କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ୍‌ ପରିବର୍ତ୍ତନ ହେଲା; ଏଥର ବଡ଼ ଜରିମାନା ସହ କଠୋର ଦଣ୍ଡ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ସମସ୍ତ ଅଙ୍ଗ ନିୟୋଜିତ ଅଛି ଏବଂ ରାଜ୍ୟରେ କୋଭିଡ୍‌ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ତେବେ, କୋଭିଡ୍‌ ମୁକାବିଲା ସହ ରାଜ୍ୟରେ ଜୀବନ ଓ ଜୀବିକାକୁ ମଧ୍ୟ ସ୍ୱାଭାବିକ କରିବାର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନର ଅନେକ ନିୟମକୁ କୋହଳ କରିଛନ୍ତି। ଏଥିସହ କୋଭିଡ୍‌ ସଂକ୍ରମଣକୁ ରୋକିବା ସହ ଜନଜୀବନକୁ ରକ୍ଷା କରିବା ପାଇଁ କିଛି ନିୟମକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଆଜି ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଆଇନ୍‌ ବଳରେ ଆଇନ୍‌କୁ ସଂଶୋଧନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ।

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ କୋଭିଡ୍‌ ସ୍ଥିତି ଭଲ ରହିଛି। ସର୍ବ ଭାରତୀୟ ସ୍ତରରେ ରାଜ୍ୟରେ ମୁତ୍ୟୁହାର ସର୍ବନିମ୍ନ ରହିଛି। ସେହିପରି ଆକ୍ରାନ୍ତଙ୍କ ତୁଳନାରେ ଆରୋଗ୍ୟଙ୍କ ଅନୁପାତ ମଧ୍ୟ ବେଶ ଭଲ ରହିଛି। ଆମ କରୋନା ପଜିଟିଭ୍‌ଙ୍କ ସଂଖ୍ୟା କମୁଛି। ଏହା ଏକ ଲମ୍ବା ଯୁଦ୍ଧ। ଏଥିପାଇଁ ଆମକୁ ଅନେକ ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କିଛି ନିୟମକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନ୍‌କୁ ସଂଶୋଧନ କରାଯାଇଛି।

ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବସାଧାରଣରେ ଛେପ ନ ପାକାଇବା, ବାହାଘର ଓ ଶୁଦ୍ଧିଘରରେ ନିର୍ଦ୍ଧାରିତ ଲୋକଙ୍କ ଠାରୁ ଅଧିକ ଲୋକ ଯୋଗ ନ ଦେବା ଏବଂ ଏକ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନ ହେବାକୁ ସରକାର ବାରଣ କରିଛନ୍ତି। ଯଦିଓ ନବେ ପ୍ରତିଶତ ଲୋକ ଏହାକୁ ପାଳନ କରୁଛନ୍ତି ତଥାପି ଦଶ ପ୍ରତିଶତ ଲୋକ ଏହାକୁ ମାନୁ ନାହାନ୍ତି। ସେଥିପାଇଁ ସରକାର ଆଇନ୍‌କୁ ସଂଶୋଧନ କରି ଉଲ୍ଲଘଂନକାରୀଙ୍କ ବିରୋଧରେ ଅର୍ଥଦଣ୍ଡ ଲାଗୁ କରିଛନ୍ତି।

ମାସ୍କ ନ ପିନ୍ଧି ପ୍ରଥମ ଦୁଇ ଥର ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ୧ ହଜାର ଟଙ୍କା ଜୋରମାନା ଆଦାୟ କରାଯିବ। ଏହାପରେ ବି ମାସ୍କ ନପିନ୍ଧିଲେ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ସେହିପରି ବାହଘରରେ କୌଣସି ପ୍ରକାରରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ । ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ । ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ପାଇଁ ଅନୁମତି ମିଳିବ ନାହିଁ । ବାହାଘର ଓ ଶୁଦ୍ଧିକ୍ରିୟାରେ ନିୟମ ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କାର ଆର୍ଥିକ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସର୍ବସାଧାରଣ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହେଲେ ୧୦ ହଜାର ଟଙ୍କାର ଆର୍ଥିକ ଜରିମାନା ଆଦାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଜରିମାନା ରାଶିକୁ ଆଗାମୀ ଦିନରେ ସରକାର ଆହୁରି ବଢ଼ାଇବେ ବୋଲି ସତର୍କ କରାଇ ଦେଇଛନ୍ତି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ।

ସମ୍ବନ୍ଧିତ ଖବର