ନଭେମ୍ବର ପାଇଁ ଜାରି ହେଲା କୋଭିଡ୍‌ ଗାଇଡଲାଇନ୍ସ : ସ୍କୁଲ୍‌, ମନ୍ଦିର ନିଷ୍ପତ୍ତି ଝୁଲିଲା

ନଭେମ୍ବର ୧୫ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
ଜିଲ୍ଲା ପ୍ରଶାସନ ନେବ ମନ୍ଦିର ଖୋଲିବା ନିଷ୍ପତ୍ତି
୧୫ ପରେ ସିନେମା ହଲ୍‌, ଅଡିଟୋରିୟମ୍‌ ନିଷ୍ପତ୍ତି ବି ହେବ
ବିବାହ ପାଇଁ ୨୦୦, ଅନ୍ତ୍ୟେଷ୍ଟି ପାଇଁ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର : ନଭେମ୍ବରରେ ସ୍କୁଲ୍‌, କଲେଜ ଖୋଲିବ କି ନାହିଁ? ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ କି ନାହିଁ? ଏହି ପ୍ରଶ୍ନର ଠୋସ୍‌ ଉତ୍ତର ଆଜି ସରକାର ଦେଇ ନାହାନ୍ତି। ନଭେମ୍ବର ମାସ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି ‌ହୋଇଥିଲେ ମଧ୍ୟ ଏହି ଦୁଇ ବହୁ ପ୍ରତୀକ୍ଷିତ ନିଷ୍ପତ୍ତିକୁ ସରକାର ଝୁଲାଇ ରଖିଛନ୍ତି।

ନଭେମ୍ବର ୧୫ ପରେ ସ୍କୁଲ୍‌ ଖୋଲିବା ନେଇ ଦାୟିତ୍ବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଛାଡ଼ି ଦେଇଛନ୍ତି। ବିଭାଗ ଆଲୋଚନା, ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ନେବ। ଯଦି ସ୍କୁଲ୍‌ ଖୋଲିବ, ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ କ୍ଲାସ୍‌ ପାଇଁ ଅନୁମତି ମିଳିବ। ତେବେ ନଭେମ୍ବର ମାସରେ ସ୍କୁଲ୍‌ରେ କୌଣସି ପ୍ରକାର ପ୍ରବେଶିକା ପରୀକ୍ଷା, ମୂଲ୍ୟାୟନ ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଉପରେ କଟକଣା ରହିବ ନାହିଁ।

ସେହିପରି ଧର୍ମାନୁଷ୍ଠାନ ଖୋଲିବା ଦାୟିତ୍ବ ସବୁ ଜିଲ୍ଲା ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି। ଜିଲ୍ଲା ପ୍ରଶାସନ ସ୍ଥାନୀୟ କୋଭିଡ୍‌ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା ନଭେମ୍ବର ମାସର କୋଭିଡ୍‌ କଟକଣା ନେଇ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବ ପରି ସିନେମା ହଲ୍‌, ସୁଇମିଂ ପୁଲ୍‌, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍‌, ଅଡିଟୋରିୟମ୍, ସମ୍ମିଳନୀ କକ୍ଷ ଆଦି ବନ୍ଦ ରହିବ। ତେବେ ନଭେମ୍ବର ୧୫ରେ ସରକାର ସ୍ଥିତିର ଆଉ ଥରେ ଆକଳନ କରିବେ। ଏହିସବୁ ଅନୁଷ୍ଠାନ ଖୋଲିବ କି ନାହିଁ, ୧୬ ତାରିଖରେ ସେ ସମ୍ପର୍କରେ ନିଷ୍ପତ୍ତି ନେବେ। କ୍ରୀଡ଼ାବିତ୍‌ଙ୍କ ତାଲିମ୍ ପାଇଁ ଉଦ୍ଦିଷ୍ଟ ସୁଇମିଂ ପୁଲ୍‌ ଖୋଲିବା ଉପରେ କୌଣସି କଟକଣା ଲଗାଯାଇ ନାହିଁ।

ନଭେମ୍ବର ମାସରେ ବିବାହ, ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। କୌଣସି ହଲ୍‌ରେ ବିବାହ କାର୍ଯ୍ୟକ୍ରମ କଲେ ହଲ୍‌ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ, ସେହି ସ୍ଥାନର ଆକାର ଦେଖି ଲୋକଙ୍କୁ ଅନୁମତି ଦିଆଯିବ।

ତେବେ ଏହି ସଂଖ୍ୟା କୌଣସି ପରିସ୍ଥିତିରେ ୨୦୦ରୁ ଅଧିକ ହେବ ନାହିଁ। ଏହି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ, ସାମାଜିକ ଦୂରତା, ଥର୍ମାଲ୍‌ ସ୍କାନିଂ ଓ ହାତ ଧୂଆ ଆଦିକୁ କଡ଼ାକଡ଼ି ପାଳନ କରିବା ପାଇଁ ନି‌େର୍ଦ୍ଦଶ ଦିଆଯାଇଛି।

ବାଲେଶ୍ବର ଓ ତିର୍ତ୍ତୋ‌ଲ ଉପନିର୍ବାଚନ ପାଇଁ ରାଜ‌ନୈତିକ ସଭା, ସମିତିକୁ ଦିଆଯାଇଥିବା ଅନୁମତି କେବଳ ପ୍ରଚାର ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ବାଦ୍ ନଭେମ୍ବର ମାସରେ କୌଣସି ପ୍ରକାର ବଡ଼ ଧରଣର ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଆୟୋଜନ ‌େହାଇପାରିବ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ପରିସରରେ ଅକ୍ଟୋବର ୩୧ ଯାଏ ଲକ୍‌ଡାଉନ୍ କଟକଣା ଜାରି ରହିବ। ତେବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଅର୍ଥାତ ଜିଲ୍ଲା, ସବ୍‌ଡିଭିଜନ୍‌, ଗ୍ରାମୀଣ ଓ ସହର ସ୍ତରରେ କେନ୍ଦ୍ର ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍‌ଡାଉନ୍ କରିପାରିବେ ନାହିଁ। କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭିତରେ କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ମିଳିବ। ଆନ୍ତଃରାଜ୍ୟ ସାମଗ୍ରୀ ଓ ଯାତ୍ରୀ ପରିବହନ ପୂର୍ବ ପରି ବିନା ବାଧାରେ ଚାଲିବ। ବିମାନ ଓ ରେଳ ସେବା ପୂର୍ବରୁ ଗାଇଡ୍‌ଲାଇନ୍ ଅନୁଯାୟୀ ଜାରି ରହିବ। ନଭେମ୍ବର ୩୦ ଯାଏ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ରହିବ।

ସମ୍ବନ୍ଧିତ ଖବର