ବନ୍ଧପାରି ସ୍କୁଲ୍‌ ହଷ୍ଟେଲରେ କୋଭିଡ୍ ସହାୟତା ରାଶି ହଡ଼ପ ଘଟଣା: ଶିକ୍ଷା ବିଭାଗର ତଦନ୍ତ ନେଇ ଲୋକେ ଉଠାଇଲେଣି ପ୍ରଶ୍ନ

ଦଳିତ ଓ ଆଦିବାସୀ ସଂଗଠନ ଦ୍ବାରା ଅନୁସନ୍ଧାନ

ଲାଞ୍ଜିଗଡ଼/କେସିଙ୍ଗା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବନ୍ଧପାରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରୀବା ଗାନ୍ଧୀ ହଷ୍ଟେଲରେ କୋଭିଡ୍ ସହାୟତା ରାଶି ହଡ଼ପ ହେବାରୁ ଉକ୍ତ ହଷ୍ଟେଲ୍‌ ବିବାଦୀୟ ହୋଇପଡ଼ିଛି। ଏବେ ସରକାରଙ୍କ କୋଭିଡ୍‌ ସହାୟତା ରାଶିକୁ ‘ମୋ ସ୍କୁଲ’ ଉନ୍ନତି ପାଇଁ ୩ ହଜାର ଟଙ୍କା ସ୍କୁଲ୍‌ କର୍ତ୍ତୃପକ୍ଷ ଚାନ୍ଦା ଆକାରରେ ନେବା ପୁଣି ବିବାଦ ଘେରକୁ ଟାଣିଦେଇଛି।

ଏହି ଘଟଣାର ଅନୁସନ୍ଧାନ ପାଇଁ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ୍‌ କଳାହାଣ୍ଡି ଓ ଆଦିବାସୀ ସଂଗଠନ ଲାଞ୍ଜିଗଡ଼ ବ୍ଲକ୍‌ର କର୍ମକର୍ତ୍ତାମାନେ ବନ୍ଧପାରି ଅଞ୍ଚଳର ବିଭିନ୍ନ ଗାଁକୁ ଗସ୍ତ କରି ଛାତ୍ରୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ଏହି କମିଟିରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ୍‌ କଳାହାଣ୍ଡିର ସଭାପତି ଧନଞ୍ଜୟ ଦୀପ, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଆଦିବାସୀ ସଂଗଠନ ଲାଞ୍ଜିଗଡ଼ ବ୍ଲକ୍‌ର ସଭାପତି ଇଂ ଫକୀର ମୋହନ ମାଝୀ, ପ୍ରତିଷ୍ଠାତା ସଦସ୍ୟ ପ୍ରଦୀପ ମାଝୀ, ଲାଞ୍ଜିଗଡ଼ ବ୍ଲକ୍‌ କଂଗ୍ରେସ କମିଟିର ସଭାପତି ହରିହର କୁମାର, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌ର ସଦସ୍ୟ ସୁଶୀଲ ବାଗ, ଗୋପାଳଦାସ ମହାନନ୍ଦ, କ୍ଷୀରସାଗର ମହାନନ୍ଦ, ଆଦିବାସୀ ନେତା ଯୁବରାଜ ମାଝୀ ପ୍ରମୁଖ ବିଭିନ୍ନ ଗାଁ ଗସ୍ତ କରି କୋଭିଡ୍ ସହାୟତା ରାଶି ହଡ଼ପ ହୋଇଥିବା ଘଟଣାକୁ ନେଇ ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି। ଏହାପରେ ସେମାନେ ସ୍କୁଲ୍‌କୁ ଯାଇଥିବା ବେଳେ ସେଠାରେ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇଙ୍କ ଅନୁପସ୍ଥିତି ଯୋଗୁଁ ଫେରି ଆସିଥିଲେ।

ଏ ସମ୍ପର୍କରେ ଫେଡରେସନ୍‌ର କର୍ମକର୍ତ୍ତା ମାନେ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ଦାୟର କରିଛନ୍ତି। ତେବେ ବହୁ ସଂଖ୍ୟାରେ ଅନୁସୂଚିତ ଜାତି ଏବଂ ଆଦିବାସୀ ବର୍ଗର ଛାତ୍ରୀମାନଙ୍କଠାରୁ କୋଭିଡ୍ ସହାୟତା ରାଶି ହଡ଼ପ ପରେ ଏନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେଣୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇ ଓ ତାଙ୍କ ଶିକ୍ଷକ ସ୍ବାମୀ ସୁବାସ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ଅଭିଭାବକମାନେ ଦାବି କରିଛନ୍ତି। ଆଗାମୀ ଦିନରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ଶିକ୍ଷକ ସ୍ୱାମୀଙ୍କ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସଂଗଠନର କର୍ମକର୍ତ୍ତା, ଅଭିଭାବକ ଓ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର