ମା’ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା: ଚୈତ୍ର ମାସର ୫ ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା

ପୁରୀ : କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି । କୋଭିଡ କଟକଣା ଭିତରେ  ମା’ଙ୍କ ନୀତିକାନ୍ତି ସଂପନ୍ନ ହେବ । ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ମା’ ମଙ୍ଗଳା ମନ୍ଦିରରେ ଚୈତ୍ର ପର୍ବ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଚଳିତବର୍ଷ ୫ ପାଳି ଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଛି । ଚଳିତ ମାସ ୩୦ ତାରିଖ ମଙ୍ଗଳବାର ଦିନ ମା’ଙ୍କ ପ୍ରଥମ ପାଳି ଯାତ୍ରା ଅନୁଷ୍ଠିତ ହେବ । ମା’ଙ୍କ ନୀତିକାନ୍ତି, କୋଭିଡ ନିୟମ ମାନି ସେବାୟତମାନେ ସଂପନ୍ନ କରିବେ । କିନ୍ତୁ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଆଜି କାକଟପୁର ଡାକବଙ୍ଗଳାଠାରେ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କାକଟପୁର ତହସିଲଦାର ଚିତ୍ତରଞ୍ଜନ ବେହେରା କହିଛନ୍ତି । ଝାମୁଯାତ୍ରାର ୫ଟି ପାଳିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ମାଆଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏବେ ପୁଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରୁ ଝାମୁଯାତ୍ରା ଉପରେ କଟକଣା ଲାଗିଛି । ଝାମୁ ଯାତ୍ରାକୁ ଛାଡି ଦେଲେ ଅନ୍ୟ ଦିନମାନଙ୍କରେ ଭକ୍ତମାନେ କରୋନା କଟକଣା ମାନି ମା’ ମଙ୍ଗଳାଙ୍କ ଦର୍ଶନ କରିପାରିବେ ।

ସମ୍ବନ୍ଧିତ ଖବର