କୋଭିଡ ମହାମାରୀ ପ୍ରସଙ୍ଗ: ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ବର : କରୋନା ଦ୍ବିତୀୟ ଲହରରେ ରାଜ୍ୟ ପରିସ୍ଥିତି ଅଣାୟତ୍ତ ହେଲାଣି। ଏଭଳି ଘଡ଼ିସନ୍ଧି ସମୟର ସଫଳ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ଆଜି ଏ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। କହିଛନ୍ତି ଯେ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଦଳ ଓ ସେ ନିଜେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି।

ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, କରୋନା ମହାମାରୀର ପ୍ରଥମ ଲହର ବେଳେ ଅର୍ଥାତ ଆଜିକୁ ୧୫ ମାସ ତଳେ ସର୍ବଦଳୀୟ ବୈଠକ ଡାକିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କୌଣସି ଇଚ୍ଛା ପ୍ରକାଶ କଲେନାହିଁ। ଏବେ ଦ୍ବିତୀୟ ଲହରର ସଂକଟଜନକ ସ୍ଥିତିରେ ଜନସାଧାରଣଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ପୁଣି ଥରେ ଆବେଗଭରା ଚିଠି ଲେଖାଯାଇଛି। ତୁରନ୍ତ କାଳବିଳମ୍ବ ନ କରି ସମାଜର ପ୍ରତିଷ୍ଠିତ ସାମାଜିକ କର୍ମୀ, ବିଶେଷଜ୍ଞ ଏବଂ ବିଭିନ୍ନ ରାଜନୈତିକ ଦଳର ଅଭିଜ୍ଞ ସମ୍ପନ୍ନ ନେତୃବୃନ୍ଦମାନଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରନ୍ତୁ। ସମସ୍ତଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମହାମାରୀକୁ କିଭଳି ଭାବରେ ପ୍ରତିହତ କରାଯାଇ ପାରିବ, ସେଥିପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। କୋଭିଡ ମହାମାରୀ ରାଜ୍ୟର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ଅପହଞ୍ଚ ଅଞ୍ଚଳରେ ପହଞ୍ଚି ସାରିଛି। ପ୍ରତିଦିନ କେହି ନା କେହି ତାର ପରିବାରବର୍ଗ ଆତ୍ମୀୟସ୍ବଜନଙ୍କୁ ହରାଉଛନ୍ତି। ଏହି ସମୟରେ ରାଜନୈତିକ ବାଦାନୁବାଦକୁ ଭୁଲି ମାନବଜାତିର ସୁରକ୍ଷା ପାଇଁ କାମ କରିବା ସମୟ। ଏଥିରେ ପାରୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ପିସିସି ସଭାପତି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର