼ା ୭୨, ଯାଜପୁର ୭୧, ଜଗତ୍‌ସିଂହପୁର ୬୬, ଷ୍ଟେଟ୍‌ ପୁଲ ୬୨, ବାଲେଶ୍ବର ୫୭, ମାଲକାନଗିରି ୫୫, ସମ୍ବଲପୁର ୫୩, କଳାହାଣ୍ଡି ୫୧, କେନ୍ଦୁଝର ୪୬, ନୂଆପଡ଼ା ୪୧, ଢେଙ୍କାନାଳ ଓ କୋରାପୁଟ ୩୮ ଲେଖାଏଁ, କନ୍ଧମାଳ ୨୪, ବୌଦ୍ଧ ୨୧, ଗଞ୍ଜାମ ୧୮, ଦେବଗଡ଼ ୯ ଓ ଗଜପତିରୁ ୮ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ରୋଗୀ ସଂଖ୍ୟା ୨ଲକ୍ଷ ୬୪ହଜାର ୧୪୯କୁ ବୃଦ୍ଧି ପାଇଛି।

ଆଜି ୨୮୫୦ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୪୧ହଜାର ୩୮୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧,୬୦୭କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୫୬୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର