ନଭେମ୍ବର ପାଇଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି: ଯାହା ଥିଲା ତାହା ରହିଲା

ଅନେକ ଦ୍ବନ୍ଦ୍ବକୁ ଦୂର କରାଗଲା ନାହିଁ
ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ବଳବତ୍ତର
ଦୀପାବଳି ଗାଇଡ୍‌ଲାଇନ୍ ପରେ ଆସିବ

ଭୁବନେଶ୍ବର : ନଭେମ୍ବର ମାସ ପାଇଁ ରାଜ୍ୟ ସରକାର ରବିବାର ଦିନ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବର ମାସ ପାଇଁ ଯାହା ଯାହା କଟକଣା ଥିଲା, ସେସବୁକୁ ବଳବତ୍ତର ରଖିଛନ୍ତି। ନଭେମ୍ବର ମାସ ପାଇଁ କଟକଣା ବଢ଼ାଯାଇ ନାହିଁ କି ପୂର୍ବ କଟକଣାରେ କୋହଳ କରାଯାଇନି। ସେହିପରି କିଛି କଟକଣାରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରିବାକୁ ଚେଷ୍ଟା କରାଯାଇ ନାହିଁ। ଦୀପାବଳି ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ଖୁବ୍ ଶୀଘ୍ର ଜାରି କରାଯିବ ବୋଲି ସୂଚନା ଦିଆଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ଭୋର୍ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ପ୍ରକାର ଦୋକାନ, ମଲ୍ ଖୋଲିପାରିବ। କୌଣସି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ହେବ ନାହିଁ। ସବୁ ପ୍ରକାର ଧାର୍ମିକ ପୂଜା, ଉତ୍ସବ ପୂର୍ବରୁ ଜାରି କରାଯାଇଥିବା କଟକଣା ମଧ୍ୟରେ ପାଳନ କରାଯିବ। ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନେ ସ୍ଥାନୀୟ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଇପାରିବେ। ଧାର୍ମିକ ରୀତିନୀତିରେ କେତେ ଜଣ ଉପସ୍ଥିତ ରହିବେ, ତାହା ମଧ୍ୟ ଜିଲ୍ଲାପାଳ/ମହାନଗର ନିଗମ କମିସନରମାନେ ସ୍ଥିର କରିବେ।

ସେପ୍ଟେମ୍ବର ମାସ ପାଇଁ ଯେଉଁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା, ନଭେମ୍ବର ପାଇଁ ତାହା ଅପରବର୍ତ୍ତିତ ରହିବ ବୋଲି କୁହାଯାଇଛି। ତେଣୁ ନଭେମ୍ବରରେ ମଧ୍ୟ କୌଣସି ପ୍ରକାର ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତି ହେବ ନାହିଁ। ତେବେ ଅଡିଟୋରିୟମ୍, ସମ୍ମିଳନୀ କକ୍ଷ ଆଦି ଖୋଲା ରହିବ। କେବଳ ସରକାରୀ ସଭାସମିତିକୁ ଅନୁମତି ମିଳିବ। ସରକାର ଦ୍ବିତୀୟ ଲହର ପରେ ରାଜନୈତିକ ସମାବେଶକୁ ବାରଣ କରିଥିଲେ ମଧ୍ୟ ସବୁ ଦଳର ବଡ଼ ଧରଣର ସମାବେଶ, ବିକ୍ଷୋଭ, ଧାରଣା ଜାରି ରହିଛି। କିନ୍ତୁ କୋଭିଡ୍ ଆଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇ କଳାକାରଙ୍କ ପେଟରେ ଲାତ ମରାଯାଉଛି। ରାଜନୈତିକ କାର୍ଯ୍ୟକ୍ରମକୁ ଖୋଲା ଛାଡ଼ି ଦେଇଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ କାହିଁକି ବାରଣ କରୁଛନ୍ତି ତାହା ବୁଝାପଡ଼ୁ ନାହିଁ। ସେହିପରି ଯାତ୍ରା ମଞ୍ଚକୁ ମଧ୍ୟ ସରକାର ପୂର୍ବ ମାସରୁ ଅନୁମତି ଦେଇଛନ୍ତି। କିନ୍ତୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରିଥିବାରୁ ଯାତ୍ରା ପରିବେଷଣ କିପରି ସମ୍ଭବ ହେବ, ତାହା ଜଣାପଡ଼ୁ ନାହିଁ। ରାଜନୈତିକ ସମାବେଶରେ ହଜାର ହଜାର ଲୋକ ବିନା ସାମାଜିକ ଦୂରତା ଓ ମାସ୍କରେ ଏକାଠି ହେଉଥିଲା ବେଳେ ବାହାଘର, ବ୍ରତଘର ପରି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୫୦ ଲୋକଙ୍କୁ ଅନୁମତି ଦେବା ମଧ୍ୟ ଆଉ ଏକ ରହସ୍ୟଜନକ ପ୍ରସଙ୍ଗ। ଏହା ଦ୍ବାରା ଟେଣ୍ଟ୍, କ୍ୟାଟରିଂ ସଂସ୍ଥାଗୁଡ଼ିକ ପ୍ରଭାବିତ ହେଉଥିଲେ ବି ସରକାର ସେଥି ପ୍ରତି ନଜର ଦେଉନାହାନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଥିବା ଦ୍ବନ୍ଦ୍ବକୁ ନେଇ ବାରମ୍ବାର ବିଭିନ୍ନ ମହଲରୁ ପ୍ରତିବାଦ ଉଠୁଥିଲେ ବି ତାହାକୁ ଦୂର କରିବା ପାଇଁ କେହି ଉଚିତ ନ ମଣିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର