କରୋନା ଉଜାଡ଼ିଦେଲା ପଟ୍ଟଚିତ୍ରର ଅନ୍ତୁଡ଼ିଶାଳ : ବରା, ପିଆଜି ବିକୁଛନ୍ତି ଶିଳ୍ପୀ

ଶିଳ୍ପୀ ଗ୍ରାମ ଆଜି ଖାଁ ଖାଁ

ପୁରୀ : ‌ଐତିହ୍ୟ ଗ୍ରାମ ରଘୁରାଜପୁର ପଟ୍ଟଚିତ୍ର ଶିଳ୍ପ ପାଇଁ ଆଜି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପଟ୍ଟଚିତ୍ରର ଅନ୍ତୁଡ଼ିଶାଳ ଏହି ଗାଁ କେବଳ ଜିଲ୍ଲା ତଥା ରାଜ୍ୟର ନାଁ ଉଚ୍ଚା କରିନି, ଭାରତକୁ ବି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଯେଉଁଥିପାଇଁ ପଟ୍ଟଚିତ୍ର ନେବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଦୌଡ଼ି ଆସନ୍ତି। ଏହି ଐତିହ୍ୟ ଗ୍ରାମ ଆଜି ପେଟପାଟଣା ପାଇଁ ସଂଘର୍ଷ କରୁଛି। କରୋନା ମହାମାରୀ ଏମାନଙ୍କ ରୋଜଗାରର ପନ୍ଥା ଛଡ଼ାଇ ନେଇଛି। ଯେଉଁ ପଟ୍ଟଚିତ୍ର ଶିଳ୍ପୀମାନେ ଏକଦା ପଟ୍ଟଚିତ୍ର କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ, ସେମାନେ ଅଣ୍ଡା, ବରା, ପିଆଜି ଆଦି ବିକୁଛନ୍ତି। ଘରେ ଲକ୍ଷ ଲକ୍ଷ ଟଙ୍କାର ପଟ୍ଟଚିତ୍ର ଅଛି ସତ, କିନ୍ତୁ କିଣିବାକୁ ଗ୍ରାହକ ନାହାନ୍ତି।

ପୁରୀ ଜିଲ୍ଲା ଚନ୍ଦନପୁର ନିକଟ ରଘୁରାଜପୁରରେ ୨ଶହରୁ ଅଧିକ ପଟ୍ଟଚିତ୍ର ଶିଳ୍ପୀ ରହିଛନ୍ତି। ଏକଦା ଏଠାକୁ ଶହ ଶହ ପର୍ଯ୍ୟଟକ ଗାଡ଼ିମୋଟର ଧରି ପଟ୍ଟଚିତ୍ର କିଣିବା ପାଇଁ ପହଞ୍ଚୁଥିଲେ। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବି କମ୍‌ ନଥିଲା। ପଟ୍ଟଚିତ୍ର ବ୍ୟବସାୟରୁ ଭଲ ଦୁଇପଇସା ମିଳୁଥିବାରୁ ଶିଳ୍ପୀମାନେ ବି ଏହାକୁ ନିଜର ସର୍ବସ୍ବ ମାନି ନେଇଥିଲେ। ଯେଉଁଥିପାଇଁ ରଘୁରାଜପୁରରେ ଘରେ ଘରେ ପଟ୍ଟଚିତ୍ରୀ ଶିଳ୍ପୀ। କିନ୍ତୁ କରୋନା ପାଇଁ ମାର୍ଚ୍ଚ ପରଠାରୁ କଟକଣା ପରେ ଆଉ ପର୍ଯ୍ୟଟକମାନେ ଆସୁନାହାନ୍ତି। ଯେଉଁମାନେ ବରାଦ ଦେଇଥିଲେ, ସେମାନେ ବି ଆଉ ନେଉନାହାନ୍ତି। ପଟ୍ଟଚିତ୍ରରୁ ରୋଜଗାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଯେଉଁମାନଙ୍କ ଅନ୍ୟ ସବୁ ରୋଜଗାରର ପନ୍ଥା ଅଛି, ସେମାନେ କଷ୍ଟେମଷ୍ଟେ ଚଳୁଛନ୍ତି। ଅଧିକାଂଶ ଶିଳ୍ପୀ କିନ୍ତୁ ଏଠି ସେଠି ମୁଲ ଲାଗୁଛନ୍ତି। କେହି କେହି ପରିବା, ଜଳଖିଆ ଆଦି ଦୋକାନ କଲେଣି। କିଏ ପାନ ତ’ ପୁଣି କିଏ ଅଣ୍ଡା ବିକୁଛନ୍ତି। କେହି କେହି ଘୁଗୁନି, ଛତୁ ଆଦି ବିକିଲେଣି। ଗାଁ’ର ଦିଲୀପ ପୃଷ୍ଟି, ବଳରାମ ପୃଷ୍ଟି ଦୁଇ ଭାଇ। ଦୁଇଭାଇ ଭଲ ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ରରୁ ଯାହା ରୋଜଗାର ହେଉଥିଲେ, ସେମାନେ ପୂରା ପରିବାର ଚଳାଉଥିଲେ। କିନ୍ତୁ ପର୍ଯ୍ୟଟକମାନେ ଆସିବା ବନ୍ଦ ହୋଇଯିବାରୁ ପଟ୍ଟଚିତ୍ରର ବେପାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯେଉଁଥିପାଇଁ ଏହି ଦୁଇଭାଇ ଏବେ ଘର ଦୁଆର ମୁହଁରେ ପାନ ଓ ଅଣ୍ଡା ଆଦି ବିକୁଛନ୍ତି। ସମାନ ଅବସ୍ଥା ଗାଁର ବିକାଶ ମହାରଣା ଓ ମିଟୁ ସାହୁଙ୍କର। ପଟ୍ଟଚିତ୍ର ବେପାର ବନ୍ଦ ହୋଇଯିବା ପରେ ଏମାନେ ଏବେ ଛତୁ, ଲେମ୍ବୁ ଆଦି ବିକ୍ରି କରୁଛନ୍ତି।

