କୋଭିଡ୍‌ ମୃତ୍ୟୁର ମୁକସାକ୍ଷୀ ଗିରଳ ଶ୍ମଶାନ: ଦାହ ହେଲେଣି ୨୫୦, ତାଲିକାରେ ୧୦୭

ସିଡିଏମଓଙ୍କ ପାଖରେ ନାହିଁ ତଥ୍ୟ, ମୃତ୍ୟୁ ସଂଖ୍ୟା ଗୋଳିଆ

ପୁରୀ : ପୁରୀ ଜିଲ୍ଲାରେ କୋଭିଡ୍‌ ମୃତ୍ୟୁସଂଖ୍ୟାରେ ତାଳମେଳ ନ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କାରଣ ପୁରୀର ଗିରଳ ଶ୍ମଶାନରେ ଚଳିତବର୍ଷ ଏପ୍ରିଲରୁ ଏ ଭିତରେ ୨୫୦ଟି ଶବଦାହ ସରିଲାଣି। କିନ୍ତୁ ରାଜ୍ୟ ସରକାରଙ୍କ କୋଭିଡ୍‌ ପୋର୍ଟାଲ୍‌ ଦର୍ଶାଉଛି କି କୋଭିଡ୍‌ ମହାମାରୀ ଆରମ୍ଭରୁ ଆଜି ସୁଦ୍ଧା ଅର୍ଥାତ୍‌ ଦୁଇବର୍ଷରେ ୨୧୫ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଛି।

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ବର୍ଗଦ୍ବାରରେ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଓ ବାହାର ଜିଲ୍ଲାର ବ୍ୟକ୍ତିଙ୍କ ଶବଦାହରେ କଟକଣା ଲଗାଯାଇଛି। ଏଣୁ ଜିଲ୍ଲାର କୋଭିଡ୍‌ ଆକ୍ରାନ୍ତଙ୍କ ଶବ ପ୍ରତିଦିନ ପୁରୀ ମଙ୍ଗଳା ମୁହାଣଠାରେ ଥିବା ଗିରଳ ଶ୍ମଶାନରେ ଦାହ କରଯାଉଛି। ଏହାକୁ କୋଭିଡ୍‌ ଶ୍ମଶାନ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଏହିଠାରେ କେଉଁଦିନ ୫ଟି ତ କେଉଁଦିନ ୮ଟି ଶବଦାହ ହେଉଛି। ଯାହା କୋଭିଡ୍‌ ମୃତ୍ୟୁର ଅସଲ ଚିତ୍ରକୁ ପଦାକୁ ଆଣିଛି। ଗତ ଏପ୍ରିଲ ୧୬ ତାରିଖରୁ ଏଠାରେ ଶବଦାହ ଜାରି ରହିଛି। ଏପ୍ରିଲ ୧୬ ତାରିଖରୁ ନଜର ପକାଇଲେ ଆଜି ସୁଦ୍ଧା କୋଭିଡ୍‌ର ଦ୍ବିତୀୟ ଲହରୀରେ ଜିଲ୍ଲାର ୨୫୦ ଜଣଙ୍କ ଶବ ଗିରଳ କୋଭିଡ୍‌ ଶ୍ମଶାନରେ ଦାହ ହେଲାଣି। କେବଳ ଏପ୍ରିଲ ମାସରେ ଦୈନିକ ଦୁଇରୁ ତିନିଜଣଙ୍କ ଶବ ଗିରଳ ଶ୍ମଶାନରେ ଦାହ କରାଯାଇଛି। କ୍ରମେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। ମେ ମାସରେ ଦୈନିକ ୫ରୁ ୮ଜଣଙ୍କ ଶବଦାହ କରାଯାଇଥିଲା। ଏପ୍ରିଲ ୧୬ରୁ ମେ ୨୨ ଭିତରେ ଅର୍ଥାତ୍‌ ମାତ୍ର ୩୭ ଦିନରେ ଗିରଳ କୋଭିଡ୍‌ ଶ୍ମଶାନରେ ୧୨୯ ଜଣଙ୍କ ଶବ ଦାହ କରାଯାଇଥିଲା। ଆଜି ତାରିଖରେ ଶବଦାହ ଉପରେ ନଜର ପକାଇଲେ ମେ ୨୨ରୁ ଜୁନ୍‌ ୨୪ ଭିତରେ ଅର୍ଥାତ୍‌ ପ୍ରାୟ ମାସେ ଭିତରେ ଆଉ ୧୨୧ ଜଣଙ୍କ ମୃତଦେହ ଗିରଳ କୋଭିଡ୍‌ ଶ୍ମଶାନରେ ଦାହ ସରିଲାଣି। ଯାହା କୋଭିଡ୍‌ର ଉଦ୍‌ବେଗଜନକ ସ୍ଥିତିକୁ ପ୍ରତିପାଦିତ କରୁଛି।

ଯେଉଁଠି ଗତ ମାସକ ଭିତରେ ୧୨୧ ଜଣଙ୍କ ଶବ କୋଭିଡ୍‌ ଶ୍ମଶାନରେ ଦାହ ସରିଲାଣି, ସେଠି ସ୍ବାସ୍ଥ୍ୟ ବିଭାଗ ପୁରୀ ଜିଲ୍ଲାରେ କୋଭିଡ୍‌ର ଦ୍ବିତୀୟ ଲହରୀରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଛି। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି ଓ କୋଭିଡ୍‌ ଶ୍ମଶାନରେ ‌ଯେତିକି ସଂଖ୍ୟାରେ ଶବଦାହ ହେଉଛି, ସେଥିରେ ଆକାଶ-ପାତାଳ ଫରକ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି କି କେଉଁଠି ‌ନା କେଉଁଠି ମୃତ୍ୟୁ ତଥ୍ୟକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। କୋଭିଡ୍‌ରେ ମରିଥିବା ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ତଥ୍ୟକୁ ସରକାର ଚପାଇ ରଖିଥିବା ଅଭିଯୋଗ ଉଠିଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି କି କୋଭିଡ୍‌ ମୃତ୍ୟୁ ଓ ଅନ୍ୟାନ୍ୟ ମୃତ୍ୟୁର ଦୈନିକ ତଥ୍ୟ ଆମେ ରାଜ୍ୟ ସରକାରଙ୍କୁ ଦେଇଥାଉ। ପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥାନ୍ତି କି କାହାର କୋଭିଡ୍‌ରେ ମୃତ୍ୟୁ ହୋଇଛି ଓ ଆଉ କାହାର ଅଣକୋଭିଡ୍‌ ମୃତ୍ୟୁ। ସେ ତଥ୍ୟ ଆମ ପାଖରେ ରୁହେନି। ଆମେ ଏ ସଂପର୍କିତ କୌଣସି ତଥ୍ୟ ଜାଣିନୁ ବୋଲି ସିଧାସଳଖ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମିଶ୍ର। କୋଭିଡ୍‌ ପରିଚାଳନାରେ ପ୍ରମୁଖ ଦାୟିତ୍ବ ନିର୍ବାହ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଏଭଳି ଉତ୍ତର ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି।

ସମ୍ବନ୍ଧିତ ଖବର