ଭୁବନେଶ୍ବର : ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି । ଗତ ବର୍ଷଠାରୁ ବନ୍ଦ ଥିବା ପ୍ରାଥମିକ ସ୍କୁଲଗୁଡ଼ିକ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଛଡ଼ାଯାଇଛି । ସେହିପରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ନିଜ ଅଧିନରେ ଥିବା ସ୍କୁଲ ଖୋଲିବା ନିଷ୍ପତ୍ତି ନେବ । ତେବେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଭାଗ ଲାଗି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ । ଆହୁରି ମଧ୍ୟ ପ୍ରାଥମିକ ସ୍କୁଲଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

Advertisment

ଅନ୍ୟପକ୍ଷରେ ସରକାର ପୂର୍ବରୁ ୯ମଠାରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିବା ବେଳେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ଅଭିଭାବକମାନଙ୍କ ସମ୍ମତିକ୍ରମେ ୯ମ ଓ ୧୧ଶ ଶ୍ରେଣୀ ପରୀକ୍ଷା ଅନଲାଇନରେ କରିବାକୁ ଏହି ଗାଇଡଲାଇନରେ ପରାମର୍ଶ ଦିଆଯାଇଛି।

କଲେଜ, ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଆଦି ଖୋଲିବା ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ପରିସ୍ଥିତି ଅନୁସାରେ ଉପଯୁକ୍ତ ନିଷ୍ପତ୍ତି ନେଇପାରିବ । ତେବେ ଏଥିପାଇଁ ୟୁଜିସି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ଗାଇଡଲାଇନ ପାଳନ କରିବାକୁ ହେବ । ତେବେ ଅନଲାଇନ ଶିକ୍ଷାଦାନ ଓ ପରୀକ୍ଷା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି ।