ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ କରୋନା ଭାଇରସରେ ପ୍ରଥମ ଥର ଜଣେ ବରିଷ୍ଠ ନାଗରିକଙ୍କ ପ୍ରାଣହାନି ଘଟିଛି। ଏହା ସୁବର୍ଣ୍ଣପୁର ଜିଲ୍ଲାର ଦ୍ଵିତୀୟ କରୋନା ରୋଗୀଙ୍କ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ମୃତକ ବରିଷ୍ଠ ନାଗରିକ ଗତ ୧୧ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବାପରେ ତାଙ୍କୁ ହିକୁଡିଠାରେ ଥିବା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ପ୍ରାୟ ବାରଟା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏନେଇ ବୀରମହାରାଜପୁର ବ୍ଲକ ପ୍ରଶାସନକୁ ଜଣାଇଥିଲେ କୋଭିଡ୍‌ ଡାକ୍ତରଖାନା କର୍ତ୍ତୃପକ୍ଷ।

Advertisment

ଏହାପରେ ମୃତକଙ୍କ ଶବ ସୁବଳୟାସ୍ଥିତ ସୁରୁବାଲି ଯୋର୍‌ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ମୃତକଙ୍କ ପୁତ୍ର ମୁଖାଗ୍ନୀ ଦେଇଥିଲେ। କିନ୍ତୁ ଶବ ସତ୍କାର କରୋନା ଯୋଦ୍ଧା ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା।

ପ୍ରଶାସନ ତରଫରୁ ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ, ଅତିରିକ୍ତ ତହସିଲଦାର ଗଙ୍ଗାରାମ ବୁଡେକ, ସୁବଳୟା ସରପଞ୍ଚ ଲିଲି ପାତ୍ର ଓ ସୁବଳୟା ଥାନା ଅଧିକାରୀ କୁଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବୀରମହାରାଜପୁର ଅଞ୍ଚଳର ପ୍ରଥମ କରୋନା ମୃତ୍ୟୁ ହୋଇଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି।

ସୂଚନାଯୋଗ୍ୟ, ବୀରମହାରାଜପୁର ବ୍ଲକରେ ପନ୍ଦର କୋଭିଡ୍‌ କେୟାର ହୋମ୍‌ କାର୍ଯ୍ୟ କରୁଛି। ଏହାସହିତ ସୁବଳୟା ପଞ୍ଚପଞ୍ଚାୟର କଲ୍ୟାଣ ମଣ୍ଡପ ଠାରେ ଓ ସରକାରୀ ବାଳିକା ସ୍କୁଲ ଓ ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ସମୁଦାୟ ତିନୋଟି ଟିଏମସି କେନ୍ଦ୍ର କାର୍ଯ୍ୟ କରୁଛି । ଆଜି ପର୍ଯ୍ୟନ୍ତ ବୀରମହାରାଜପୁର ବ୍ଲକରେ କରୋନାରେ ସମୁଦାୟ ୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ହୋମ୍‌ କ୍ୱାରେଣ୍ଟାଇନରେ ୩୨ ଜଣ, ଉଫଲା କୋଭିଡ କେୟାର ହୋମରେ ଜଣେ ଅଛନ୍ତି। ୨୪ ଜଣ ସୁସ୍ଥ ହୋଇଛନ୍ତି।