ଭୁବନେଶ୍ବର : କୋଭିଡ ମହାମାରୀ ପରେ ରାଜ୍ୟରେ ଯୁବପିଢ଼ିଙ୍କ କ୍ଷେତ୍ରରେ ଆତ୍ମହତ୍ୟାପ୍ରବଣତା ବଢ଼ିଛି। ପ୍ରାୟତଃ ସବୁ ଆତ୍ମହତ୍ୟା ଏକପ୍ରକାରର। କୋଭିଡ ମହାମାରୀ ପରେ ଏହି ହାର ବଢ଼ିଥିଲେ ବି ଗତ ୨/୩ମାସ ଭିତରେ ଏହାର ତୀବ୍ରତା ସାମ୍ନାକୁ ଆସିଛି। ଯୁବପିଢ଼ିଙ୍କ କ୍ଷେତ୍ରରେ ଏଭଳି ଆତ୍ମହତ୍ୟାପ୍ରବଣତା ବଢ଼ିବା ବିଶେଷଜ୍ଞ, ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ରାଜଧାନୀର ଦୁଇଟି ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସର ବହିର୍ବିଭାଗରେ 'ସମ୍ବାଦ' ଟିମ୍ ଯାଞ୍ଚ ବେଳେ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ସବୁଠାରୁ ବଡ଼ କଥା ହେଲା, ଏଭଳି ମାନସିକ ରୋଗୀଙ୍କ ସଂଖ୍ୟା ପାଖାପାଖି ଦ୍ବିଗୁଣିତ ହୋଇଯାଇଛି।
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନ୍ସିଆରବିର ରିପୋର୍ଟରେ କୋଭିଡ ପୂର୍ବରୁ ଓ ପରବର୍ତୀ ସମୟରେ ହୋଇଥିବା ଆତ୍ମହତ୍ୟା ପରିସଂଖ୍ୟାନକୁ ନେଇ ଏବେ ବିଶେଷଜ୍ଞ ଚିନ୍ତାରେ। ୨୦୧୯ମସିହାରେ ରାଜ୍ୟରେ ୪୫୮୨ ଲୋକ ଆତ୍ମହତ୍ୟା କରିଥିଲେ। ୨୦୨୦ରେ ଏହା ୫୫୪୬କୁ ବୃଦ୍ଧି ପାଇଥିଲା। ୨୦୨୧ରେ ଏହା ପୁଣି ବଢ଼ି ୫୬୫୧ ଛୁଇଁଛି। ଗତ ୨ବର୍ଷ ଭିତରେ ରାଜ୍ୟରେ ଆତ୍ମହତ୍ୟା ହାର ୨୪ ପ୍ରତିଶତ ବୃଦ୍ଧି ପାଇଛି।ଏବେ ନିୟମିତ ଗଣମାଧ୍ୟମରେ ଆତ୍ମହତ୍ୟା ରିପୋର୍ଟ ସଙ୍କେତ ଦେଉଛି ଯେ ଏହି ସଂଖ୍ୟା ତଳକୁ ଖସିନପାରେ।
english.aarthiknews.comସେପଟେ ଏସ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ ପରେ ହସ୍ପିଟାଲରେ ମାନସିକ ରୋଗୀଙ୍କ ଆଡମିସନ୍ ପ୍ରାୟତଃ ଶତ ପ୍ରତିଶତ ରହିଛି। ମଧ୍ୟ ବୟସ୍କ, କିଶୋର ଓ ଛାତ୍ରଛାତ୍ରୀ ଏହାର ଅଧିକ ଶିକାର ହେଉଛନ୍ତି। ନିର୍ଦ୍ଦିଷ୍ଟଭାବେ କହିବାକୁ ଗଲେ ୧୯-୩୦ବର୍ଗର ଅଧିକ ଲୋକ ସଂଖ୍ୟାରେ ରୋଗୀ ଅଛନ୍ତି। ଗତ ୨ବର୍ଷ ଭିତରେ ଏମ୍ସରେ ୨୦ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଲେଣି। ମାନସିକ ଅବସାଦ ପଛର ମୂଳ କାରଣ ହେଉଛି ପାରିବାରିକ ସମସ୍ୟା, ପରୀକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଫଳତା, ପ୍ରେମ ଓ ନିଶାର ବ୍ୟବହାର ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
କ୍ୟାପିଟାଲ ହସ୍ପିଟାଲ, ଏମ୍ସରେ ମାନସିକ ରୋଗୀଙ୍କ ଭିଡ଼
ଏମ୍ସ ମାନସିକରୋଗ ବିଭାଗର ମୁଖ୍ୟ ଡା.ବି.ଆର୍ ମିଶ୍ର କହିଛନ୍ତି, ବୟସ୍କଙ୍କ କ୍ଷେତ୍ରରେ ମାନସିକ ରୋଗ ବଢ଼ିବା ପଛରେ ପିଲାମାନେ ଦୂରେଇଯିବା, ଦମ୍ପତ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ, ରୋଗ ଭଳି କାରଣ ଦେଖିବାକୁ ମିଳିଥାଏ। ହେଲେ ଯୁବପିଢ଼ିଙ୍କ କ୍ଷେତ୍ରରେ ଏହାର କାରଣ ଭିନ୍ନ। କୋଭିଡ୍ ମହାମାରୀ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ଚାପର ଶିକାର ହେବା ପଛରେ ଲକ୍ଡାଉନ୍କୁ ଦାୟୀ କରାଯାଇପାରେ। ଲୋକମାନେ ହଠାତ୍ ପରସ୍ପରଠାରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିଲେ। ସମୟ ଅତିବାହିତ କରିବା ପାଇଁ ଛାତ୍ରଛାତ୍ରୀ/କିଶୋରମାନେ ଇଣ୍ଟରନେଟ୍ ଓ ବୈଦ୍ୟୁତିକ ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ ହୋଇଗଲେ। ଘଣ୍ଟା ଘଣ୍ଟା ଧରି ଏଥିରେ ଅଭ୍ୟସ୍ତ ହେବାରୁ ରାତି ଅନିଦ୍ରା ବଢ଼ିଥିଲା। ଯେଉଁମାନେ ନିଶାସେବନ କରୁଥିଲେ ଲକ୍ଡାଉନ୍ ପାଇଁ ସେମାନେ ନିଶା ଛାଡ଼ିବା ପାଇଁ ଏକପ୍ରକାର ବାଧ୍ୟ ହୋଇଥିଲେ। ଯାହାକି ସେମାନଙ୍କ କ୍ଷେତ୍ରରେ ଭିନ୍ନ ପ୍ରଭାବ ପକାଇଥିଲା। ଏହାସହ ପରୀକ୍ଷା ପାଇଁ ଭୟ ଓ ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଆତ୍ମହତ୍ୟା ପ୍ରବଣ ମଧ୍ୟ ବୃଦ୍ଧି ପାଇଥିଲା। ଏହା ପଛରେ ଗଣମାଧ୍ୟମର ରିପୋର୍ଟିଂକୁ ମଧ୍ୟ କିଛି ମାତ୍ରାରେ ଦାୟୀ କରାଯାଇପାରେ।
/sambad/media/post_attachments/wp-content/uploads/2022/11/mental-ill-1-750x430.jpg)
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶବ୍ୟାପୀ ଆତ୍ମହତ୍ୟା ଟ୍ରେଣ୍ଡ ବୃଦ୍ଧି ପାଇଥିଲା। ନିୟମିତଭାବେ ଆତ୍ମହତ୍ୟା ସଂପର୍କିତ ଖବର ପ୍ରକାଶ ପାଇଲେ ଏହା କିଛି ଲୋକଙ୍କଠାରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଆତ୍ମହତ୍ୟା ରିପୋର୍ଟିଂରେ ସଂଯମତା ରକ୍ଷା କରାଯିବା ଜରୁରୀ। ଡା.ମିଶ୍ର ଆହୁରିମଧ୍ୟ କହିଛନ୍ତି ଯେ ଯେଉଁମାନେ ନିଜଠାରେ ଏଭଳି ପରିବର୍ତନ ଲକ୍ଷ୍ୟ କରୁଛନ୍ତି କିମ୍ବା ପରିବାରଲୋକ ମଧ୍ୟ ନିଜ ପିଲାଙ୍କଠାରେ ଏଭଳି ପରିବର୍ତନ ଲକ୍ଷ୍ୟ କରୁଛନ୍ତି ତାହାଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ। ମାତ୍ର କୋଭିଡ ପୂର୍ବରୁ ଓ ପରବର୍ତୀ ସମୟରେ ରୋଗୀଙ୍କ ସୁସ୍ଥ ହେବାର ସମୟରେ ବଡ଼ ଧରଣର କୌଣସି ପରିବର୍ତ୍ତନ ହୋଇ ନ ଥିବା ସେ କହିଛନ୍ତି।
ସେହିପରି କ୍ୟାପିଟାଲ ହସ୍ପିଟାଲ ମାନସିକରୋଗ ବିଭାଗର ମୁଖ୍ୟ ଡା. ଉମାପ୍ରସାଦ ବିଶ୍ବାଳ କହିଛନ୍ତି, ପୂର୍ବରୁ ଓପିଡିକୁ ଯେତିକି ସଂଖ୍ୟକ ରୋଗୀ ଆସୁଥିଲେ କୋଭିଡ୍ ପରେ ତାହା ଯଥେଷ୍ଟ ବଢ଼ିଛି। ଅନ୍ୟ ବର୍ଗ ତୁଳନାରେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ ରହିଛି। ପାରିବାରିକ ସମସ୍ୟା, ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଫଳତା ଭଳି ଅନେକ କାରଣ ଯୁବପିଢ଼ିଙ୍କୁ ମାନସିକ ରୋଗୀ କରିଦେଉଛି।
ଅପରପକ୍ଷରେ ରାଜ୍ୟରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ମାନସିକରୋଗ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ବିଭାଗୀୟ ଅଧିକାରୀ କହିଛନ୍ତି, ଜିଲ୍ଲାସ୍ତରରେ ଏଭଳି ଲୋକଙ୍କୁ ଚିହ୍ନଟ ପାଇଁ ଭ୍ରାମ୍ୟମାଣ ମାନସିକରୋଗ ଭ୍ୟାନ୍ ବୁଲୁଛି। ମାନସିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Suicidal.jpg)