ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା : ଦିନକରେ ୧୬ ମୃତ, ୧୫୨୮ ପଜିଟିଭ୍ ଚିହ୍ନଟ, ୧୨୩୬ ସୁସ୍ଥ

ଦିନକରେ କରୋନା ପରୀକ୍ଷା ୧୯ ହଜାର

ଭୁବନେଶ୍ୱର : ରାଜ୍ୟରେ ଦୈନିକ କ‌ରୋନା ସଂକ୍ରମଣରେ ଶୀର୍ଷ ସ୍ଥା‌ନରେ ରହିବା ଲାଗି ଗଞ୍ଜାମ ଓ ଖୋର୍ଧା ଜିଲ୍ଲା ଭିତରେ ପ୍ରତିଯୋଗିତା ଚାଲିଛି। କେଉଁଦିନ ଗଞ୍ଜାମ ଆଗରେ ରହୁଛି ତ ଆଉ କେଉଁଦିନ ଖୋର୍ଧା। ଗତ କିଛିଦିନ ହେବ ଖୋର୍ଧା ଗଞ୍ଜାମକୁ ପଛରେ ପକାଇ ଦେଇଥିବା ବେଳେ ଗତ ୨୪ଘଣ୍ଟାରେ ସଂକ୍ରମଣରେ ଗଞ୍ଜାମ ପୁଣିଥରେ ଶୀର୍ଷ ସ୍ଥାନକୁ ଫେରିଛି। ଯଦିଓ ପଜିଟିଭ୍ ସଂଖ୍ୟାରେ ବିଶେଷ ଫରକ୍ ନାହିଁ, ତଥାପି ଗଞ୍ଜାମରେ ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନ ଥିବା ଏଥିରୁ ସ୍ପଷ୍ଟ ସଂକେତ ଦେଉଛି। ଅପରପକ୍ଷରେ ରାଜ୍ୟରେ ଦିନକରେ ୧୯୦୮୩ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଚଳିତ ମାସରେ ସରକାର ଦୈନିକ ୨୦ ହଜାର ନମୁନା ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରଖିଥିବା ବେଳେ ଗତ ୨୪ଘଣ୍ଟାରେ ୧୯ ହଜାର ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬ଲକ୍ଷ ୬୯ହଜାର ୨୬୬ କୋଭିଡ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ୧୪ଟି କୋଭିଡ୍‌ ନମୁନାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ କେବଳ ୧୪ଜଣ କରୋନାରେ ପ୍ରାଣ ହରାଇଥିବା କୁହାଯାଇଛି। ଏହାସହ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ଜଣ ମୃତକ ରହିଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚିଥିବା ବ‌େଳେ ଅଣ କରୋନା ମୃତ୍ୟୁ ୫୧ ଛୁଇଁଛି। ୧୪ ମୃତକଙ୍କ ମଧ୍ୟରେ ୯ଜଣ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି ଭଳି ଜଟିଳ ରୋଗରେ ଆକ୍ରାନ୍ତ ଥିଲେ। ନୟାଗଡ଼ ଜିଲ୍ଲାର ୩୦ବର୍ଷର ଯୁବକ, ଖୋର୍ଧା ଜିଲ୍ଲାର ୮୨ ଓ ୬୯ ବର୍ଷର ବୃଦ୍ଧ, ଗଞ୍ଜାମର ୭୦ବର୍ଷର ମହିଳା, ୫୦, ୫୦ ଓ ୫୫ବର୍ଷର ପୁରୁଷ, ରାୟଗଡ଼ାର ୪୬ବର୍ଷର ପୁରୁଷ, ସୁନ୍ଦରଗଡ଼ର ୭୨ବର୍ଷର ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ନୟାଗଡ଼ର ୩୪ବର୍ଷର ଯୁବକ, ୭୮ବର୍ଷର ବୃଦ୍ଧ, ଭୁବନେଶ୍ବରର ୮୪ବର୍ଷର ମହିଳା, ଗଞ୍ଜାମର ୮୫ ଓ ୬୫ବର୍ଷର ବୃଦ୍ଧଙ୍କ କୌଣସି ଜଟିଳ ରୋଗ ନ ଥିବା ବେଳେ ଏମାନେ କେବଳ ଭୂତାଣୁର ଶିକାର ହୋଇଛନ୍ତି। ଏହାବାଦ୍ ବାଲେଶ୍ବର ୨୭ବର୍ଷର ଜଣେ ଗର୍ଭବତୀ ପ୍ରାଣ ହରାଇଛନ୍ତି। ତାଙ୍କର ଆମ୍ନିଓଟିକ୍ ଫ୍ଲୁଇଡ୍‌ ଏମ୍ବୋଲିଜମ୍‌ ଭଳି ଏକ ଜଟିଳ ରୋଗ ‌ରହିଥିଲା। ସେହିପରି ସୁନ୍ଦରଗଡ଼ର ୪୫ବର୍ଷର ମହିଳା ଜଣକ ଯକୃତ ରୋଗ ସହିତ ଅନ୍ୟାନ୍ୟ ଜଟିଳ ରୋଗ ରହିଥିଲା। ଗଞ୍ଜାମରେ ସର୍ବାଧିକ ୧୩୭ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ଖୋର୍ଧାରେ ୩୮ଜଣ ପ୍ରାଣ ହରାଇଛନ୍ତି।

India TV

ଗତ ୨୪ଘଣ୍ଟାରେ ରାଜଧାନୀରେ ୧୫୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୨୩୩, ଖୋର୍ଧା ୨୧୮, ସମ୍ବଲପୁର ୧୬୮, ସୁନ୍ଦରଗଡ଼ ୧୨୬, ଢେଙ୍କାନାଳ ୧୦୭, କଟକ ୭୨, ଭଦ୍ରକ ୭୦, କୋରାପୁଟ ୬୭, ବଲାଙ୍ଗୀର ୫୯, ବାଲେଶ୍ବର ୪୩, ମାଲକାନାଗିରି ୩୮, ଯାଜପୁର ୩୩, ନୟାଗଡ଼ ୩୨, କଳାହାଣ୍ଡି ଓ ଗଜପତି ୩୧ ଲେଖାଏଁ, ରାୟଗଡ଼ା ୨୭, ପୁରୀ ୨୬, ନବରଙ୍ଗପୁର ୨୩, ଜଗତସିଂହପୁର ଓ ମୟୂରଭଞ୍ଜରୁ ୨୨ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ା ୧୭ଜଣ ଲେଖାଏଁ, ବରଗଡ଼ ୧୦, ଝାରସୁଗୁଡ଼ା ୯, ଅନୁଗୁଳ ୮, ବୌଦ୍ଧ ୭, କେନ୍ଦୁଝର ଓ ସୋନପୁରରୁ ୫ଜଣ ଲେଖାଏଁ ଓ ନୂଆପଡ଼ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ଜଣ ସଙ୍ଗରୋଧରୁ ଓ ୫୮୦ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୫୫ରେ ପହଞ୍ଚିଛି। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୮୮ରେ ପହଞ୍ଚିଛି।

ଆଜି ରାଜ୍ୟରେ ୧୨୩୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୪୬୧, ଗଞ୍ଜାମ ୧୮୨, ରାୟଗଡ଼ା ୮୩, କନ୍ଧମାଳ ୭୪, ମାଲକାନଗିରି ୫୧, ଅନୁଗୁଳ ୩୯, କୋରାପୁଟ ୩୬, ବାଲେଶ୍ବର ୩୫, ବରଗଡ଼ ୩୪, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୩୨ ଲେଖାଏଁ, ଭଦ୍ରକ ୩୧, ଯାଜପୁର ୨୯, ଗଜପତି ୨୮, ମୟୂରଭଞ୍ଜ ୨୩, ନବରଙ୍ଗପୁର ୧୫, ପୁରୀ ୧୪, କେନ୍ଦ୍ରାପଡ଼ା ୧୦, ବୌଦ୍ଧ ୯, ଝାରସୁଗୁଡ଼ା ୮, ନୟାଗଡ଼ ୬, କଟକ ୩ ଓ କେନ୍ଦ୍ରାପଡ଼ରୁ ଜଣେ ସୁସ୍ଥ ହେଇଛନ୍ତି। ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୩୦୨୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର