ସେପ୍ଟେମ୍ବର ମାସର ଗାଇଡଲାଇନ: ଉଠିଲା ସପ୍ତାହାନ୍ତ ସଟଡାଉନ, ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏଥର କଟକଣାକୁ ଆହୁରି କୋହଳ କରିଛନ୍ତି । ଏ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏଣିକି ରାତି  ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟର ସବୁ ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଉଠିଯାଇଛି । ବିବାହ, ବ୍ରତୋପନୟନ, ଅନ୍ତେଷ୍ଟି କ୍ରିୟାରେ ସର୍ବାଧିକ ୨୫୦ ଲୋକ ଯୋଗ ଦେଇପାରିବେ  । ବିବାହ ଶୋଭାଯାତ୍ରାରେ ସର୍ବାଧିକ ୫୦ ଲୋକ ଏକତ୍ରିତ ହୋଇପାରିବେ । କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି କ୍ରମେ ଏସବୁ କାର୍ଯ୍ୟ କରାଯାଇପାରିବ ।

କୋଭିଡ କଟକଣା ସହ ରାଜ୍ୟରେ ଥିବା ଫିଲ୍ମହଲ, ଥିଏଟର ଆଦି ଖୋଲିପାରିବ ।  ସେହିପରି ସାରା ରାଜ୍ୟରେ ଥିବା ସୂଚନା କେନ୍ଦ୍ର, ପାଠାଗାରଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି ।  ତେବେ ମେଳା ମଉଛବ, ପ୍ରଦର୍ଶନୀ ଉପରେ କଟକଣା ଜାରି ରହିବ । ସବୁପ୍ରକାରର ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଉପରେ ବାରଣ ବଜାୟ ରହିବ ।

ସିନେମା ହଲ ପାଇଁ ମଧ୍ୟ କଟକଣା କୋହଳ ହୋଇଛି । ହଲରେ ଯେତିକି ସିଟ ଥିବ ସେତିକି ଦର୍ଶକ ଯାଇପାରିବେ । ହଲରେ କୋଭିଡ କଟକଣା ଦାୟିତ୍ବ ହଲ ପରିଚାଳନା ବୁଝିବେ ।

ତେବେ ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି  ।

ସମ୍ବନ୍ଧିତ ଖବର