ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାକୁ ଆସିଛି କୋଭିଡ୍ ମହାମାରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଦିନ ତଳେ ପ୍ରକାଶିତ ହୋଇଥିବା ସିଭିଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (ସିଆର୍ଏସ୍) ରିପୋର୍ଟରେ ୨୦୨୦ ତୁଳନାରେ ୨୦୨୧ରେ ଓଡ଼ିଶାରେ ଅଧିକ ୭୦ ହଜାର ମୃତ୍ୟୁ ହୋଇଥିବା କୁହାଯାଇଛି। ଯାହାକି ରାଜ୍ୟ ସରକାର ସେହିବର୍ଷ ଘୋଷଣା କରିଥିବା କୋଭିଡ୍ ମୃତ୍ୟୁଠାରୁ ୧୨ ଗୁଣା ଅଧିକ। କୋଭିଡ୍ ସମୟରେ ରାଜ୍ୟ ସରକାର ଏହି ରୋଗରେ ହେଉଥିବା ମୃତ୍ୟୁକୁ ଚାପି ରଖୁଥିବା ନେଇ ବିଭିନ୍ନ ସ୍ତରରେ ଅଭିଯୋଗ ହେଉଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଉକ୍ତ ଅଭିଯୋଗକୁ ଆହୁରି ବଳ ମିଳିଛି। ୨୦୨୦ ମସିହାରେ ଓଡ଼ିଶାରେ ୩୬ ଲକ୍ଷ ୨ ହଜାର ୯୮୨ କୋଭିଡ୍ ମୃତ୍ୟୁ ପଞ୍ଜୀକୃତ ହୋଇଥିଲା। ୨୦୨୧ରେ ଏହା ବୃଦ୍ଧି ପାଇ ୪୩ ଲକ୍ଷ ୯ ହଜାର ୭୨୬ରେ ପହଞ୍ଚିଥିଲା। ଯଦି ରାଜ୍ୟ ସରକାରଙ୍କ କୋଭିଡ୍ ମୃତ୍ୟୁକୁ ହିସାବକୁ ନିଆଯାଏ, ତା’ ହେଲେ ୨୦୨୧ ମସିହା ମହାମାରୀରେ ୬୨୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ଘୋଷଣା କରିଥିଲେ। ସରକାରଙ୍କ କୋଭିଡ୍ ମୃତ୍ୟୁ ଘୋଷଣା ଓ ସିଆରଏସ୍ରେ ଅତିରିକ୍ତ ମୃତ୍ୟୁ ପଞ୍ଜୀକରଣରେ ଏକ ବଡ଼ ବ୍ୟବଧାନ ରହିଛି। ଓଡ଼ିଶା ସମେତ ଦେଶରେ କ୍ରମାଗତ ଭାବେ କୋଭିଡ୍ ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବା ବେଳେ ହଠାତ୍ ଏହି ବର୍ଷଗୁଡ଼ିକରେ ଯେଉଁ ଅତିରିକ୍ତ ମୃତ୍ୟୁ ହୋଇଛି, ତାହା କୋଭିଡ୍ ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
୨୦୨୧ରେ ୬୨୧୬ କୋଭିଡ୍ ମୃତ୍ୟୁ
ସରକାରଙ୍କ ଘୋଷଣାଠୁ ୧୨ ଗୁଣା ଅଧିକ
ସେହିପରି ୨୦୨୧ ମସିହାରେ ମୃତ୍ୟୁର ୯ଟି ପ୍ରମୁଖ କାରଣକୁ ଡାକ୍ତରୀ ଚିକିତ୍ସା ପ୍ରମାଣପତ୍ର (ଏମ୍ସିସିଡି)ରେ ଦର୍ଶାଯାଇଛି। ଏଥିରେ ପ୍ରଥମରେ ସର୍କୁଲାରି ସିଷ୍ଟମ୍ (ହୃଦ୍ଘାତ ସଂପର୍କିତ) ଓ ଦ୍ବିତୀୟରେ ରହିଛି କୋଡ୍ସ ଫର୍ ସ୍ପେସିଆଲ୍ ପର୍ପୋଜେସ୍, ଯାହାକୁ କୋଭିଡ୍ ମହାମାରୀ ବୋଲି କୁହାଯାଇଥିଲା। ଦେଶବ୍ୟାପୀ ଏଥିରେ ୧୭% ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଏହା ରହିଥିଲା ୧୧ ପ୍ରତିଶତ। ୫୫-୬୪ ବର୍ଗର ସର୍ବାଧିକ ୨୪% ଲୋକ କୋଭିଡ୍ରେ ପ୍ରାଣ ହରାଇଥିଲେ। ୪୫-୫୪ ବର୍ଷର ୧୮% ଓ ୬୫-୬୯ ବର୍ଷର ୧୩% ଲୋକ କୋଭିଡ୍ରେ ପ୍ରାଣ ହରାଇଥିବା ଏମ୍ସିସିଡି ରିପୋର୍ଟରେ କୁହାଯାଇଛି। ଏମ୍ସିସିଡିରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ରହିଛି। ଗୋଆରେ ଶତ ପ୍ରତିଶତ ଏମ୍ସିସିଡି ହେଉଥିବା ବେଳେ ଓଡ଼ିଶାରେ ୨୦୨୧ ମସିହାରେ ମାତ୍ର ୧୮% ହୋଇଥିବା ସିଆରଏସ୍ରେ କୁହାଯାଇଛି। ତେଣୁ ଘରେ ଯେଉଁ ମୃତ୍ୟୁ ହେଉଛି, ସଂପୃକ୍ତ ବ୍ୟକ୍ତି ଜଣକ କେଉଁ ରୋଗରେ ପ୍ରାଣ ହରାଇଲେ ତାହାର କୌଣସି ରେକର୍ଡ ରହୁନାହିଁ।
ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ରାମଚନ୍ଦ୍ର ରାଉତଙ୍କ କହିବାନୁଯାୟୀ, ଜଣେ ରୋଗୀଙ୍କୁ ଶେଷ ସମୟରେ ଚିକିତ୍ସା କରିଥିବା ଡାକ୍ତରଙ୍କ ପ୍ରମାଣୀକୃତ ଚିଠା (ସାର୍ଟିଫାଏଡ୍) ଆଧାରରେ ତାହାକୁ ଏମ୍ସିସିଡିରେ ସାମିଲ କରାଯାଇପାରିବ। କିନ୍ତୁ ରାଜ୍ୟରେ ଅନ୍ଲାଇନ୍ ବ୍ୟବସ୍ଥା ସତ୍ତ୍ବେ ଏହି ରିପୋର୍ଟ ଆସୁନାହିଁ। ଯାହାଫଳରେ ଏମ୍ସିସିଡିରେ ଓଡ଼ିଶା ବହୁ ପଛରେ ରହୁଛି। ସ୍ବାସ୍ଥ୍ୟାନୁଷ୍ଠାନରେ ଯେଉଁ ମୃତ୍ୟୁ ହେଉଛି ତାହାର ଶତ ପ୍ରତିଶତ ରିପୋର୍ଟ ସରକାରଙ୍କ ନିକଟକୁ ଆସିବା ଦରକାର। ଘରେ ହେଉଥିବା ପ୍ରତ୍ୟେକ ମୃତ୍ୟୁର ମଧ୍ୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ହୋଇ ରିପୋର୍ଟ ଦେଲେ ସରକାର ଏମ୍ସିସିଡିରେ ଶତ ପ୍ରତିଶତ ସଫଳତା ହାସଲ କରିପାରିବେ ବୋଲି ଡା. ରାଉତ କହିଛନ୍ତି। ଅପରପକ୍ଷରେ କୋଭିଡ୍ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କୋଭିଡ୍ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୨୦ ହଜାରରୁ ଅଧିକ ମୃତକଙ୍କ ପରିବାରକୁ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ କରିଥିଲେ।