ଗାଁର ସଚ୍ଚିକାନ୍ତ ସାହୁ, ସୁକାନ୍ତ ସାହୁ ବି ପଟ୍ଟଚିତ୍ର କରି ପରିବାର ଚଳାଉଥିଲେ। କିନ୍ତୁ ଏହି ରୋଜଗାର ବନ୍ଦ ହୋଇଯିବା ପରେ ଏମାନେ ଚନ୍ଦନପୁର ବଜାରରେ ଏବେ ବରା, ପିଆଜି ଆଦି ବିକୁଛନ୍ତି। ଗାଁର ବିରଞ୍ଚି ସ୍ବାଇଁ ଜଣେ ଭଲ ପଥର କାରିଗର। କିନ୍ତୁ ପଥର କାରୁକାର୍ଯ୍ୟ ବିକ୍ରି ନ‌ ହେବାରୁ ସେ ଏବେ ବାହାରେ ମୁଲ ଲାଗୁଛନ୍ତି। ପଥର ଯୋଡ଼େଇ କାମ କରୁଛନ୍ତି। ବଡ଼କଥା ହେଲା ଗାଁର ଅନେକ ଶିଳ୍ପୀ ଏବେ ଦାଦନମୁହାଁ ହେଲେଣି। ଏ ସଂପର୍କରେ ଯୁବ ପଟ୍ଟଚିତ୍ର ଶିଳ୍ପୀ ଆକାଶ ସ୍ବାଇଁ କହିଛନ୍ତି, ନିକଟରେ ଜିଲ୍ଲାପାଳ ଗାଁକୁ ଆସି ରୋଜଗାରର ମାଧ୍ୟମ ଯୋଗାଇଦେବେ ବୋଲି କିଛି ପ୍ରତିଶ୍ରୁତି ଦେଇ ଯାଇଥିଲେ। ଯେଉଁଥିପାଇଁ କିଛି କିଛି ସଂସ୍ଥା ଗାଁ ମୁହାଁ ହେଲେଣି। କିନ୍ତୁ ପର୍ଯ୍ୟଟନ ବିଭାଗର କୌଣସି ଅଧିକାରୀଙ୍କ ମୁହଁ ଆଜି ପର୍ଯ୍ୟନ୍ତ ଆମେ ଦେଖିନୁ।

ସମ୍ବନ୍ଧିତ ଖବର