କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରେ ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଭଳି କଟକଣା ମଧ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ହାଇକୋର୍ଟରେ ମାମଲା ଶୁଣାଣି ଚାଲିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସ୍ବାଭାବିକ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖି କେବଳ ଜରୁରୀ ମାମଲା ଶୁଣାଣି ପାଇଁ ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ନିମ୍ନ ଅଦାଲତରେ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ଯଦି କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତି ଅନୁମତି ଦିଏ ତେବେ ସଂପୃକ୍ତ ଜିଲ୍ଲାରେ ଦେୱାନୀ ଓ ଫୌଜଦାରୀ ମାମଲା ଶୁଣାଣି କରାଯାଇ ପାରିବ। ଏପରି ପରିସ୍ଥିତିରେ ବିଚାରାଧୀନ ବନ୍ଦୀଙ୍କ ମାମଲା ଓ ପୁରୁଣା ମାମଲାର ଶୁଣାଣିକୁ ଅଗ୍ରାଧିକାର ଦିଆଯିବ। ଏଥିପାଇଁ ପକ୍ଷଙ୍କ ଓକିଲଙ୍କ ସହମତି ନିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଅନୁସାରେ କ୍ଷମତାପ୍ରାପ୍ତ ଅଧିକାରୀ/ ଜିଲ୍ଲାପାଳ ଯଦି କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରନ୍ତି କିମ୍ବା ସଟଡାଉନ କରନ୍ତି ତେବେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜଜ୍/ ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ଏହି ଅଞ୍ଚଳରେ ଥିବା ଅଦାଲତ/ଟ୍ରିବୁନାଲକୁ ବନ୍ଦ କରି ପାରିବେ। ଜୁନ୍ ୩୦ରେ ରାଜ୍ୟ ସରକାର ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ଜୁଲାଇ ମାସରେ ଯେଉଁ ସବୁ ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି ସେଠାରେ ହାଇକୋର୍ଟ କାର୍ଯ୍ୟାଳୟ, ସବ୍ ଅର୍ଡିନେଟ୍ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। ଯଦି ଆଉ କୌଣସି ସ୍ଥାନରେ ଏଭଳି ସପ୍ତାହ ଶେଷ ସଟଡାଉନ ଘୋଷଣା କରାଯିବ ତେବେ ସେଠାରେ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। କୋଭିଡ-୧୯ ପରିଚାଳନା ପାଇଁ ଜାତୀୟସ୍ତରରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ରାଜ୍ୟର ସମସ୍ତ ଅଦାଲତ ଓ ଟ୍ରିବୁନାଲ ପାଳନ କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ହାଇକୋର୍ଟ ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଆଧାରରେ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଜଣା ଯାଇଛି।
ହାଇକୋର୍ଟ ଓ ନିମ୍ନ ଅଦାଲତ ପାଇଁ ସାନି ନିର୍ଦ୍ଦେଶନାମା : ଜୁଲାଇ ୩୧ ପର୍ଯ୍ୟନ୍ତ ପୂର୍ବ ବ୍ୟବସ୍ଥା ବଳବତ୍ତର
/sambad/media/post_attachments/wp-content/uploads/2020/07/court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)