ଚତୁର୍ଥ ଲହର ବିପଦ ଟଳିନି: ମାନବ ସମ୍ବଳ କମ୍ କରିବାକୁ କହିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପର-ତଳ ହେଉଛି। ଅନ୍ୟ ରାଜ୍ୟମାନଙ୍କରେ ସଂକ୍ରମଣ ଉପରମୁହାଁ ହେଲାଣି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାର ଚତୁର୍ଥ ଲହରକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବା ଦର୍ଶାଇ ଜିଲ୍ଲା ଓ ମେଡିକାଲ କଲେଜରେ ମାନବ ସମ୍ବଳ କମ୍ କରିବା ଲାଗି ଗତ ୧୭ତାରିଖରେ ଜାରି ନିର୍ଦେଶନାମା ଜାରି କରିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ଓ ମେଡିକାଲ କଲେଜଗୁଡ଼ିକ ମାର୍ଚ ୨୯ତାରିଖରେ ଜାରି ଗାଇଡଲାଇନ୍‌କୁ ଅନୁସରଣ କରିବା ସହିତ ଏହା ଅନୁଯାୟୀ ମାନବ ସମ୍ବଳ ହ୍ରାସ କରନ୍ତୁ। କୌଣସି ଜିଲ୍ଲାରେ ୬ଟି ବ୍ଲକ୍ ରହିଥିଲେ କୋଭିଡ ସର୍ଭେଲାନ୍‌ସ ପାଇଁ ଗୋଟିଏ ଗାଡ଼ି ରହିବ। ୬ରୁ ଅଧିକ ବ୍ଲକ୍ ଥିବା ଜିଲ୍ଲାରେ ୨ଟି ଗାଡ଼ିକୁ ଅନୁମତି ଦିଆଯାଇଛି। ଯଦି କୌଣସି ସ୍ଥାନରେ ଅଧିକ ଗାଡ଼ିକୁ ଭଡ଼ାରେ ଅଣାଯାଇଛି ତାହାକୁ ତୁରନ୍ତ ହ୍ରାସ କରାଯାଉ। ସେହିପରି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆଣ୍ଟିଜେନ୍ କିଟ୍‌, ଭିଟିଏମ୍‌, ଆରଟି-ପିସିଆର କିଟ୍‌ ଇତ୍ୟାଦି ମାସକରେ ଥରେ ଜିଲ୍ଲାରେ ପହଞ୍ଚିବ। ଯଦି କୌଣସି ଜିଲ୍ଲାରେ ଅଧିକ କିଟ୍‌ର ଆବଶ୍ୟକତା ପଡ଼େ ତାହାଲେ ଗାଡ଼ି ପଠାଇ ଭୁବନେଶ୍ବରରୁ ଔଷଧ ସାମଗ୍ରୀ ନେଇପାରିବେ। ଆରଟି-ପିସିଆର ଲ୍ୟାବ୍‌ରେ ଆବଶ୍ୟକ ହେଉଥିବା ସାମଗ୍ରୀଗୁଡ଼ିକୁ ନିଗମ ପକ୍ଷରୁ ଯୋଗାଣ ହେଉନାହିଁ। ତେଣୁ ଜିଲ୍ଲାମାନେ ‘ନିଦାନ’ ପାଣ୍ଠିରୁ ଏହାକୁ କିଣିପାରିବେ ବୋଲି କୁହାଯାଇଛି। ଆଇସିଏମ୍‌ଆର ଗାଇଡଲାଇନ୍‌ ଅନୁଯାୟୀ କୋଭିଡ ଟେଷ୍ଟିଂ ଜାରି ରଖିବା ସହିତ ଜିଲ୍ଲାସ୍ତରରୁ ‌କୋଭିଡ ସଂପର୍କିତ ତଥ୍ୟ ରାଜ୍ୟକୁ ପୂର୍ବଭଳି ପଠାଇବା ଜାରି ରହିବ। କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଗାଇଡଲାଇନ୍ ଅନୁଯାୟୀ ଡେଥ୍ ଅଡିଟ୍ କରାଯିବା ସହିତ ଏମ୍‌ସିସିଡିରେ ନିକଟତମ ସଂପର୍କୀୟଙ୍କୁ ମୃତ୍ୟୁର କାରଣ ସଂପର୍କରେ ଜଣାଇବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ଗ୍ରାଫ୍ ଧୀରେ ଧୀରେ ଉପରକୁ ଉଠୁଛି। ଭୁବନେଶ୍ବର ଓ ଖୋର୍ଧାରେ ପଜିଟିଭ୍ କେସ୍ ଅଧିକ ରହୁଛି। ଯେହେତୁ କରୋନା ଚେନ୍ ମାଧ୍ୟମରେ ମଣିଷଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ, ତେଣୁ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣକୁ ଆଉ କିଛିଦିନ ଅନୁଧ୍ୟାନ କରାଯିବା ଉଚିତ୍। କାରଣ ଦିଲ୍ଲୀ ଭଳି ସହରରେ କରୋନା ବଢ଼ିଲା ଓ ପୁନର୍ବାର କମି ଯାଇଥିଲା। ତେଣୁ ସଂକ୍ରମଣ ଉପରେ ଅନୁଧ୍ୟାନ କରାଯାଉଛି। ବର୍ତମାନ ସୁଦ୍ଧା କିଛି ନୂଆ ଭାରିଏଣ୍ଟ ଆସିବାର ରିପୋର୍ଟ ବିଭାଗ ପାଖରେ ନ ଥିବା ଡା.ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର