ଭୁବନେଶ୍ବର : ଫେବ୍ରୁଆରି ୧୬ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ଏବେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ସରକାର ନିର୍ବାଚନ ପରିଚାଳନା ପାଇଁ କ’ଣ ପ୍ରସ୍ତୁତି କରିଛନ୍ତି ସେନେଇ ଆଜି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ସୁନିଲ କୁମାର ବଂଶଲ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍,କେ ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ୩୦ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିବା ପରେ ନିର୍ବାଚନ କମିସନର କହିଛନ୍ତି ଯେ, ଜିଲ୍ଲାପାଳ ଓ ଏସ୍ପିମାନେ ସେମାନଙ୍କ ଜିଲ୍ଲାର ବାସ୍ତବ ସ୍ଥିତି ଜଣାଇଛନ୍ତି। ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଆମେ ଆଗାମୀ ଦିନରେ ଲାଗୁ ହୋଇଥିବା କୋଭିଡ ଗାଇଡଲାଇନ୍କୁ ସଂଶୋଧନ କରିବୁ। ନିର୍ବାଚନ କମିସନର କୋଭିଡ ଗାଇଡଲାଇନ୍ ସଂଶୋଧନ କରିବେ ବୋଲି କହିଥିଲେ ହେଁ କଟକଣା କଡ଼ାକଡ଼ି ହେବ କି କୋହଳ ହେବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଚାର ନେଇ ଥିବା କଟକଣା କିଛି ମାତ୍ରାରେ କୋହଳ କରିବାକୁ ନିର୍ବାଚନ କମିସନର ବିଚାର କରୁଛନ୍ତି।
ଏହି ସମୀକ୍ଷା ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନର ପ୍ରତି ପର୍ଯ୍ୟାୟରେ ଯେପରି କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ନାମାଙ୍କନପତ୍ର ଦାଖଲ, ଯାଞ୍ଚ, ପ୍ରଚାର, ମତଦାନ ସମୟରେ, ଗଣତି ସମୟରେ କ’ଣ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଛି। ଆସନ୍ତା ୧୭ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିର୍ବାଚନ ପରିଚାଳନାକୁ ଅଗ୍ରାଧିକାର ଦେବାକୁ କୁହାଯାଇଛି।
ଦ୍ବିତୀୟ ପର୍ଯ୍ୟାୟରେ ଡିଜିପି, ଏଡିଜି (ଆଇନ ଶୃଙ୍ଖଳା), ଜିଲ୍ଲାପାଳ, ଏସ୍ପି, ରେଞ୍ଜ ଆଇଜି, ଡିଆଇଜି, ଆର୍ଡିସିମାନଙ୍କ ସହ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ସେନେଇ ଆଲୋଚନା ହୋଇଛି।ଏହି ବୈଠକରେ ଯୋଗଦେଇ ପୁଲିସ ଡିଜି ସୁନିଲ ବଂଶଲ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଯେପରି କଡ଼ାକଡ଼ି ପାଳନ ହେବ ସେନେଇ ଏସ୍ପିମାନେ ନିଶ୍ଚିତ କରିବେ। କୋଭିଡ ସମୟରେ ପୂରା ନିର୍ବାଚନ ପ୍ରକ୍ରିୟା ହେଉଥିବାରୁ ପୁଲିସ ପ୍ରଶାସନ ପାଇଁ ଏହା ଏକ ସ୍ବତନ୍ତ୍ର ଚାଲେଞ୍ଜ। ହେଲେ କୌଣସି ମତଦାତା, ପ୍ରାର୍ଥୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେନି ତାହା ପୁଲିସ ନିଶ୍ଚିତ କରିବ।ସୂଚନାଯୋଗ୍ୟ ଯେ, ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଫେବ୍ରୁଆରି ୧୬, ୧୮, ୨୦,୨୨, ୨୪ରେ ମତଦାନ ହେବ। ବ୍ଲକ ସ୍ତରରେ ଫେବ୍ରୁଆରି ୨୬, ୨୭, ୨୮ରେ ଗଣତି ହୋଇ ଫଳାଫଳ ଘୋଷଣା ହେବ।