ଭୁବନେଶ୍ୱର : ଓଡ଼ିଶାରେ କରୋନାର ଚତୁର୍ଥ ଲହର ଆସିପାରେ। ଏହି ଲହର ସଂପୂର୍ଣ୍ଣ ଭାବେ ଓମିକ୍ରନ୍ ଜନିତ ହେବ। ଏବେ ଚାଲିଥିବା ତୃତୀୟ ଲହର ମୁଖ୍ୟତଃ ଡେଲ୍ଟା ଓ ଅଳ୍ପ କିଛି ଓମିକ୍ରନ୍ ପାଇଁ ହୋଇଛି। ଚଳିତ ମାସ ଶେଷ ଆଡ଼କୁ ରାଜ୍ୟରେ ଓମିକ୍ରନ୍ ପ୍ରାୟତଃ ଡେଲ୍ଟାକୁ ଅପସାରଣ କରିପାରେ ବୋଲି ଅନୁମାନ କରାଯାଉଛି। ତେଣୁ ରାଜ୍ୟର କିଛି ଅଞ୍ଚଳ ଓମିକ୍ରନ୍ ଜନିତ ଚତୁର୍ଥ ଲହରର ସାମ୍ନା କରିପାରେ ବୋଲି ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଏହି ଲହର କମ୍ ସମୟ ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇପାରେ। ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସତର୍କ କରାଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ବିଦେଶ ଫେରନ୍ତା ନିଜ ନିଜ ଘରକୁ ଫେରିବା ପରେ ସଂକ୍ରମଣ ବଢ଼ିଥିଲା। ଆରମ୍ଭରୁ ବିଦେଶ ଫେରନ୍ତାଙ୍କଠାରେ କରୋନାର ନୂଆ ପ୍ରଜାତି ଓମିକ୍ରନ୍କୁ ଚିହ୍ନଟ କରାଯାଇଥିଲା। ପରବର୍ତୀ ସମୟରେ ଗୋଷ୍ଠୀସ୍ତରରୁ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିଲେ। ରାଜ୍ୟରେ କିଛି ଦିନ ପୂର୍ବରୁ ଯେଉଁ ଜିନୋମ ସିକ୍ବେନ୍ସିଂ ହୋଇଥିଲା, ତହିଁରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତ ଗୋଷ୍ଠୀସ୍ତରରୁ ଚିହ୍ନଟ ହୋଇଥିଲେ। ଏହାସହ ରାଜ୍ୟ ସରକାର ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଲାଗି ଓମିସିଓର କିଟ୍ ମଧ୍ୟ ଆଣିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିରେ ମଧ୍ୟ ଓମିକ୍ରନ୍ ସଂପୂର୍ଣ୍ଣ ଭାବେ ଡେଲ୍ଟାକୁ ଅପସାରଣ କରିଥିବାରୁ ବିଶେଷ ପ୍ରମାଣ ମିଳୁନାହିଁ। କେଉଁ ଜିଲ୍ଲାରେ ଏହାର ୮୦ ପ୍ରତିଶତ ମିଳୁଛି ତ ଆଉ କେଉଁ ଜିଲ୍ଲାରେ ୨୦ ପ୍ରତିଶତ ରହିଛି। ତେଣୁ ଏବେ ରାଜ୍ୟରେ ଚାଲିଥିବା ତୃତୀୟ ଲହର ଓମିକ୍ରନ୍ ପାଇଁ ନୁହେଁ, ବରଂ ଡେଲ୍ଟା ଯୋଗୁଁ ଚାଲିଛି ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ବିଚାର କରୁଛନ୍ତି।
/sambad/media/post_attachments/wp-content/uploads/2021/10/vaccine.jpg)
ବିଭାଗୀୟ ଅଧିକାରୀଙ୍କ ଯୁକ୍ତି ହେଉଛି ଯେ ରାଜ୍ୟରେ ବ୍ୟାପକ ଟିକାକରଣ ହୋଇଛି। ଏହାସହ ଅନେକ ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି। ଏ ଦୃଷ୍ଟିରୁ ଦ୍ବିତୀୟ ଲହର ଭଳି ତୃତୀୟ ଲହରରେ ଡେଲ୍ଟା ଏତେଟା ପ୍ରଭାବୀ ହୋଇପାରିନାହିଁ। ପୂର୍ବରୁ ଯେତିକି ଜିନୋମ ସିକ୍ବେନ୍ସିଂ ହୋଇଛି ଓ ଓମିସିଓର କିଟ୍ରୁ ଯାହା ତଥ୍ୟ ମିଳିଛି, ଏଥିରେ ବହୁ ତାରତମ୍ୟ ରହିଛି। ଏ ଦୃଷ୍ଟିରୁ ରାଜ୍ୟରେ ଓମିକ୍ରନ୍ ସଂପୂର୍ଣ୍ଣ ଭାବେ ଡେଲ୍ଟାକୁ ଅପସାରଣ କରିବା ପରେ ହୁଏତ ଆଉ ଏକ ଓମିକ୍ରନ୍ ଜନିତ ଲହର ଆସିପାରେ। କେରଳରେ ଏକାଧିକ ଲହର ଦେଖିବାକୁ ମିଳିଛି। ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏକାଧିକ ଲହର ଆସି ସାରିଲାଣି। ତେଣୁ ଯଦିବା ଲହର ଆସିବ, ତାହା ବହୁତ କମ୍ ସମୟ ଓ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସୀମିତ ରହିପାରେ। ମାତ୍ର ଏହା କେବେ ଆସିବ ତାହା ଏବେଠାରୁ କହିବା ମୁସ୍କିଲ୍। ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି, କିଛି ମାସ ପରେ ସେମାନଙ୍କ ଆଣ୍ଟିବଡି ହ୍ରାସ ପାଉଥିବା ପ୍ରମାଣ ମିଳିଛି। ଏପରିକି ଟିକାର ମଧ୍ୟ କିଛି ମାସରେ ପ୍ରଭାବ କମୁଥିବାରୁ ବୁଷ୍ଟର ଡୋଜ୍ ଆବଶ୍ୟକତା ପଡ଼ୁଛି ବୋଲି ଅଧିକାରୀଜଣକ ମତ ଦେଇଛନ୍ତି।
ଆଇସିଏମ୍ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି ଯେ ଓମିକ୍ରନ୍ର ପ୍ରତିଶତ ବଢ଼ିଲେ ମଧ୍ୟ ଡେଲ୍ଟା ପ୍ରଜାତି ନିଶ୍ଚିତ ରହିବ। ଆଗକୁ ଯଦି ଓମିକ୍ରନ୍ର ଉପ-ପ୍ରଜାତି ବିଏ.୨ ଆସେ, ତାହାଲେ ଓମିକ୍ରନ୍, ବିଏ.୨ ଓ ଡେଲ୍ଟା ମଧ୍ୟରେ ସଂକ୍ରମଣ ନେଇ ପ୍ରତିଯୋଗିତା ହୋଇପାରେ। ତେବେ ଏକ ବଡ଼ଧରଣର ଲହର ଆସିବାର ଆଶଙ୍କା କମ୍ ବୋଲି ଡା. ମହାପାତ୍ର କହିଛନ୍ତି।
/sambad/media/post_attachments/wp-content/uploads/2022/01/corona-infection.jpg)
ଏଆଇପିଏଚ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ.ପି ଦାଶ କହିଛନ୍ତି ଯେ କୋଭିଡ୍ ସବୁବେଳ ପାଇଁ ଆମ ସହିତ ରହିବ। ତେବେ ବ୍ୟାପକ ଟିକାକରଣ ଓ ବୁଷ୍ଟର ଡୋଜ୍ ଦିଆଯାଇଥିବାରୁ ସଂକ୍ରମଣ ଏତେଟା ବଡ଼ଧରଣର ହୋଇ ନ ପାରେ। ଯଦି ବା ହେବ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହା ସୀମିତ ରହିପାରେ ବୋଲି ପ୍ରଫେସର ଦାଶ କହିଛନ୍ତି।
ଅପରପକ୍ଷରେ ଲଗାତାର ଦ୍ବିତୀୟ ଦିନ ଲାଗି ରାଜ୍ୟରେ ସଂକ୍ରମଣ ୨ହଜାର ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ୪୪୪, ସୁନ୍ଦରଗଡ଼ ୨୦୪, କଟକ ୨୦୫, ଅନୁଗୁଳ ୧୦୨, ଯାଜପୁର ୧୩୩, ମୟୂରଭଞ୍ଜ ୧୦୪ ଓ ଷ୍ଟେଟ୍ ପୁଲରୁ ୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୪ହଜାର ୭୦୫କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ମୃତ୍ୟୁ ଜାରି ରହିଛି। ଆଉ ୨୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଫଳରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି।