ହାଇକୋର୍ଟରେ ମଦ ଉପରେ କୋଭିଡ୍‌ ଫି’ ବିବାଦ : ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ ଅବକାରୀ ସଚିବ

କଟକ : ମଦ ଉପରେ କୋଭିଡ ଫି’ ବିବାଦ ସଂପର୍କିତ ମାମଲା ହାଇକୋର୍ଟରେ ପହଞ୍ଚିଛି। ସରକାର ସର୍ବାଧିକ ବିକ୍ରି ଦର (ଏମ୍‌ଆରପି) ଉପରେ କୋଭିଡ ଫି ୫୦ ପ୍ରତିଶତ ଲଗାଇ ମଦ ବିକ୍ରି ପାଇଁ ଘୋଷଣା କରିଥିବାବେଳେ ପରବର୍ତ୍ତୀ ସମୟରେ ହଠାତ୍‌ ଏହାକୁ ୧୫ ପ୍ରତିଶତକୁ ହ୍ରାସ କରିଥିଲେ। ଏହାଦ୍ବାରା ୫୦ ପ୍ରତିଶତ କୋଭିଡ ଫି’ ଦେଇ ମଦ କିଣିଥିବା ବ୍ୟବସାୟୀମାନେ ସମସ୍ୟାରେ ପଡ଼ିଥିଲେ। ୩୫ ପ୍ରତିଶତ କୋଭିଡ ଫି’ ବ୍ୟବସାୟୀଙ୍କୁ ଫେରାଇବା ପ୍ରସଂଗରେ ରାଜ୍ୟ ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଇ ନଥିଲା। ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାର ମଦ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋଭିଡ ଫି’ ହ୍ରାସ ପରେ ୩୫ ପ୍ରତିଶତ ପାର୍ଥକ୍ୟ ବାବଦ ଅର୍ଥ ଫେରାଇବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ବ୍ୟବସାୟୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣି କରି ଅବକାରୀ ସଚିବଙ୍କୁ ଏହି ପ୍ରସଂଗରେ ଆଇନ ଅନୁସାରେ ଆଦେଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ଆବେଦନକାରୀ ୩୫ ପ୍ରତିଶତ କୋଭିଡ ଫି ଫେରି ପାଇବା ସଂପର୍କିତ ନିଜ ଅଭିଯୋଗ ଓ ବିସ୍ତୃତ ତଥ୍ୟ ୧୫ ଦିନ ଭି‌ତରେ ଅବକାରୀ ସଚିବଙ୍କ ନିକଟରେ ଦାଖଲ କରିବାକୁ କହିଛନ୍ତି। ଏଥିସହିତ, ଆବେଦନକାରୀଙ୍କୁ ଶୁଣାଣି ସମୟରେ ପକ୍ଷ ରଖିବାର ସୁଯୋଗ ଦେଇ ଦୁଇ ମାସ ଭିତରେ ଅବକାରୀ ସଚିବ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର